New Bat Virus: ମାଡ଼ି ଆସୁଛି ଭୟଙ୍କର ମହାମାରୀ ! ପୁଣି ହେବ କି ଲକଡାଉନ୍ ?

ସବୁଠାରୁ ଚିନ୍ତାଜନକ କଥା ହେଉଛି ଏହି ଭାଇରସର କୋଭିଡ୍-୧୯ ସହିତ ସମାନତା ରହିଛି ଓ ଏହା ମଧ୍ୟ ମଣିଷ ଶରୀରକୁ ସଂକ୍ରମିତ କରିବାର କ୍ଷମତା ରଖିଛି ।

ପୁଣି ନୂଆ ଭାଇରସ୍ ଡର

ମାଡ଼ି ଆସୁଛି ଭୟଙ୍କର ମହାମାରୀ ! ପୁଣି ସେହି ଚୀନ, ସେହି ଉହାନ ଇନଷ୍ଟିଚ୍ୟୁଟ୍ । ବୈଜ୍ଞାନିକଙ୍କ ବଢିଲାଣି ଟେନସନ୍ । ଆଉଥରେ ହେବ କି ଲକଡାଉନ୍ ? ପୁଣିଥରେ ଚୀନରେ ଦେଖାଦେଇଛି ଆଉ ଏକ ଭାଇରସ୍ । ଉହାନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ କୋଭିଡ୍ -୧୯ ଭଳି ଆଉ ଏକ ଭାଇରସକୁ ଆବିଷ୍କାର କରିଛନ୍ତି । ଏହା ମଧ୍ୟ କୋଭିଡ୍‌ ଭଳି ପ୍ରଥମେ ବାଦୁଡ଼ିଙ୍କ ଶରୀରରେ ଦେଖାଦେଇଛି । ଫଳରେ ଏହାର ନାଁ ରହିଛି ବାଟ୍ ଭାଇରସ୍ ବା HKU5-CoV-2 । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ଏହି ଭାଇରସର କୋଭିଡ୍-୧୯ ସହିତ ସମାନତା ରହିଛି ଓ ଏହା ମଧ୍ୟ ମଣିଷ ଶରୀରକୁ ସଂକ୍ରମିତ କରିବାର କ୍ଷମତା ରଖିଛି ।

ତେବେ ବର୍ତ୍ତମାନ ସୁଦ୍ଧା ବାଟ୍ ଭାଇରସରେ କୌଣସି ମଣିଷ ସଂକ୍ରମିତ ହୋଇନାହାନ୍ତି । ହେଲେ ଏହି ଭାଇରସ୍‌ ମଣିଷର ACE2 ରିସେପ୍ଟର ସହିତ ଯୋଡି ହୋଇପାରେ, ଫଳରେ ଏହା ପ୍ରାଣୀଙ୍କଠାରୁ ମଣିଷକୁ ବ୍ୟାପିବାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି । ଏହା ଉପରେ ନିରନ୍ତର ଗବେଷଣା ଚାଲିଛି, ଯାହାଦ୍ଵାରା ଭବିଷ୍ୟତରେ ଯେ କୌଣସି ବିପଦକୁ ମଧ୍ୟ ଯେପରି ରୋକାଯାଇ ପାରିବ । ତେବେ ଏହି ଭାଇରସ୍‌ ମଧ୍ୟ କୋଭିଡ୍‌ ଭଳି ଜ୍ୱର ଏବଂ କାଶ, ନିଶ୍ୱାସ ନେବାରେ କଷ୍ଟ, ଗଳା ବିନ୍ଧା, ଶରୀର ଯନ୍ତ୍ରଣା ଲକ୍ଷଣ ଦେଖାଇପାରେ ବୋଲି ଜଣାପଡିଛି ।

ଏହି ଭାଇରସ୍ ମାନବ କୋଷ, ଫୁସଫୁସ ଏବଂ ଅନ୍ତନଳୀର ଟିସୁକୁ ସଂକ୍ରମିତ କରିପାରେ । ତେବେ ଏହା ମହାମାରୀର ରୂପ ନେଇପାରିବାର କ୍ଷମତା ରଖିଛି କି ନାହିଁ ସେନେଇ ଗବେଷଣା ଚାଲିଛି । ଯଦି ଏହି ଭାଇରସଟି ଭବିଷ୍ୟତରେ ମ୍ୟୁଟେଟ୍ ହୁଏ ତେବେ ଏହାଦ୍ୱାରା ମଣିଷ ମାନେ ସଂକ୍ରମିତ ହୋଇପାରନ୍ତି । ଯଦି ଜଣେ ବ୍ୟକ୍ତି ସଂକ୍ରମିତ ବାଦୁଡ଼ି କିମ୍ବା ତା'ର ଲାଳ, ମୂତ୍ର କିମ୍ବା ମଳ ସଂସ୍ପର୍ଶରେ ଆସେ ତେବେ ଏହା ସେ ବ୍ୟକ୍ତିକୁ ସଂକ୍ରମିତ କରିପାରେ ବୋଲି ଜଣାପଡିଛି ।

ଅଧିକ ପଢ଼ନ୍ତୁ: ମନ୍-କୀ-ବାତ୍'ରେ ପ୍ରଧାନମନ୍ତ୍ରୀଙ୍କ ମୋଟାପା ଚିନ୍ତା; ଓବେସିଟିରୁ ବର୍ତ୍ତିବାକୁ PM ବତାଇଲେ ସରଳ ମନ୍ତ୍ର