• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିଲ୍ଲୀରେ ପୁଣି ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୧ବର୍ଷ ବୟସ୍କା ଆକ୍ରାନ୍ତ ଜଣଙ୍କ ଜଣେ ବିଦେଶୀ ବୋଲି ସୂଚନା ମିଳିଛି । ମହିଳା ଜଣଙ୍କ ଜ୍ୱର ଓ ଚର୍ମରେ ଫୋଟକା ଦେଖା ଦେଇଥିଲା । ଏହାପରେ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନମୂନା ପରୀକ୍ଷା ପରେ ସେ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଆଇସୋଲେସରେ ରଖାଯାଇଛି । ଦୁଇଦିନ ତଳେ ଦିଲ୍ଲୀରେ ଆଉ ଜଣେ ବିଦେଶୀ ନାଗରିକ ମଙ୍କିପକ୍ସ ଆକ୍ରାନ୍ତ ହୋଇଥିଲେ । ଏଥିସହ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । କେରଳରେ ଏପର୍ଯ୍ୟନ୍ତ ୫ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ।

ଏହାପୂର୍ବରୁ ଦୁଇ ଦିନ ପୂର୍ବରୁ ମଧ୍ୟ ଦିଲ୍ଲୀରୁ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି କେରଳରୁ ଏକାଧିକ ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ଗତକାଲି କେନ୍ଦ୍ର ସରକାର ଏହାକୁ ରୋକିବା ପାଇଁ ଗାଇଡଲାଇନ ଜାରି କରିଛନ୍ତି । ମଙ୍କିପକ୍ସକୁ ରୋକିବା ପାଇଁ କ’ଣ କରିବା ଦରକାର ଓ କ’ଣ କରିବା ଦରକାର ନୁହେଁ ସେ ବିଷୟରେ ଗାଇଡଲାଇନରେ ବିସ୍ତୃତ ଭାବେ କୁହାଯାଇଛି ।

ଆସନ୍ତୁ ଜାଣିବା ମଙ୍କିପକ୍ସ କଣ ?

ମଙ୍କିପକ୍ସ ଏକ ବସନ୍ତ ଜାତୀୟ ରୋଗ । ତେବେ ଏହା ମାରାତ୍ମକ ନୁହେଁ । ଏହା ସଂକ୍ରମିତ ଜୀବଙ୍କ ଠାରୁ ମଣିଷକୁ ବ୍ୟାପିଥାଏ । ତାଛଡ଼ା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂକ୍ରମିତ ଚର୍ମ, ଘା, ନିଶ୍ୱାସରେ ନିର୍ଗତ ତରଳ କଣିକା ଆଦି ସଂସ୍ପର୍ଶରେ ଆସିଲେ ଏପରିକି ଶାରିରୀକ ସମ୍ପର୍କ ରଖିଲେ ମଧ୍ୟ ସୁସ୍ଥ ଲୋକଙ୍କୁ ବ୍ୟାପିବାର ଆଶଙ୍କା ରହିଛି । ମଙ୍କିପକ୍ସ ସଂକ୍ରମଣର ଲକ୍ଷଣ ଗୁଡ଼ିକ ହେଲା ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ପୀଡ଼ା, ପିଠି ବ୍ୟଥା, ହାଲିଆ ଲାଗିବା, ଲିମ୍ଫ୍ ନୋଡ୍ ବା ଗ୍ରନ୍ଥି ଫୁଲିଯିବା, ହାତ ଓ ମୁହଁରେ କୁଣ୍ଡିଆ ଦେଖାଦେବା ଇତ୍ୟାଦି । ମଙ୍କିପକ୍ସରେ ସଂକ୍ରମିତ ହେଲେ ରୋଗୀଙ୍କୁ ସୁସ୍ଥ ହେବାକୁ ୨-୩ ସପ୍ତାହ ସମୟ ଲାଗିଥାଏ ।