ଚିକେନରେ ଆପଣ ବିଭିନ୍ନ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି । ଏହି ରେସିପିଟିକୁ ଆପଣ ଲଞ୍ଚ୍ରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଚିକେନ ଭୁନା ମସାଲା’ । ଏହି ରେସିପିଟିକୁ ଆମେ ଅତି ସହଜ ଓ ସରଳ ଉପାୟରେ ବନେଇବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
‘ଚିକେନ ଭୁନା ମସାଲା’ ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ:
ଚିକେନ, ଲୁଣ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଧନିଆ, ହଳଦି, ଦହି କିମ୍ବା ଲେମ୍ବୁ, ପିଆଜ, ଅଦା,ରସୁଣ, ଗୋଟା ଧନିଆ, କଳା ମରିଚ, ଗୋଲମରିଚ, ଅଳେଇଚ, ସାହି ଜିରା, ବଡ ଅଳେଇଚ, ଲବଙ୍ଗ, ଧନିଆ ପତ୍ର, ଦହି ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚିକେନକୁ ଧୋଇ ସେଥିରେ ଲୁଣ, ରିଫାଇନ ତେଲ, ଲଙ୍କା ଗୁଣ୍ଡ, ଧନିଆ, ହଳଦି, ଦହି କିମ୍ବା ଲେମ୍ବୁ, ଅଦାରସୁଣ ପେଷ୍ଟ ପକାଇ ମ୍ୟାରିନେଟ କରି ଦିଅନ୍ତୁ ।
- ସେଥିରେ କିଛି ପିଆଜକୁ ସ୍ଲାଇସ୍ କରି କାଟି ପକାଇ ପ୍ରାୟ ୧ ଘଣ୍ଟା ଛାଡ଼ି ଦିଅନ୍ତୁ।
- ଏହାପରେ ଏକ କଡ଼େଇରେ ଗୋଟା ଧନିଆ, କଳା ମରିଚ, ଗୋଲମରିଚ, ଅଳେଇଚ, ସାହି ଜିରା, ବଡ ଅଳେଇଚ, ଲବଙ୍ଗ, ଲୁଣ ପକାଇ ଭଲ ଭାବେ ଭାଜି ଦିଅନ୍ତୁ।
- ଥଣ୍ଡା ହେବା ପରେ ତାହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ।
- ଏହାପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ।
- ତେଲ ଗରମ ହେବା ପରେ ସେଥିରେ ଚିକେନ ପକାଇ ଫ୍ରାଏ କରନ୍ତୁ।
- ଉଭୟ ପଟ ଗୋଲଡେନ କଲର ହେବ ଯାଏ ଫ୍ରାଏ କରନ୍ତୁ।
- ଏହାପରେ ଆଉ ଏକ କଡ଼େଇରେ ତେଲ ପକାନ୍ତୁ।
- ସେଥିରେ ତେଜପତ୍ର, ଗୋଲମରିଚ ପକାଇ ପିଆଜକୁ ଗୋଲଡେନ ଫ୍ରାଏ କରନ୍ତୁ।
- ଏହାପରେ ସେଥିରେ କିଛି ପାଣି ପକାନ୍ତୁ। ପାଣି ଫୁଟିଲେ ସେଥିରେ ଚିକେନ ଫ୍ରାଏ ପକାନ୍ତୁ।
- ଏହାକୁ ଘୋଡ଼ାଇ ୧୦ ମିନିଟ ଯାଏ ଛାଡ଼ି ଦିଅନ୍ତୁ।
- ଏହା ଅଧା ସିଝିଗଲା ପରେ ସେଥିରେ ଦହି ପକାନ୍ତୁ।
- ଏହାପରେ ତାହା ଉପରେ ଗ୍ରାଇଣ୍ଡିଂ ହୋଇଥିବା ଡ୍ରାଏ ମସଲାକୁ ପକାଇ ଦିଅନ୍ତୁ ।
- ଏହାପରେ ସେଥିରେ ଧନିଆପତ୍ର ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ଚିକେନ ଭୁନା ମସାଲା’ । ଏହି ରେସିପିଟିକୁ ରୁଟି କିମ୍ବା ପରଟା ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।