ଘରକୁ କୁଣିଆ ଆସିଲେ କଣ ରୋଷେଇ କରିବେ ତାହାକୁ ନେଇ ସବୁ ଗୃହିଣୀଙ୍କ ଚିନ୍ତା ବଢିଯାଏ । ଛତୁରେ ଆପଣ ଏକ ରେସିପି ତିଆରି କରି ବନ୍ଧୁବାନ୍ଧବଙ୍କୁ ପରଷି ପାରିବେ । ଛତୁର ବିଭିନ୍ନ ପ୍ରକାରର ରେସିପି ଘରେ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ସ୍ୱାଦିଷ୍ଟ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମସ୍ରୁମ୍ ପରଟା’। ଏହି ରେସିପିଟିକୁ ଆପଣ ମାନେ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଚାଲନ୍ତୁ, ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
‘ମସ୍ରୁମ୍ ପରଟା’’ ବନେଇବା ପାଇଁ ସାମଗ୍ରୀ:
ଛତୁ, ଅଟା,ମଇଦା, ଲୁଣ,ଜୁଆଣି,ଘିଅ,ଗୋଲମରିଚ ଗୁଣ୍ଡ,କଟା ପିଆଜ,କଟା କଞ୍ଚା ଲଙ୍କା,କଟା ଅଦା,ଲଙ୍କା ଗୁଣ୍ଡ,ଚାଟ୍ ମସଲା,ଆମଚୁର ପାଉଡର,କଟା ଧନିଆ ପତ୍ର,ତେଲ ଓ ସ୍ୱାଦନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଏକ ପାତ୍ରରେ ଅଟା, ଲୁଣ, ମଇଦା, ଜୁଆଣି ଓ ଘିଅ ନେଇ ଭଲ ଭାବେ ଗୋଳାନ୍ତୁ । ଏହା ପରେ ଅଳ୍ପ ଅଳ୍ପ ପାଣି ଦେଇ ଅଟାକୁ ଚକଟି ଦିଅନ୍ତୁ ।
- ଅଟା ଚକଟି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ କିଛି ସମୟ ଏକ ପାତ୍ରରେ ରଖି ଦିଅନ୍ତୁ ।
- ଏହାପରେ ଚୁଲିରେ କଡେଇ ବସାଇ ତେଲ ପକାନ୍ତୁ । ତେଲ ଗରମ ହୋଇଗଲା ପରେ କଟା ଛତୁକୁ ପକାଇ ଅଳ୍ପ ଲୁଣ ଦେଇ ଓ ଗୋଲମରିଚ ଗୁଣ୍ଡ ଦେଇ କିଛି ସମୟ ଭାଜନ୍ତୁ ।
- ଏହାପରେ ଏଥିରେ କଟା କଞ୍ଚା ଲଙ୍କା, କଟା ପିଆଜ, କଟା ଅଦା, ଲଙ୍କା ଗୁଣ୍ଡ, ଚାଟ୍ ମସଲା, ଆମଚୁର ପାଉଡର ଓ କଟା ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ ।
- ଏହାପରେ ମିଶ୍ରଣକୁ ଭଲ ଭାବେ ଭାଜନ୍ତୁ । ମସଲା ପ୍ରସ୍ତୁତ ହୋଇଯିବା ପରେ ଏହାକୁ କାଢ଼ି ଥଣ୍ଡା କରି ଏକ ପାତ୍ରରେ ରଖନ୍ତୁ ।
- ଏହାପରେ ଆଗରୁ ଚକଟା ହୋଇଥିବା ଅଟାକୁ ଗୁଳା କରନ୍ତୁ ଓ ଏହାକୁ ଅଳ୍ପ ବେଲି ଏହା ମଝିରେ ଛତୁ ପୁର ଦେଇ ପୁଣି ବନ୍ଦ କରିଦିଅନ୍ତୁ ।
- ଏହା ପରେ ସେହି ଗୁଳା ଗୁଡିକୁ ରୁଟି ବା ପରଟା ପରି ବେଲନ୍ତୁ ।
- ଏହାପରେ ଚୁଲିରେ ତାୱା ବସାଇ ପରଟାକୁ ସେକନ୍ତୁ । ପରଟାର ଦୁଇ ପଟ ଭଲ ଭାବେ ସେକି ହୋଇଗଲା ପରେ ତେଲ ପକାଇ ଏପଟ ସେପଟ କରନ୍ତୁ। ପରଟା ଗୁଡିକ ଏକ ପାତ୍ରକୁ କାଢି ଦଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ମସ୍ରୁମ୍ ପରଟା’। ଏହି ରେସିପିଟିକୁ ଚଟଣି, ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।