/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739957025.jpg)
କେତେ ସ୍ୱାସ୍ଥ୍ୟକର ଇନଷ୍ଟାଣ୍ଟ ନୁଡଲ୍ସ
ସମୟ ପରିବର୍ତ୍ତନ ସହ ବଦଳିଥାଏ ଆମର ପସନ୍ଦ ଓ ସେହି ଅନୁସାରେ ଖାଦ୍ୟ ପ୍ରାଥମିକତା। ଦିନ ଥିଲା ପିଲାମାନେ ପିଠା, ମିଠା ଖଜା ଆଦି ଖାଇବାକୁ ଭଲ ପାଉଥିଲେ, ହେଲେ ବର୍ତ୍ତମାନ ସମୟରେ ଆପଣ କେଉଁ ଛୁଆଙ୍କୁ ଦେଖିଛନ୍ତି କି, ଏହି ମ୍ୟାଗି ତଥା ନୁଡଲ୍ସ ପସନ୍ଦ କରୁନାହାଁନ୍ତି? ଖୁବ୍ କମ୍ ଦେଖିଥିବେ। ଆଜିର ଶିଶୁମାନେ ଇନଷ୍ଟାଣ୍ଟ ଖାଦ୍ୟ ପାଇଁ ଖୁବ୍ ପ୍ରଲୋଭିତ। ଦୁଇ ମିନିଟ୍ରେ ପ୍ରସ୍ତୁତ ମ୍ୟାଗି ହେଉ କିମ୍ୱା ଚାଓମିନ୍, ଏହା ଏବେ ସବୁ ବୟସର ପସନ୍ଦ ହୋଇଯାଇଛି। ଆସନ୍ତୁ ଆଜି ଏହି ବିଷୟରେ କଥା ହେବା ଯେ, ଏହି ମ୍ୟାଗି ତଥା ନୁଡଲ୍ସଗୁଡ଼ିକ ଆମ ପାଇଁ ତଥା ଶିଶୁମାନଙ୍କ ପାଇଁ କେତେ ଉପଯୋଗୀ ନା ଅନୁପଯୋଗୀ ହୋଇପାରେ।
ବଜାରରେ ବିଭିନ୍ନ ଫ୍ଲେବରରେ ଏବଂ ଆକର୍ଷଣୀୟ ପ୍ୟାକେଜିଂରେ ମିଳୁଥିବା ମ୍ୟାଗି ଓ ଅନ୍ୟ ନୁଡଲ୍ଗୁଡ଼ିକ ବାରମ୍ବାର ପ୍ରକ୍ରିୟାକୃତ ହୋଇ ପ୍ରସ୍ତୁତ ହୁଏ। ସେତେବେଳେ ଏଗୁଡ଼ିକ ଟ୍ରାନ୍ସ ଫ୍ୟାଟ୍ ଓ ସୋଡିୟମ୍ ଆଦି ଦେଇ ପ୍ରକ୍ରିୟାକରଣ ହୋଇଥାଏ। କେତେକ ନୁଡଲ୍ରେ ମହମର ଆସ୍ତରଣ ବା କୋଟିଂ ଦିଆଯାଏ ଯାହା ନିୟମିତ ସେବନ ଦ୍ୱାରା ଲିଭର୍ ପ୍ରଭାବିତ ହୋଇଥାଏ। ଆଉ ଏକ କ୍ଷତିକାରକ ରସାୟନ ପଲିପ୍ରୋପାଇଲିନ୍ ଗ୍ଲାଇକଲ୍ ଯାହା ଏଥିରେ ଥାଏ ତାହା ଶିଶୁମାନଙ୍କ ହୃତ୍ପିଣ୍ଡ ଓ ଖାଦ୍ୟନଳୀରେ ଜମାହୋଇରହିଯାଏ। ପରେ ଏହା ବିଭିନ୍ନ ହୃଦ୍ଜନିତ ସମସ୍ୟା ସୃଷ୍ଟି କରିପାରେ। ଅନେକ ରେଡିମେଡ୍ ନୁଡଲ୍ରେ ସାଇଟ୍ରିକ୍ ଏସିଡ୍ ପରିମାଣ ଅଧିକ ଥାଏ ଯାହା ଖାଇବା ପରେ ଆପଣଙ୍କ ଏସିଡ୍ ସମସ୍ୟା ବଢ଼ିଥାଏ।
ସହଜରେ ଶୀଘ୍ର ହୋଇପାରୁଥିବା ଖାଦ୍ୟ ମଧ୍ୟରେ ଇନଷ୍ଟାଣ୍ଟ ନୁଡଲ୍ ହିଁ ସମସ୍ତଙ୍କ ପ୍ରଥମ ପସନ୍ଦ। ତେବେ ଏଗୁଡ଼ିକ ଅଧିକାଂଶ ମଇଦାରୁ ପ୍ରସ୍ତୁତ। ମଇଦାର ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଧିକ, ଏଥିରେ ଫାଇବର୍ ଖୁବ୍ କମ୍ ଥାଏ ଏବଂ ଗ୍ଲୁଟେନ୍ ପ୍ରବଳ ପରିମାଣରେ ଥାଏ। ତେଣୁ ଯଦି ଆପଣ ଡାଇବେଟିକ୍ ତେବେ ଏଥିରୁ ଦୂରେଇ ରୁହନ୍ତୁ। ଏଥିସହିତ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ନୁଡଲ୍ଗୁଡ଼ିକରେ ଏକ ପ୍ରକାର ଶର୍କରା ଥାଏ ଯାହାର ନାମ ହାଇ ଫ୍ରୁକ୍ଟୋଜ୍ କର୍ଣ୍ଣ ସିରପ୍। ଏହା ଆମ ଶରୀରରେ ଥିବା ଶର୍କରା ପରି, ତେଣୁ ନୁଡଲ୍ ଆଦି ଖାଇବା ପରେ ଆମର ଶର୍କରା ସ୍ତର ବଢ଼ିବାର ସମ୍ଭାବନା ମଧ୍ୟ ଥାଏ।
ଆପଣ ଅନୁଭବ କରିଥିବେ ଟିକେ ମସଲାଦାର ନୁଡଲ୍ସ ଆପଣ ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଛା ହେବ। ଏହାର କାରଣ ହେଉଛି ଏଥିରେ ଥିବା ଏମ୍.ଏସ୍.ଜି ବା ମନୋସୋଡିୟମ୍ ଗ୍ଲୁଟାମେଟ୍। ଏହା ଆପଣଙ୍କୁ ସ୍ୱାଦର ଆଡିକ୍ଟ କରିବାରେ ଦାୟୀ। କେତେକ ନୁଡଲ୍ସ ପ୍ୟାକେଟରେ ଶୁଖିଲା ପନିପରିବା ବା ଭେଜିସ୍ ମଧ୍ୟ ଥାଏ। ବଜାରରେ ମାର୍କେଟିଂର ଏହା ଏକ ଉପାୟ ମାତ୍ର। ଭେଜିଟେବଲ୍ ଯୁକ୍ତ ନୁଡଲ୍ ଶରୀର ପାଇଁ ସ୍ୱାସ୍ଥ୍ୟକର ବୋଲି କହି ବିକୁଥିବା ବ୍ରାଣ୍ଡ୍ମାନଙ୍କଠୁ ଦୂରେଇ ରୁହନ୍ତୁ। କାରଣ ଏଥିରେ ଥିବା ପନିପରିବାମାନଙ୍କୁ ଶୁଖଆଯାଇ ଡିହାଇଡ୍ରେଟ୍ କରି ଏଥିରେ ପକାଯାଏ ଯାହାଦ୍ୱାରା ଏହାର କୌଣସି ପୋଷକତତ୍ୱ ଉପଲବ୍ଧ ନଥାଏ। ଏଣୁ ଏହା ଖାଇବା ଦ୍ୱାରା ଆପଣ କେବଳ ଶରୀର ପାଇଁ ରୋଗ ହିଁ କିଣନ୍ତି।
ବଜାରରେ ମିଳୁଥିବା ଅଟା ନୁଡଲ୍ ପ୍ରକୃତରେ ଉତ୍ତମ ଗୁଣଯୁକ୍ତ ଅଟାରେ ହୁଏ ନାହିଁ, ବରଂ ଗହମରୁ ଅଟା ବାହାରିସାରିବା ପରେ ଯେଉଁ ଅବଶେଷ ରୁହେ, ତାହା ହିଁ ନୁଡଲ୍ ପାଇଁ ବ୍ୟବହାର ହୁଏ। ଏଥିରେ ନା ତ ପ୍ରୋଟିନ୍ ଥାଏ ନା ଥାଏ ଫାଇବର୍। ଏଣୁ କମ୍ପାନୀମାନେ ଆପଣଙ୍କ ସହ କିପରି ଛଳନା କରୁଛନ୍ତି ତାହା ଜାଣିରଖନ୍ତୁ।
ଏବେ କିଛି ସ୍ୱାସ୍ଥ୍ୟକର ବିକଳ୍ପ ବିଷୟରେ କଥା ହେବା। ଆଜିକାଲି ମିଲେଟ୍ର ବହୁଳ ପ୍ରଚାର ହେଉଛି ଏବଂ ପ୍ରତି ସହରରେ ମିଲେଟରେ ତିଆରି ବିଭିନ୍ନ ଖାଦ୍ୟ ମିଳୁଛି। ମାଣ୍ଡିଆ, କୋଡୋ, ବାଜରା ଆଦିର ନୁଡଲ୍ ମଧ୍ୟ ବଜାରରେ ଉପଲବ୍ଧ। ଯଦି କୌଣସି ସ୍ଥିତିରେ ଆପଣ ଏହା ପାଇପାରୁନାହାନ୍ତି ତେବେ ଘରେ ହିଁ ଅଟା କିମ୍ୱା ସୁଜିର ନୁଡଲ୍ ନିଜେ ବନାନ୍ତୁ। ଆଜିକାଲି ୟୁଟ୍ୟୁବରେ ସମସ୍ତ ରୋଷେଇବିଧି ଉପଲବ୍ଧ ରହୁଛି। ତେଣୁ ଆପଣଙ୍କୁ ଏହା ପ୍ରସ୍ତୁତ କରିବା ସହଜ ହେବ। ଏଥିସହିତ ଚେଷ୍ଟାକରନ୍ତୁ ନୁଡଲ୍ ପ୍ରସ୍ତୁତ କରିବା ବେଳେ ଏହାକୁ ନ ଛାଣି ସିଝେଇବା ପ୍ରକ୍ରିୟାରେ କରିବେ। ଏହା ହେଲେ ଅତିରିକ୍ତ ଫ୍ୟାଟ୍ ବ୍ୟବହାର କରିବାକୁ ପଡ଼ିବ ନାହିଁ।
ସର୍ବଦା ଚେଷ୍ଟା କରନ୍ତୁ ଘରେ ପ୍ରସ୍ତୁତ ହୋଇଥିବା ତଥା ପୋଷଣଯୁକ୍ତ ଖାଦ୍ୟ ସେବନ ପାଇଁ। ବିଶେଷ କରି ଗର୍ଭବତୀ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବା ଅତ୍ୟନ୍ତ ଆବଶ୍ୟକ। ପୂର୍ବରୁ ପ୍ରସ୍ତୁତ ନୁଡଲରେ ଥିବା ଫୁଡ୍ କଲର୍ ମଧ୍ୟ ଗର୍ଭବତୀ ମାନଙ୍କ ପାଇଁ ଅନୁପଯୁକ୍ତ। ତେଣୁ ସର୍ବଦା ସରଳଭାବେ ହଜମ ହେଉଥିବା ଫାଇବରରେ ପରିପୂର୍ଣ୍ମ, ପ୍ରୋଟିନ୍ଯୁକ୍ତ ଖାଦ୍ୟ ସେବନରେ ଧ୍ୟାନ ରଖିବା ଆବଶ୍ୟକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)