ଘରେ ଆମେ ମଟନର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କୁ ମଟନର ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମଟନ୍ ବେସର’ । ଏହି ରେସିପିଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ମଟନ୍ ବେସର ବନେଇବା ପାଇଁ ସାମଗ୍ରୀ:
ମଟନ-୫୦୦ ଗ୍ରାମ୍,କଟା ଟମାଟୋ,କଟା ପିଆଜ,ସୋରିଷ,ଜିରା,ରସୁଣ,ଧନିଆ ପତ୍ର,ସୋରିଷ ତେଲ ଓ ସ୍ୱାଦନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ମଟନକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ ।
- ଏହାପରେ ସୋରିଷ,ଜିରା ଓ ରସୁଣକୁ ଭଲଭାବେ ବାଟି ବେସର ମସଲା ପ୍ରସ୍ତୁତ କରନ୍ତୁ ।
- ଏହାପରେ ଧୁଆହୋଇ ରହିଥିବା ମଟନରେ ସୋରିଷ,ଜିରା,ରସୁଣରେ ପ୍ରସ୍ତୁତ ମସଲା ଓ ଅଳ୍ପ ତେଲ ପକାଇ ଗୋଳାଇ ରଖନ୍ତୁ ।
- ମଟନ୍ ଓ ମସଲାକୁ ଭଲଭାବେ ଗୋଳାଇ ଏକ ପାତ୍ରରେ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ରଖନ୍ତୁ ।
- ଏହାପରେ ଚୁଲିରେ କଡେଇ ବସାଇ ସେଥିରେ ତେଲ ପକାନ୍ତୁ ।
- ତେଲ ଗରମ ହୋଇଗଲା ପରେ ସେଥିରେ କଟା ପିଆଜକୁ ପକାନ୍ତୁ ।
- ପିଆଜ ଭାଜି ହୋଇ ଅଳ୍ପ ଲାଲ୍ ହୋଇଗଲା ପରେ ସେଥିରେ ଆଗରୁ ରଖାଯାଇଥିବା ମଟନ୍ ଓ ମସଲାର ମିଶ୍ରଣକୁ ପକାନ୍ତୁ ।
- ଏହାପରେ ମଟନ୍ ଓ ମସଲାକୁ କିଛି ସମୟ ଭଲଭାବେ କଷି ସେଥିରେ ଅଳ୍ପ ପାଣି ଦିଅନ୍ତୁ । ମନେରଖନ୍ତୁ ଏଥିରେ ଅଳ୍ପ ପାଣି ଦେବେ । ଯାହା ଦ୍ୱାରା ଏହାର ଝୋଳ ବହଳିଆ ରହିବ ।
- ମଟନ୍ ସିଝିବା ପାଇଁ ଏହାକୁ କିଛି ସମୟ ଘୋଡାଇ ଦିଅନ୍ତୁ ।
- ଏହାପରେ ଘୋଡଣୀ କାଢି କଡେଇରେ କଟା ଟମାଟୋ ପକାନ୍ତୁ ।
- ଏହାପରେ ଟମାଟୋ ଓ ମଟନକୁ ଭଲ ଭାବେ ଗୋଳାଇ ଢାଙ୍କୁଣୀକୁ ଦେଇ ଦିଅନ୍ତୁ ।
- ମଝିରେ ମଝିରେ ଘୋଡ଼ଣୀ କାଢି ମଟନ୍ ସିଝିଛି କି ନାହିଁ ଦେଖୁଥାନ୍ତୁ ।
- ମଟନ୍ ସିଝିଯିବା ପରେ ଚୁଲିକୁ ବନ୍ଦ କରି ଧନିଆ ପତ୍ର ପକାଇ ଏକ ପାତ୍ରରେ ରଖନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ମଟନ୍ ବେସର । ଏହି ରେସିପିଟିକୁ ଗରମ ଭାତ ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।