ବର୍ଷା ଦିନେ ସଂଧ୍ୟାରେ ଆମ ଘର ମାନଙ୍କରେ ବିଭିନ୍ନ ଜଳଖିଆ ପ୍ରସ୍ତୁତ ହୋଇଥାଏ । ସାଧାରଣତଃ ଚଟପଟା ସ୍ନାକ୍ସ ଖାଇବାର ମଜା ନିଆରା । ତେବେ ଘରେ ତିଆରି ହୋଇଥିବା ସ୍ନାକ୍ସ ଖାଇବା ପାଇଁ ଯେତିକି ସୁଆଦିଆ ଓ ସେତିକି ସ୍ୱାସ୍ଥ୍ୟକର । ଆଜି ଆମେ ଆପଣମାନଙ୍କୁ ପନିର ଓ ବାଦାମରେ ତିଆରି ଏକ ସହଜ ଓ ଚଟପଟା ସ୍ନାକ୍ସ ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ପନିର-ବାଦାମ ଟିକ୍କି’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା
‘ପନିର-ବାଦାମ ଟିକ୍କି’ ବନେଇବା ପାଇଁ ସାମଗ୍ରୀ: ପନୀର, ସିଝା ଆଳୁ ଚକଟା, କର୍ଣ୍ଣଫ୍ଲୋର ରିଫାଇନ୍ ତେଲ, କଞ୍ଚା ଲଙ୍କା, ଅଦା, ଜିରା, ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ପିସ୍ତା ବାଦାମ, ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ:
-ପ୍ରଥମେ ଏକ ପାତ୍ରରେ ପନୀର୍ ଓ ସିଝା ଆଳୁରେ ଅଳ୍ପ ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ।
-ଏହାପରେ ପିସ୍ତା ବାଦାମକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ ।
-ଏବେ ଏକ କଡ଼େଇରେ ମଧ୍ୟମ ଆଞ୍ଚରେ ତେଲ ଗରମ କରନ୍ତୁ ।
-ତେଲ ଗରମ ହୋଇଗଲେ ଏଥିରେ ଜିରା ପକାନ୍ତୁ।
-ଜିରା ଫୁଟିଗଲା ପରେ ଏଥିରେ ଅଦା ଓ କଞ୍ଚା ଲଙ୍କା ପକାନ୍ତୁ ।
-ଅଦା ଓ କଞ୍ଚା ଲଙ୍କା ଭାଜି ହୋଇଗଲେ ଏଥିରେ ହଳଦୀ ଗୁଣ୍ଡ ପକାନ୍ତୁ।
-ଏହାପରେ ପନୀର ଓ ଆଳୁ ମିଶ୍ରଣକୁ ପକାନ୍ତୁ।
-ଏହାପରେ ପନୀର ଓ ଆଳୁ ମିଶ୍ରଣରେ ବାଦାମର ପେଷ୍ଟକୁ ପକାନ୍ତୁ ।
- ତା’ପରେ ଲଙ୍କା ଗୁଣ୍ଡ ପକାଇ ଦୁଇରୁ ତିନି ମିନିଟ୍ ଗୋଳାଇବା ପରେ ପ୍ୟାନ୍କୁ ଚୁଲିରୁ ଓହ୍ଲାଇ ଆଣନ୍ତୁ।
-ଏହାପରେ ସେହି ମିଶ୍ରଣ ଥଣ୍ଡା ହେଇଗଲା ପରେ ହାତରେ ସେକା ବରା ଆକାରର କରି ଏକ ପାତ୍ରରେ ରଖନ୍ତୁ
-ଏହାପରେ ଏକ ତାୱା ବା ପ୍ୟାନରେ ତେଲ ପକାନ୍ତୁ । ତେଲ ଗରମ ହୋଇଗଲେ ସେଥିରେ ବରା ଗୁଡିକ ରଖି ଅଳ୍ପ ଆଞ୍ଚରେ ସେକନ୍ତୁ ।
-ବରାର ୨ ପଟ ଅଳ୍ପ ଲାଲ୍ ହୋଇଗଲା ପରେ ଏକ ପାତ୍ରକୁ କାଢି ନିଅନ୍ତୁ ।
ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ପନିର-ବାଦାମ ଟିକ୍କି’ । ଏହି ସ୍ନାକ୍ସ ରେସିପିଟିକୁ ସସ୍ କିମ୍ବା ଚଟଣୀ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ନିଜ ଘର ଲୋକଙ୍କୁ ପରଷନ୍ତୁ ।