• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାୟଗଡ଼ା କାଶୀପୁର ଇଲାକାରେ ଏବେ ଘାତକ ସାଜିଛି ଡିପଥେରିଆ ରୋଗ । ନେଉଛି ଜଣଙ୍କ ପରେ ଜଣେ ଶିଶୁଙ୍କ ଜୀବନ । ୧୦ ଦିନରେ ପାଞ୍ଚ ପାଞ୍ଚ ଜଣ ଶିଶୁଙ୍କ ପ୍ରାଣହାନୀ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଗ୍ରାଉଣ୍ଡ ଜିରୋରେ ଏବେ ଡାକ୍ତର ଏବଂ ବିଶେଷଜ୍ଞ ଟିମ୍ ।

କଳାହାଣ୍ଡି ଓ ରାୟଗଡ଼ା CDMOଙ୍କ ନେତୃତ୍ୱରେ ଏହି ଟିମ୍ ରୋଗର କାରଣ ଖୋଜିବା ସହ ସଂକ୍ରମଣ ରୋକିବାକୁ ଶିଶୁଙ୍କ ପାଇଁ ଆରମ୍ଭ କରିଛନ୍ତି ଟୀକାକରଣ ଅଭିଯାନ । ପୁଣି ଚର୍ଚ୍ଚାରେ ସେହି ରାୟଗଡ଼ାର କାଶୀପୁର ଅଞ୍ଚଳ, ପୁଣି ସେହି ରୋଗଦୁଃଖର ଆତଙ୍କ । ଘାତକ ସାଜିଛି ଡିପଥେରିଆ ରୋଗ ।

ଅକାଳରେ ଯାଉଛି କଅଁଳ ପିଲାଙ୍କ ଜୀବନ । କାଶୀପୁର ବ୍ଲକ ମୁନୁଷପଦରରେ ଗତ ୧୦ ଦିନ ଭିତରେ ୫ ନିରୀହ ପିଲାଙ୍କ ହେଲାଣି ପ୍ରାଣହାନୀ । ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବି କ୍ରମେ ବୃଦ୍ଧି ପାଉଥିବା କୁହାଯାଉଛି । ଏ ହେଉଛି, ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ । ଜଣଙ୍କ ପରେ ଜଣେ ଅସୁସ୍ଥ ଶିଶୁଙ୍କୁ ଭର୍ତ୍ତି କରାଯାଉଛି ମେଡିକାଲରେ ।

କାରଣ, କାହାକୁ ଗଳା ଫୁଲି ଦରଜ ହେବା ସହ ଜ୍ବର ହେଉଛି ତ ଆଉ କିଏ ଖାଦ୍ୟ ଖାଇନପାରି ଅସୁସ୍ଥ ହେଉଛି । ଏଭଳି ଭାବେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫ ଶିଶୁଙ୍କୁ ରାୟଗଡ଼ା ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ଯାଇଛି । ପ୍ରାଥମିକ ଚିକିତ୍ସା ପରେ କିଛି ଶିଶୁ ସୁସ୍ଥ ହେଉଥିବା ତାଙ୍କ ସଂପର୍କୀୟ କହିଛନ୍ତି ।

ଏଭଳି ଉଦବେଗଜନକ ଖବର ପରେ ଘଟଣାରେ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ୱାସ୍ଥ୍ୟ ବିଭାଗ ଏବଂ ଆରଏମଆରସିଙ୍କୁ ରୋଗର କାରଣ ଖୋଜି ନିରାକରଣ ପାଇଁ ନିର୍ଦ୍ଦେଶ ଦେବା ପରଠୁ ଗ୍ରାଉଣ୍ଡ ଜିରୋରେ ତତ୍ପର ହୋଇଛନ୍ତି ରାୟଗଡ଼ା ଓ ପଡ଼ୋଶୀ କଳାହାଣ୍ଡି CDMO ।

ଉଭୟଙ୍କ ନେତୃତ୍ୱରେ ମେଡ଼ିକାଲ୍ ଟିମ୍ ରୋଗ ପ୍ରଭାବିତ ଅଞ୍ଚଳର ପ୍ରତିଟି ଗାଁରେ ଘରକୁ ଘର ଯାଇ ସର୍ଭେ କରୁଛନ୍ତି । ସେହିପରି ଭୁବନେଶ୍ୱର ଓ କୋରାପୁଟରୁ ମଧ୍ୟ ଟିମ୍ ପହଞ୍ଚିଛି । ସଂଗୃହିତ ନମୂନାରେ ଡିପଥେରିଆ ଜୀବାଣୁ ଥିବା ସ୍ପଷ୍ଟ ହେବା ପରେ ୫ ଶିଶୁଙ୍କ ମୃତ୍ୟୁ ଡିପଥେରିଆ ଜନିତ ବୋଲି ସ୍ୱାସ୍ଥ୍ୟବିଭାଗ ଆଶଙ୍କା କରିଛି ।

ଏହାକୁ ଦୃଷ୍ଟିରେ ରଖି ମୁନୁଷପଦର ଗାଁରେ ଶିଶୁଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ଟିକା । ଆଗ୍ରାରୁ ଡିପଥେରିଆ ଆଣ୍ଟି ଟକ୍ସନ ଭ୍ୟାକ୍ସିନ ଆଣି ପିଲାଙ୍କୁ ଦିଆଯାଉଛି । ମୁନୁଷପଦର ଗାଁରେ ଗତ ୬ ତାରିଖରୁ ଆରମ୍ଭ ହେଲାଣି ଏହି ସମସ୍ୟା । ଶିଶୁରୋଗ ବିଶେଷଜ୍ଞଙ୍କ କହିବା କଥା, ଗତ ୨୦ ବର୍ଷ ଭିତରେ ଏଭଳି ରୋଗ କେବେ ଦେଖା ଯାଇନଥିଲା ।

ଏହା ଏକ ମାରାତ୍ମକ ତଥା ଘାତକ ରୋଗ । ପ୍ରଥମ ଲକ୍ଷଣ ଗଳା ଫୁଲି ଦରଜ ସହ ଜ୍ୱର ହେବ । ଫଳରେ ସଂକ୍ରମିତ ଶିଶୁଙ୍କ କ୍ଷେତ୍ରରେ ଖାଦ୍ୟ ଗ୍ରହଣ କରିବା କଷ୍ଟ ହୋଇଥାଏ । ସେହିପରି ଧଳା ଧଳା ଦାଗ ହୋଇ ଗଳା ଫୁଲିବା ସହ ସେଥିରୁ ବିଷାକ୍ତ ତରଳ ପଦାର୍ଥ କ୍ଷରଣ ହୁଏ ।

ଯାହା ହୃତପିଣ୍ଡ ପାଇଁ ବିପଦ ସାଜିବା ସହ ପକ୍ଷାଘାତ ବି ହୋଇପାରେ । ଏହାର ପ୍ରତିକାର ପାଇଁ ବଡ଼ ଅସ୍ତ୍ର ହେଉଛି ଶିଶୁଙ୍କୁ ଉପଯୁକ୍ତ ଟିକାକରଣ । ତେବେ କାରଣ ଯାହା ବି ଥାଉନା କାହିଁକି, ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ ଏହି ଘାତକ ରୋଗକୁ ନେଇ କିନ୍ତୁ ଲାଗିରହିଛି ଆତଙ୍କ । ପ୍ରଭାବିତ ଗାଁରେ ସ୍ଥାନୀୟ ବିଜେପି, ବିଜେଡି ଓ କଂଗ୍ରେସ ନେତା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now