Advertisment

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ: ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ପାର

ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ପ୍ରଶାସନ କହିଥିବାବେଳେ ବିପର୍ଯ୍ୟସ୍ତ ପରିବେଶକୁ ନେଇ ବର୍ଷିଛନ୍ତି ଭୁବନେଶ୍ୱର ବାସିନ୍ଦା।

ଅଦ୍ୟତନ ହୋଇଛି
Dengue outbreak in Odisha

Dengue outbreak in Odisha

Advertisment

ଡେଙ୍ଗୁ ବଢ଼ାଉଛି ଡର...ଆତଙ୍କ ବଢ଼ାଉଛି ଏଡିସ୍ ମଶା...ଖେଦିଚାଲୁଛି ଏ ବସ୍ତିରୁ ସେ ବସ୍ତି...ମାଡ଼ି ଚାଲୁଛି ଝୁମ୍ପୁଡ଼ିରୁ ଅଟ୍ଟାଳିକା ଯାଏଁ। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏବେ ଡେଙ୍ଗୁ ରୋଗ ଓ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି। ବିଏମସି ଇଲାକାରେ ଗତ ମାସରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଥିଲା ୭୬୩, ଚଳିତ ମାସରେ ଆଜି ସୁଦ୍ଧା ହଜାରେ ୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଅର୍ଥାତ ଉପରମୁହାଁ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା। ନିଳାଦ୍ରୀବିହାରରୁ ସର୍ବାଧିକ ୩୦୬ ଜଣ ଚିହ୍ନଟ ହୋଇଥିବାବେଳେ ନୟାପଲ୍ଲୀରୁ ୨୧୬, ୟୁନିଟ-୯ରୁ ୧୪୭, ଆଇଆରସି ଭିଲେଜ ଅଞ୍ଚଳରୁ ୧୬୦ ଓ ଜୟଦେବ ବିହାରରୁ ୭୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

Advertisment

ସେହିଭଳି ଭୁବନେଶ୍ବର ଉପକଣ୍ଠରୁ ବି ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ସାମ୍ନାକୁ ଆସିଛନ୍ତି। ଯାହାର ଚାପ ଏବେ ଦେଖିବାକୁ ମିଳିଛି ମେଡ଼ିକାଲଗୁଡ଼ିକରେ। କ୍ୟାପିଟାଲ୍ ହସ୍ପିଟାଲ୍‌ରେ ବେଡ୍ ଅପେକ୍ଷା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କିଏ ଚଟାଣରେ ତ କିଏ ପାଦ ଚଲା ରାସ୍ତାକଡ଼ରେ ପଡ଼ିରହିଛନ୍ତି। ତେବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସ୍ଥିତି ସେଭଳି ଉଦବେଗଜନକ ନାହିଁ। ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିବାବେଳେ ବିପର୍ଯ୍ୟସ୍ତ ପରିବେଶକୁ ନେଇ ବର୍ଷିଛନ୍ତି ଭୁବନେଶ୍ୱର ବାସିନ୍ଦା।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ କହୁଛି, ଆଜି ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପରୀକ୍ଷଣ କରାଯାଇଥିବା ୨୮ ହଜାର ୫୯୩ଟି ନମୁନାରୁ ୩ ହଜାର ୮୯୪ଟି ପଜିଟିଭ୍ ରହିଛି। ଭୁବନେଶ୍ୱର ମହାନଗର ସମେତ ସୁନ୍ଦରଗଡ଼, ମାଲକାନଗିରି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାକୁ ବ୍ୟାପିଛି ଡେଙ୍ଗୁ ରୋଗ। ସୁନ୍ଦରଗଡ଼ ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ୧୧୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ୯୯ ଜଣ ହେଉଛନ୍ତି ରାଉରକେଲାର। ଫଳରେ ରାଉରକେଲା ସରକାରୀ ହସ୍ପିଟାଲ ଏବଂ ଇସ୍ପାତ୍ ଜେନେରାଲ୍ ହସପିଟାଲରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଷ୍ଟିଲସିଟିରେ ଡେଙ୍ଗୁ ମାଡ଼ିବାର ବଡ଼ କାରଣ ହେଉଛି ଆର୍ବଜନାମୟ ପରିବେଶ। ମାଲଗୋଦାମ୍ ଇଲାକାରେ ଯୁଆଡ଼େ ଚାହିଁବେ କେବଳ ଅସ୍ୱାସ୍ଥ୍ୟକର ପରିବେଶ। ଟିମ୍ବର, ପାନପୋଷ ବସ୍ତିରେ ବି ବେହାଲ୍ ଅବସ୍ଥା, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। 

Advertisment

ତଥ୍ୟ କହୁଛି, ଗତବର୍ଷ ଏହି ସେପ୍ଟେମ୍ବର ୨୨ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ଥିଲା ୪ ହଜାର ୮୩। ତେବେ ଚଳିତ ବର୍ଷ ଅପେକ୍ଷାକୃତ କମ୍ ରହିଥିଲେ ବି ଲାଗିରହିଥିବା ବର୍ଷା ଯୋଗୁ ସଂକ୍ରମଣ ଆହୁରି ବଢ଼ିବାର ଆଶଙ୍କା ରହୁଛି।

(ରିପୋର୍ଟ: ସୁନ୍ଦରଗଡ଼ରୁ ବିଜୟ ବରୁଆ, ରାଉରକେଲାରୁ ପବନ ତିୱାରୀ ଏବଂ ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ ଓ ହରିହର ଚାନ୍ଦ) 

Advertisment
Dengue In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ