Advertisment

ରୋଗୀ ହନ୍ତସନ୍ତ, VIPଙ୍କ ସେବାରେ ଡାକ୍ତର ମାଳମାଳ

ରାଜଧାନୀର ପ୍ରିମିୟର ସରକାରୀ ଡାକ୍ତରଖାନା ଭିଆଇପିଙ୍କ ସେବାରେ । ସବୁ ଇମ୍ପୋର୍ଟାଣ୍ଟ ପର୍ସନଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରୁ ହିଁ ଯାଉଛନ୍ତି ଡାକ୍ତର । ସାଧାରଣ ଲୋକଙ୍କ ଚିକିତ୍ସା ଥିବା ଡାକ୍ତର ଭିଆଇପି ଡ୍ୟୁଟିରେ ନିୟୋଜିତ ।

author-image
Sangram Keshori Behera
undefined

Capital Hospital

ରୋଗୀ ସେବା ପାଇଁ ଡାକ୍ତର ନାହାନ୍ତି, କିନ୍ତୁ ଭିଆଇପି ପ୍ରୋଟୋକଲରେ ମାଳମାଳ । ସତେ ଯେମିତି ରାଜ୍ୟ ରାଜଧାନୀର ପ୍ରିମିୟର ସରକାରୀ ଡାକ୍ତରଖାନା ଖାଲି ଭିଆଇପିଙ୍କ ସେବା ପାଇଁ ରହିଛି । କ୍ୟାପିଟାଲ ହସ୍ପିଟାଲରେ ଏବେ ଖାଲି ପଡ଼ିଛି 64 ଡାକ୍ତର ପଦବି । ଯେତିକି ବି ଅଛନ୍ତି, ସେଥିରୁ ପ୍ରତି ଦିନ ଅତିକମରେ 8ରୁ 10 ଜଣ ଡାକ୍ତର କେବଳ ସରକାରୀ ପ୍ରୋଟୋକଲ୍ ତୁଲାଉଛନ୍ତି । ବର୍ଷତମାମ କ୍ୟାପିଟାଲ ହସ୍ପିଟାଲର 6 ଜଣ ଡାକ୍ତର ସବୁଦିନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଆବାସରେ 3ଟି ସିଫ୍ଟରେ ଡ୍ୟୁଟି କରୁଛନ୍ତି । ସେମାନଙ୍କ ଛୁଟିଦିନରେ ଆଉ 2 ଜଣ ଡାକ୍ତରଙ୍କୁ ଏ ଦାୟିତ୍ୱ ତୁଲାଇବାକୁ ପଡ଼ୁଛି ।

Advertisment

ଖାଲି ସେତିକି ନୁହେଁ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ସୁପ୍ରିମକୋର୍ଟ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି ଭୁବନେଶ୍ୱର ଆସିଲେ, ତାଙ୍କ ସେବାରେ ନିୟୋଜିତ ହେଉଛନ୍ତି କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର । Z+ ସୁରକ୍ଷା ଥିବା ଭିଭିଆଇପି ଆସିଲେ 4 ଜଣ ଲେଖାଏଁ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଆସିଲେ ସେମାନଙ୍କ ସ୍ୱାସ୍ଥ୍ୟସେବା ଓ ଖାଦ୍ୟ ପରୀକ୍ଷା ଲାଗି 4-5 ଜଣ ଲେଖାଏଁ ଡାକ୍ତର ଯୋଗାଉଛି କ୍ୟାପିଟାଲ ହସ୍ପିଟାଲ । ଯଦି ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଭୁବନେଶ୍ବର ଗସ୍ତରେ ଆସୁଛନ୍ତି, ସେଦିନ ପ୍ରୋଟୋକଲ୍ ଅନୁସାରେ ପାଖାପାଖି 20 ଜଣ ଡାକ୍ତର ନିୟୋଜିତ ହେଉଛନ୍ତି। ସମସ୍ୟା ଏତିକିରେ ସରୁନି, କୌଣସି ରାଜ୍ୟସ୍ତରୀୟ ମହୋତ୍ସବ, ମେଳା ତଥା ରକ୍ତଦାନ ଶିବିର ପାଇଁ ଖୋଜାପଡ଼ୁଛନ୍ତି କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର । 

ସବୁବେଳେ ରୋଗୀ ହାଉଜାଉ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଲମ୍ବା ଲାଇନ୍ ଲାଗୁଥିବା ବେଳେ ଭିଆଇପିଙ୍କ ସେବାରେ ଏତେ ସଂଖ୍ୟକ ଡାକ୍ତର ନିୟୋଜନକୁ ନେଇ ଉଠିଛି ପ୍ରଶ୍ନ । ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା କଥା, ଭିଆଇପିଙ୍କ ସୁରକ୍ଷା ଲାଗି ପୋଲିସ୍ କର୍ମଚାରୀଙ୍କଠାରୁ ଆରମ୍ଭ କରି ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଅଗ୍ନିଶମ ଅଧିକାରୀ ଆଦି ନିୟୋଜିତ ହୋଇଥାନ୍ତି । ତେବେ ରୋଗୀସେବା ପାଇଁ ଡାକ୍ତର ଅଭାବ ସତ୍ତ୍ବେ ପ୍ରୋଟୋକଲ ପାଇଁ କ୍ୟାପିଟାଲ ହସ୍ପିଟାଲରୁ ଡାକ୍ତର ନେବା ଯୁକ୍ତିସଙ୍ଗତ ନୁହେଁ । ବରିଷ୍ଠ ସାମ୍ବାଦିକଙ୍କ ଯୁକ୍ତି, ଭିଆଇପିଙ୍କୁ ପ୍ରୋଟୋକଲ୍ ପାଇଁ ସ୍ବତନ୍ତ୍ର ପୁଲ୍ ଗଠନ କରାଯାଉ। କ୍ୟାପିଟାଲ ହସ୍ପିଟାଲରେ ଥିବା ଖାଲି ପୋଷ୍ଟ ବି ପୂରଣ କରନ୍ତୁ। 

Advertisment

ରାଜଧାନୀର ପ୍ରମୁଖ ସରକାରୀ ଡାକ୍ତରଖାନା କ୍ୟାପିଟାଲ୍ ହସପିଟାଲ୍ ରେ ୩୭ ପ୍ରତିଶତ ଡାକ୍ତରୀ ପଦବି ଖାଲିଥିବା ଗତକାଲି ଆମେ ଦେଖାଇଥିଲୁ । ଦେଖିବାର କଥା ସରକାର ଏହି ସମସ୍ୟା ପ୍ରତି କେବେ ଧ୍ୟାନ ଦେଉଛନ୍ତି। ସାଧାରଣ ଲୋକଙ୍କ ଚିକିତ୍ସା ଥିବା ଡାକ୍ତର କେବେ ଭିଆଇପି ଡ୍ୟୁଟିରୁ ବିରତ ରହୁଛନ୍ତି ।

Doctors Capital Hospital Health Services
Advertisment
Advertisment