• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗାଇନାକୋମାଷ୍ଟିଆ..ଅନେକେ ହୁଏତ ଆଗରୁ କେବେ ଏହି ରୋଗର ନାଁ ଶୁଣିନଥିବେ । ହେଲେ ଏହାର ଲକ୍ଷଣ କହିଲେ, ସହଜରେ ଜାଣିଯିବେ। ପୁରୁଷଙ୍କ ସ୍ତନବୃଦ୍ଧି ସମସ୍ୟା । ଏବେ ଅଧିକ ସଂଖ୍ୟାରେ ଟିନ୍-ଏଜର୍ ଏହି ଗାଇନାକୋମାଷ୍ଟିଆ କବଳରେ ପଡ଼ୁଛନ୍ତି । କିଏ ଲାଜରେ କାହାକୁ କିଛି କହିପାରୁନି, ତ କିଏ ହେଳା ହେଳାରେ ରହିଯାଉଛି । ହେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଆତଙ୍କିତ ନହୋଇ କିଛି ସତର୍କତା ଅବଲମ୍ବନ କଲେ ଏବଂ ଡାକ୍ତରଙ୍କ ପରାମର୍ଶ ନେଲେ ଏହି ସମସ୍ୟାର ସମାଧାନ ସମ୍ଭବ । ତେବେ ଏହି ରୋଗର କାରଣ କଣ ଜାଣିଛନ୍ତି ? ଫାଷ୍ଟଫୁଡ୍ ଓ ମୋଟାପା ।

କିଶୋରାବସ୍ଥାରେ ପୁଅଙ୍କ ଛାତିରେ ଦେଖାଯାଉଛି କି ପରିବର୍ତ୍ତନ? ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଛି କି ପୁଅପିଲାଙ୍କ ସ୍ତନର ଆକାର? ଯଦି ହଁ, ତେବେ ସଂକୋଚ କରନ୍ତୁନି କି ଏହାକୁ ହେଳା କରନ୍ତୁନି। ତୁରନ୍ତ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ । କାରଣ ଇଏ ଏକ ରୋଗ ବି ହୋଇପାରେ। ଯାହାର ନାଁ-ଗାଇନାକୋମାଷ୍ଟିଆ । ଯଦିଓ ଏହି ସମସ୍ୟା ଯେକୌଣସି ବୟସର ପୁରୁଷଙ୍କ ଠାରେ ଦେଖାଦେଇପାରେ; ତଥାପି 'ଟିନ-ଏଜର୍'ଙ୍କ ଠାରେ ଏବେ ଅଧିକ ମାତ୍ରାରେ ପ୍ୟୁବର୍ଟାଲ୍ ଗାଇନାକୋମାଷ୍ଟିଆ ଦେଖାଯାଉଛି। ଯେଉଁଥିରେ ୧୨ରୁ ୧୮ ବର୍ଷର ବୟସର ପୁଅପିଲାଙ୍କ ସ୍ତନର ଆକାର ବଢ଼ିଯାଏ, ତାହା ଫୁଲିଯାଏ, ସେଠାରେ ଦରଜ ମଧ୍ୟ ରହେ ।

ଯଦିଓ ଅଧିକାଂଶ କ୍ଷେତ୍ରରେ ଏହା ଆପେ ଆପେ ଭଲ ହୋଇଯାଏ ଏବଂ ଛାତି ମଧ୍ୟ ସ୍ୱାଭାବିକ ହୋଇଯାଏ, ତଥାପି କିଛି ପିଲାଙ୍କ ଠାରେ ସେଭଳି ହୁଏନି । ଚିକିତ୍ସା ଦରକାର ପଡ଼େ। ଖାସ୍ କରି, ସ୍ତନର ଆକାର ବୃଦ୍ଧି ଆରମ୍ଭ ହେବାର ୬ ମାସରୁ ବର୍ଷେ ଭିତରେ, ଯେଉଁ ସମୟରେ ଦରଜ ଥାଏ, ସେହି ସମୟରେ ଔଷଧ ଦ୍ୱାରା ଏହାକୁ ଭଲ କରିହେବ । ନଚେତ୍ ସମସ୍ୟା ପୁରୁଣା ହୋଇଗଲେ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିବ ବୋଲି ସତର୍କ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

କିଶୋରାବସ୍ଥାରେ ଗାଇନାକୋମାଷ୍ଟିଆ ବା ପୁଅ ପିଲାଙ୍କ ସ୍ତନବୃଦ୍ଧିର କାରଣ କଣ ? କଣ କଲେ ଦେଖାଦେବନି ଏଭଳି ସମସ୍ୟା ? ଡାକ୍ତରଙ୍କ କହିବା କଥା, ପିଲାଟି ଯେତେବେଳେ ଯୁବାବସ୍ଥା ଆଡ଼କୁ ଗତି କରୁଥାଏ, ତା’ ଶରୀରରେ ଅନେକ ହରମୋନଗତ ପରିବର୍ତ୍ତନ ଘଟେ । ତେବେ ପୁଅ ପିଲାଟି ଯଦି ମେଦବହୁଳତା ବା ମୋଟାପାର ଶିକାର ହୁଏ, ତେବେ ତା ଶରୀରରେ ଟେଷ୍ଟଷ୍ଟିରନ ପରିବର୍ତ୍ତେ ଇଷ୍ଟୋଜେନ୍ ହରମୋନର ମାତ୍ରା ବୃଦ୍ଧିପାଏ, ଯାହାକି ଝିଅଙ୍କ ହରମୋନ୍ । ତେଣୁ ମୋଟାପଣ ସୃଷ୍ଟି କରୁଥିବା ଖାଦ୍ୟ ଯଥା- ଫାଷ୍ଟଫୁଡ୍, ପ୍ରୋସେସ୍ଡ ଫୁଡ୍, ପ୍ରୋସେସ୍ଡ ଚିକେନ୍ ଆଦି ଖାଇଲେ, ଖେଳକୁଦ ନକଲେ, ଶାରିରୀକ ବ୍ୟାୟାମ ନକଲେ ଗାଇନାକୋମାଷ୍ଟିଆ ଦେଖାଦେବାର ଆଶଙ୍କା ଥାଏ । ଆଉ କିଛି କ୍ଷେତ୍ରରେ ଅନିୟନ୍ତ୍ରିତ ହରମୋନ କିମ୍ବା ଯକୃତ ବା ଲିଭର୍ ଜନିତ ସମସ୍ୟା ଯୋଗୁଁ ବି ଏଭଳି ଘଟିଥାଏ ।

କେବଳ କିଶୋରାବସ୍ଥାରେ ନୁହେଁ, ଯେକୌଣସି ବୟସରେ ଏପରିକି ବୃଦ୍ଧାବସ୍ଥାରେ ବି ଗାଇନାକୋମାଷ୍ଟିଆ ବା ପୁରୁଷଙ୍କ ସ୍ତନବୃଦ୍ଧି ଘଟେ। ମଦ୍ୟପାନ କରୁଥିବା ଏବଂ ଲିଭର୍ ସମସ୍ୟା ଥିବା ଲୋକଙ୍କ ଠାରେ ଏହା ଅଧିକ ମାତ୍ରାରେ ଦେଖାଯାଏ ।

  • Reported by:
  • KAPILENDRA PRADHAN