• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଯୋଗ ଶରୀର ଓ ମନକୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯୋଗ ହେଉଛି ଏକ ଆଧ୍ୟାତ୍ମିକ ଅଭ୍ୟାସ ଯାହା ଶାନ୍ତି, ଆତ୍ମବିଶ୍ୱାସ ଏବଂ ସାହସ ଜାଗ୍ରତ କରେ। ଯୋଗ ମାଧ୍ୟମରେ ଶରୀର, ମନ ଓ ମସ୍ତିଷ୍କକୁ ଉତ୍ତମ ରୂପେ ପରିଚାଳନା କରିହୁଏ। ଯୋଗ ହେଉଛି ଏମିତି ଏକ ଅଭ୍ୟାସ ଯାହା ଅନେକ ରୋଗରୁ ମୁକ୍ତି ଦିଏ। ଫଳରେ ନିୟମିତ ଯୋଗ ଅଭ୍ୟାସକୁ ପରାମର୍ଶ ଦିଆଯାଏ। ଯୋଗର ମହତ୍ତ୍ୱକୁ ବୁଝି ସାରା ବିଶ୍ୱ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି।

ମିଳିତ ଜାତିସଂଘର ସାଧାରଣ ସଭାରେ ଯୋଗ ଦିବସକୁ ଆନ୍ତର୍ଜାତୀୟ ସ୍ତରରେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସ୍ତାବ ଦେଇଥିଲେ। ମଞ୍ଜୁର ହେବା ପରେ ଜୁନ୍ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା। ବିଭିନ୍ନ ବିଷୟବସ୍ତୁକୁ ନେଇ ୨୦୧୫ରୁ ଏହାକୁ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ମାନବତା ପାଇଁ ଯୋଗ’। ତେବେ ଜୁନ୍ ୨୧କୁ କାହିଁକି ଯୋଗ ଦିବସ ଭାବେ ସ୍ଥିର କରାଗଲା ତାହା ହୁଏତ କେହି ଜାଣି ନଥିବେ। ତେବେ ଆସନ୍ତୁ ଏ ବିଷୟରେ ନଜର ପକେଇବା।

ଯୋଗର ଆରମ୍ଭ:

ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ଯୋଗର ପ୍ରଥମ ପ୍ରସାର ଭଗବାନ ଶିବଙ୍କ ଠାରୁ ହୋଇଛି। ସେ ପ୍ରଥମେ ତାଙ୍କର ୭ ଜଣ ଶିଷ୍ୟଙ୍କ ଯୋଗ ଶିକ୍ଷା ଦେଇଥିଲେ। ଏହି ୭ ଜଣ ସାଧୁଙ୍କୁ ଗ୍ରୀଷ୍ମ ସଂକ୍ରନ୍ତି ପରେ ପଡୁଥିବା ପ୍ରଥମ ପୂର୍ଣ୍ଣିମା ଦିନ ଯୋଗ ଶିକ୍ଷା ଦିଆଯାଇଥିଲା। ଏହି ୭ଜଣ ଋଷିଙ୍କୁ ଶିବଙ୍କର ଅବତାର ବୋଲି ବିଶ୍ୱାସ କରାଯାଏ।

‘ଯୋଗ ଦିବସ’ର ପ୍ରସ୍ତାବ:

ମିଳିତ ଜାତିସଂଘ ‘ଯୋଗ ଦିବସ’କୁ ଆନ୍ତର୍ଜାତୀୟ ସ୍ତରରେ ପାଳନ କରିବାକୁ ଘୋଷଣା କରିଛି। ମିଳିତ ସାଧାରଣ ସଭାରେ ୨୭ ସେପ୍ଟେମ୍ବର ୨୦୧୪ରେ ଯୋଗ ଦିବସକୁ ବିଶ୍ୱ ସ୍ତରରେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିଲେ। ଯୋଗର ମହତ୍ତ୍ୱକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବକୁ ମିଳିତ ଜାତିସଂଘର ସାଧାରଣ ସଭା ତିନି ମାସ ମଧ୍ୟରେ ଗ୍ରହଣ କରିଥିଲା।

ପ୍ରସ୍ତାବ ଉପରେ ବାଜିଲା ମୋହର:

୧୧ ଡିସେମ୍ବର ୨୦୧୪ରେ ମିଳିତ ଜାତିସଂଘର ସାଧାରଣ ସଭା ଏହି ସଂକଳ୍ପକୁ ଗ୍ରହଣ କଲା ଏବଂ ଜୁନ୍ ୨୧କୁ ‘ଯୋଗ ଦିବସ’ ଭାବେ ସ୍ଥିର କଲା। ସେତେବେଳେ ୧୯୩ଟି ଦେଶ ମଧ୍ୟରୁ ୧୭୫ଟି ଦେଶ ବିନା ଭୋଟ୍‌ରେ ଭାରତର ପ୍ରସ୍ତାବକୁ ଗ୍ରହଣ କଲେ। ମିଳିତ ଜାତିସଂଘର ସାଧାରଣ ସଭାରେ ଏହା ଥିଲା ପ୍ରଥମ ରେକର୍ଡ ଯାହାକୁ ଏତେ ସଂଖ୍ୟକ ଦେଶ ସମର୍ଥନ କରିଥିଲେ। ଏହା ପୂର୍ବରୁ ଅନ୍ୟ କୌଣସି ପ୍ରସ୍ତାବ ଏତେ ବଡ଼ ସମର୍ଥନ ପାଇ ନଥିଲା।

ବିଶ୍ୱ ଯୋଗ ଦିବସର ଆରମ୍ଭ:

ବିଶ୍ୱ ସ୍ତରରେ ଯୋଗ ଦିବସକୁ ପାଳନ କରିବାର ଆରମ୍ଭ ଜୁନ୍ ୨୧ ଠାରୁ ଆରମ୍ଭ ହେଲା। ୨୦୧୫ ମସିହା ଜୁନ୍ ୨୧ରେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଥିଲା। ପ୍ରଥମ ଯୋଗ ଦିବସ ଭାରତରେ ସଂଚାଳିତ ହେଲା। ପ୍ରଥମ ଯୋଗ ଦିବସ ଅବସରରେ ଭାରତରେ ଦୁଇଟି ରେକର୍ଡ ହୋଇଥିଲା। ପ୍ରଥମତଃ ଭାରତରେ ୩୫ ହଜାରରୁ ଅଧିକ ଲୋକ ରାଜପଥରେ ଏକାଠି ଯୋଗ କରିଥିଲେ, ଦ୍ୱିତୀୟରେ, ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ୮୪ଟି ଦେଶର ପ୍ରତିନିଧୀ ଅଂଶଗ୍ରହଣ କରିଥିଲେ।

ଜୁନ୍ ୨୧ କାହିଁକି:

ଜୁନ୍ ୨୧କୁ ବର୍ଷର ସବୁଠାରୁ ଲମ୍ବା ଦିନ ବୋଲି କୁହାଯାଏ। ଏହି ଦିନକୁ ଗ୍ରୀଷ୍ମ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନ ସୂର୍ଯ୍ୟଙ୍କ କିରଣ ସାଧାରଣ ଦିନ ତୁଳନାରେ ଅଧିକ ସମୟ ପୃଥିବୀରେ ରହିଥାଏ। ଏହି କାରଣରୁ ଏହାକୁ ଏକ ବଡ ଦିନ ଭାବରେ ବିବେଚନା କରାଯାଏ। ଏନେଇ ଯୋଗ ଦିବସ ମଧ୍ୟ ଜୁନ୍ ୨୧ରେ ପାଳନ କରିବାକୁ ସ୍ଥିର କରାଗଲା। ଯୋଗ ବିଜ୍ଞାନରେ ଏହି ଘଟଣାକୁ ସଂକ୍ରମଣ କାଳ କୁହାଯାଏ। ସଂକ୍ରମଣ କାଳରେ ଯୋଗ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ।