• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଏବର ବିଶ୍ୱ କ୍ରିକେଟରେ ଭାରତ ଏକ ପାୱାର ହାଉସ୍ । ଅନ୍‌ ଫିଲଡରେ ଯେତେ ଶକ୍ତଶାଳୀ ହେଉ ପଛେ ଅଫ୍ ଫିଲଡରେ ତା’ର ଶହେ ଗୁଣ ଶକ୍ତିଶାଳୀ ହେଉଛି ଭାରତମାନେ ବିସିସିଆଇ। କ୍ରିକେଟ ପ୍ରଶାସନରେ ବିସିସିଆଇର ବହୁତ ଦବଦବା। ଯାହା ଚାହିଁଲେ, ତାହା କରିପାରୁଛି। ଚକ୍ରବର୍ତ୍ତୀ ସମ୍ରାଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ବିସିସିଆଇ ଯାହା କହିବ, ତାହା ଆଇସିସି ଓ ଅନ୍ୟ ବୋର୍ଡ ମାନିବାକୁ ଏକ ପ୍ରକାର ବାଧ୍ୟ। ଏହାର କାରଣ ହେଉଛି ବିସିସିଆଇର ମନି ପାୱାର। ଭାରତୀୟ କ୍ରିକେଟ ଟିମ୍ ଏବେ ବହୁତ ଟଙ୍କା ରୋଜଗାର କରିପାରୁଛି। ରୂପିୟା ବୋଲତା ହୈ ଔର୍ ଯବ୍ ରୂପିୟା ବୋଲତା ହେ ତୋ ସବ୍ ସୁନତେ ହେ। ଇଚ୍ଛା ଥାଉ କି ବାଧ୍ୟବାଧକତାରେ, ଶୁଣିବାକୁ ବାଧ୍ୟ।

କିନ୍ତୁ ୩୦-୩୫ ବର୍ଷ ତଳେ ଏପରି ସ୍ଥିତି ନଥିଲା । ଦିନ ଥିଲା ବିଶ୍ୱକପ୍ ଫାଇନାଲ ପାଇଁ ବିସିସିଆଇ ବସ୍‌ଙ୍କୁ ମାତ୍ର ଦୁଇଟି ପାସ୍ ମିଳିଥିଲା। ଭାବି ପାରୁଛନ୍ତି ସେ ଦିନର କଥା, ଆଉ ଏବେର ବିସିସିଆଇ ବସ୍‌ଙ୍କ କେତେ କ୍ଷମତା। ସେହି ଦୁଇଟି ପାସ୍‌ରୁ ଏବେ ପୂରା କ୍ରିକେଟ ଜଗତକୁ ନିଜ ଇଚ୍ଛା ଅନୁସାରେ ନଚାଇ ପାରୁଥିବା ବିସିସିଆଇ କେମିତି ଶକ୍ତିଶାଳୀ ହେଲା- ଜାଣିବା ଏହି ରିପୋର୍ଟରୁ....


୧୯୮୩ରେ ବିଶ୍ୱକପ୍ କ୍ରିକେଟରେ ହୋଇଥିଲା ଚମତ୍କାର। ଏହା କେବଳ ଯେ ଭାରତର କ୍ରିକେଟକୁ ବଦଳାଇ ଦେଇଥିଲା, ତାହା ନୁହେଁ, ପୂରା ବିଶ୍ୱ କ୍ରିକେଟକୁ ବଦଳାଇ ଦେଇଥିଲା। ଚାମ୍ପିୟନ ତ ଭାରତ ହୋଇଥିଲା, କିନ୍ତୁ ସେହି ସମୟର ଏକ ଘଟଣା ଭାରତୀୟ କ୍ରିକେଟର ଭାଗ୍ୟ ବଦଳାଇ ଦେଇଥିଲା। ଏହା କିନ୍ତୁ ଭାରତ ଚାମ୍ପିୟନ ହେବା ସହିତ ଜଡ଼ିତ ନୁହେଁ । ଆଉ ଏକ ଭିନ୍ନ ଘଟଣା...

ଅଣ୍ଡର ଡଗ୍ ହୋଇଥିଲେ ମଧ୍ୟ ଫାଇନାଲରେ ପହଞ୍ଚିଥିଲା ଭାରତ। ଏହାକୁ ନେଇ ସାରା ଦେଶରେ ହୋଇଥିଲା ୟୁଫୋରିଆ। ବଡ଼ ବଡ଼ ଲୋକେ ଫାଇନାଲ ଦେଖିବାକୁ ଇଂଲଣ୍ଡ ଯାଇଥିଲେ। ଏପରିକି ସ୍ୱତନ୍ତ୍ର ଫ୍ଲାଇଟ ବ୍ୟବସ୍ଥା ବି ହୋଇଥିଲା। ସେତେବେଳେ ବିସିସିଆଇ ସଭାପତି ଥିଲେ ଏନପିକେ ସାଲଭେ। ସେ କେନ୍ଦ୍ରରେ ଥିବା କଂଗ୍ରେସ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। ଲର୍ଡସରେ ଭାରତ-ୱେଷ୍ଟଇଣ୍ଡିଜ ୧୯୮୩ ଫାଇନାଲ ଦେଖିବାକୁ ଯାଇଥିଲେ। ଯେହେତୁ ଆଶାତୀତ ଭାବେ ଭାରତ ଫାଇନାଲକୁ ଯାଇଥିଲେ, ବହୁ ଲୋକେ ସ୍ୱଚକ୍ଷୁରେ ଫାଇନାଲ ଦେଖିବାକୁ ପାସ୍ ମାଗିଥିଲେ ସାଲଭେଙ୍କୁ । କିନ୍ତୁ ବିସିସିଆଇ ସଭାପତି ଭାବେ ତାଙ୍କୁ ମାତ୍ର ଦୁଇଟି ପାସ୍ ମିଳିଥିଲା। ଏହି ଅପମାନ ତାଙ୍କୁ ବହୁତ ବାଧିଥିଲା।

ସବୁଠାରୁ ବଡ଼ କଥା ହେଲା ଇନ୍ଦିରା ଗାନ୍ଧିଙ୍କ ଖାସ୍ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟଙ୍କୁ ମିଳିନଥିଲା ପାସ୍। ଏହାକୁ ଏକ ଅପମାନ ବୋଲି ଭାବିଥିଲେ ରାୟ ଓ ସାଲଭେଙ୍କୁ ଫୋନ୍ କରିଥିଲେ। ସାଲଭେ ଓ ରାୟ ପ୍ରତିଜ୍ଞା କରିଥିଲେ-ଭାରତରେ କରିବେ କ୍ରିକେଟ ବିଶ୍ୱକପ୍।୧୯୮୩ ର ଫାଇନାଲ ଭାରତ ଜିତିଥିଲେ ମଧ୍ୟ ସେ ବେଶି ସମୟ ଏହି ଖୁସିରେ ମାତିନଥିଲେ। ଫାଇନାଲ ପର ଦିନ ହିଁ ପାକିସ୍ତାନ ବୋର୍ଡର ସଭାପତି ଏୟାର ମାର୍ଶଲ ନୁର୍ ଖାନଙ୍କ ସହିତ କଥା ହେଲେ ସାଲଭେ। କହିଲେ-ଆଉ ନୁହେଁ । ଇଂରେଜମାନଙ୍କୁ ଭାରତକୁ ତଡ଼ିବା ପରେ କ୍ରିକେଟକୁ ମଧ୍ୟ ଆମ ଭାରତକୁ ଆଣିବାକୁ ପଡ଼ିବ। ପାକିସ୍ତାନ ପୁରା ସମର୍ଥନ କଲା। ଏହା ପରେ ଉଭୟେ ମିଶି ଏସିଆ ମହାଦେଶକୁ ବିଶ୍ୱକପ୍ ଆଣିବାର ଯୋଜନା ହେଲା। ୧୯୮୭ ବିଶ୍ୱକପ୍ ପାଇଁ ବିଡ୍ କରିବାକୁ ନିଷ୍ପତ୍ତି ନିଆହେଲା।

ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସହିତ କଥା ହେଲେ ସାଲଭେ। ମିଳିଗଲା ଇନ୍ଦିରାଙ୍କ ସମର୍ଥନ। ତା ପରେ ଉଭୟ ଭାରତ ଓ ପାକିସ୍ତାନ ମିଶି କରି ୧୯୮୭ ବିଶ୍ୱକପ୍ ଆୟୋଜନ ପାଇଁ ବିଡ୍ କରିଥିଲେ। ଏହାକୁ ପାକିସ୍ତାନର ରାଷ୍ଟ୍ରପତି ଜେନେରାଲ ଜିଆ ଉଲ୍ ହକ୍ ମଧ୍ୟ ସମର୍ଥନ କରିଥିଲେ। ସୁସଂପର୍କ ପାଇଁ ଉଭୟ ଦେଶ ଅନେକ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏପରିକି ଜିଆ ଉଲ୍ ହକ୍ ଜୟପୁରକୁ ଏକ ଟେଷ୍ଟ ମ୍ୟାଚ ଦେଖିବାକୁ ଆସିଥିଲେ।

ସେତେବେଳେ ପ୍ରତି ମ୍ୟାଚ ପିଛା ପ୍ରତ୍ୟେକ ଟିମକୁ ଇଂଲଣ୍ଡ ବୋର୍ଡ ପକ୍ଷରୁ ୨୦ ହଜାର ପାଉଣ୍ଡ ଦିଆଯାଉଥିଲା। ୧୯୮୭ ବିଶ୍ୱକପ୍ ପାଇଁ ଭାରତ ତରଫରୁ ଅଫର୍ ଦିଆଗଲା ୪୦ ହଜାର ପାଉଣ୍ଡ। ଫଳରେ ବାକି ଦେଶ ମଧ୍ୟ ବିସିସିଆଇକୁ ସମର୍ଥନ କଲେ। ଭାରତ ପାଇଲା ବିଶ୍ୱକପ୍ ଆୟୋଜନ ଅଧିକାର।
ଏହା ପରେ ସଫଳ ଆୟୋଜନ ଓ କ୍ରିକେଟକୁ ବିଜନେସର ରୂପ ଦେବା ପାଇଁ ଧୀରୁ ଭାଇ ଅମ୍ବାନିଙ୍କୁ ଟିମ୍‌ରେ ସାମିଲ କରାଗଲା। ସେ ଆଣିଥିଲେ ସ୍ପୋନସରସିପ। ଏପରିକି ନିଜେ ପ୍ରଥମେ ୪ ଶହ କୋଟି ଟଙ୍କା ଦେଲେ। ଟ୍ରଫିର ନାଁ ରଖାଗଲା ରିଲାଏନ୍ସ କପ୍। ଆଗରୁ ତାହା ପ୍ରୁଡେନସିଆଲ କପ୍ ଥିଲା। କ୍ରିକେଟ ବ୍ୟାପାରକୁ ଛାଡ଼ି ୧୯୮୭ ବିଶ୍ୱକପ୍ ଆୟୋଜନରେ ଏକ ପୁରା ଦାୟିତ୍ୱ ଧୀରୁ ଭାଇଙ୍କ ସାନ ପୁଅ ଅନୀଲ ଅମ୍ବାନିଙ୍କୁ ଦିଆଯାଇଥିଲା। ସେ ବିଜନେସ୍ ଆକୁମେନ୍ ପ୍ରୟୋଗ କରି ଏହାକୁ ସଫଳ କରିଥିଲେ। ଆଉ ଯାହା ହେଲା-ତା ହେଲା ଇତିହାସ। ସେତେବେଳର ରାଜୀବ ଗାନ୍ଧି ସରକାରର ମଧ୍ୟ ବଡ଼ ଅବଦାନ ଥିଲା। ୧୯୮୭ରେ ପ୍ରଥମ ଥର ଇଂଲଣ୍ଡ ବାହାରେ ହେଲା କ୍ରିକେଟ ବିଶ୍ୱକପ୍। ରାମାୟଣ, ମହାଭାରତ ଯୁଗରେ ସବୁ ପ୍ରାଇଭେଟ ଚ୍ୟାନେଲକୁ ପରାସ୍ତ କରି ଦୂରଦର୍ଶନକୁ ମିଳିଥିଲା ପ୍ରସାରଣ ଦାୟିତ୍ୱ। ଯାହାକି ଏକ ଐତିହାସିକ ।

ସମୟ କ୍ରମେ ୧୯୯୧ ରେ ଭାରତୀୟ ଅର୍ଥନୀତିରେ ହେଲା ବୈପ୍ଲବିକ ପରିବର୍ତ୍ତନ। ୧୯୯୬ରେ ପାକିସ୍ତାନ ଓ ଶ୍ରୀଲଙ୍କା ସହିତ ମିଶି ଭାରତକୁ ପୁଣି ଥରେ ବିଶ୍ୱକପ୍ ଆୟୋଜନ ଅଧିକାର ପାଇଲା। ଯେଉଁକାମ ସାଲଭେ ଆରମ୍ଭ କରିଥିଲେ-ବିସିସିଆଇ ସଭାପତି ଜଗମୋହନ ଡାଲମିଆଙ୍କ ସମୟରେ ତାହା ଚରମ ସୀମାରେ ପହଞ୍ଚିଥିଲା।

ସମୟ କ୍ରମେ ଭାରତରେ କ୍ରିକେଟର ଲୋକପ୍ରିୟତା ବଢ଼ିଲା। ଅର୍ଥନୀତି ଦୃଷ୍ଟିରୁ ଭାରତର ଚେହେରା ବଦଳିଲା। ଟିଭି ଜରିଆରେ ଘରେ ଘରେ ପହଞ୍ଚିଲା କ୍ରିକେଟ ଖବର। ଆସିଲା ସ୍ପୋନସରସିପ୍। ମିଡିଆ ପ୍ରସାରଣ ଅଧିକାର ବଳରେ ହଜାର ହଜାର କୋଟି ଟଙ୍କା ରୋଜଗାର କଲା ବିସିସିଆଇ। ଏହିପରି ଭାବେ କ୍ରିକେଟରେ ଭାରତ ମହାଶକ୍ତିଶାଳୀ ହେଲା। ୧୯୮୩ ଓ ୨୦୨୩ ମଧ୍ୟରେ ଏବେ ଆକାଶ ପାତାଳ ତଫାତ୍। ତୃତୀୟ ଦଫାରେ ଆସିଲା ଆଇପିଏଲ୍। ଟଙ୍କା ରୋଜଗାରରେ ଏହା ବିପ୍ଲବ ଆଣିଛି। ୨୦୦୮ରେ ଟ୍ୱି-ଟ୍ୱେଣ୍ଟିର ଏହି ଫର୍ମାଟ ବିଶ୍ୱ କ୍ରିକେଟରେ ବିସିସିଆଇକୁ ଅପ୍ରତିଦ୍ୱନ୍ଦ୍ୱୀ ସମ୍ରାଟ କରିଛି।

ଭବାନୀ ଶଙ୍କର ପଟେଲ

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now