• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଢିଛନ୍ତି ଯୁକ୍ତ ଦୁଇ, ହେଲେ ବୃତ୍ତିରେ ତଥାକଥିତ ଡାକ୍ତର । ଅସଲ ଡାକ୍ତରଙ୍କ ଭଳି ରୋଗୀ ଦେଖନ୍ତି, ଇଂଜେକ୍ସନ, ସାଲାଇନ୍, ଔଷଧ ବି ଦିଅନ୍ତି । ବର୍ଷ ବର୍ଷ ଧରି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଂଚଳରେ ଚିକିତ୍ସା ନାଁରେ ବେଆଇନ୍ କାରବାର ଚଳାଇଛନ୍ତି ମାଳ ମାଳ ନକଲି ଡାକ୍ତର । ସେପଟେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଏବଂ ମୟୂରଭଂଜର କପ୍ତିପଦାରେ ବି ସ୍ୱାସ୍ଥ୍ୟ ସେବାର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ଗାଁ ଗାଁରେ ମାତିଛନ୍ତି ନକଲି ଡାକ୍ତର ।

ଗଂଜାମ ଜିଲ୍ଲା କେଶପୁର ମୁଖ୍ୟ ବଜାରର ପପୁଲାର ମେଡିକାଲ ଷ୍ଟୋର । ବାହାରକୁ ଔଷଧ ଦୋକାନ, ଭିତରେ ବେଆଇନ୍ କ୍ଲିନିକ୍ ସବୁ ପ୍ରକାରର ଚିକିତ୍ସା କରୁଛନ୍ତି ଡାକ୍ତର । ଦାନ୍ତ ବାହାର କରାହେଉଛି, ନୂଆ ଦାନ୍ତ ବି ଲଗାଯାଉଛି । ଆଉ ଏସବୁ କରୁଛନ୍ତି ଜଣେ କରିତକର୍ମା ଡାକ୍ତର କମଲେଶ ବିଶ୍ୱାସ । ଘର କୋଲକାତାରେ, ବର୍ଷେ କି ୨ ବର୍ଷ ନୁହେଁ, ୧୫ ବର୍ଷ ହେଲା ଏହି ଅଂଚଳରେ ଲୋକଙ୍କୁ ଚିକିତ୍ସା ଯୋଗାଉଛନ୍ତି । ତେବେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦ୍ୱାଦଶ ପାଠ ପଢ଼ି ସେ ଏବେ ଡାକ୍ତର ହୋଇଯାଇଛନ୍ତି । ଔଷଧ ଦୋକାନ କରିବାକୁ ଆଣିଥିବା ଲାଇସେନ୍ସର ଅବଧି ଦେଢବର୍ଷ ହେଲା ସରିଲାଣି । ଦୋକାନରେ ବର୍ଷେ ତଳର ଏକ୍ସପାଏରୀ ମେଡିସିନ୍ ବି ରହିଛି । ଏଭଳି ସ୍ଥିତିରେ ପ୍ଲସ୍ ଟୁ ପଢିଥିବା ଏହି ନକଲି ଡାକ୍ତରଙ୍କ ଭରସାରେ ଅଛନ୍ତି ଗ୍ରାମାଂଚଳର ହଜାର ହଜାର ଲୋକ ।

ସେବା ନାଁରେ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଏଭଳି ନକଲି ଡାକ୍ତରଙ୍କ ବିରୋଧରେ ଖବର ପ୍ରସାରଣ ପରେ ଛନକା ପଶିଛି । ଅନେକ କ୍ୱାକ୍ ନିଜ କ୍ଲିନିକରେ ତାଲା ପକାଇ ଛୁ । ଯୋଗାଯୋଗ କଲେ ବି ଧରାଛୁଆଁ ଦେଉନାହାନ୍ତି । ଡାକ୍ତରୀ ପାଠ ତ ଦୂରର କଥା , ସାଧାରଣ ଯୋଗ୍ୟତା ନଥାଇ ବି ଗଂଜାମ ଜିଲ୍ଲାର ଗ୍ରାମାଂଚଳ ରୋଗୀସେବାକୁ ଏକ ପ୍ରକାର କବଜା କରି ରଖିଛନ୍ତି ଏଭଳି ମାଳ ମାଳ ନକଲି ଡାକ୍ତର । ସେପଟେ ସିଡିଏମଓ କହିଛନ୍ତି, ତହସିଲଦାର, ପୋଲିସ୍ ଏବଂ ସ୍ୱାସ୍ଥ୍ୟ ଅଧତ୍କାରୀଙ୍କୁ ନେଇ ଏକ ସ୍କ୍ବାର୍ଡ ଗଠନ ହେବ ଏବଂ ଏଭଳି ବେଆଇନ୍ କ୍ୱାକ୍ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ।

ଜଲେଶ୍ୱର.. ଦକ୍ଷିଣରୁ ଉପକୂଳ ଆଉ ଉତ୍ତର ଓଡିଶା ସବୁଠି ମାତିଛନ୍ତି ଏଭଳି ନକଲି ଡାକ୍ତର । ବାଲେଶ୍ୱର ଭୋଗରାଇ ବ୍ଳକ୍ ନଛିନ୍ଦା ଗାଁରେ ମଧ୍ୟ ତ୍ରିଲୋଚନ ଦାସ ମେଡିକାଲ ପାଠ ନପଢିବି ଡାକ୍ତର । ପଶ୍ଚିମବଙ୍ଗରୁ ୨ ବର୍ଷିୟ ସାର୍ଟିଫିକେଟ୍ ଆଣି ଗାଁ ଗାଁରେ ଲୋକଙ୍କ ଚିକିତ୍ସା କରୁଛନ୍ତି, ନିଜକୁ ଡାକ୍ତର ବୋଲାଉଛନ୍ତି । ସେପଟେ ଉପାନ୍ତ ଅଂଚଳର କଥା ନକହିଲେ ଭଲ । ଡାକ୍ତର ଅଭାବରୁ ଲୋକଙ୍କ ଭରସା କ୍ୱାକ୍ ମୟୂରଭଂଜ କପ୍ତିପଦା ଉପଖଣ୍ଡ କଟୁରିଆ ଗାଁର ଅଧିକାଂଶ ଆଦିବାସୀ ସଂପ୍ରଦାୟର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଅଛି, ହେଲେ ଡାକ୍ତର ନାହାଁନ୍ତି । ତେଣୁ କ୍ୱାକ୍, ରୋଗୀଙ୍କୁ ଦେଖୁଛନ୍ତି, ଔଷଧ-ଇଂଜେକ୍ସନ ଓ ସାଲାଇନ୍ ବି ଦେଉଛନ୍ତି । ଗାଁ ଗହଳିରେ ସ୍ୱାସ୍ଥ୍ୟସେବାର ଏ ଦୁର୍ଦ୍ଦଶାଜନକ ସ୍ଥିତି କେବେ ସୁଧୁରିବ ଏବଂ ସେବା ନାଁରେ ଶୋଷଣ ଓ ଲୋକଙ୍କ ଜୀବନ ସହ ଖେଳ ଉପେର ଲାଗିବ ଲଗାମ, ତାକୁ ଅପେକ୍ଷା ।