• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭାରତୀୟ ରନ୍ଧା ଆଉ ରାନ୍ଧୁଣିଆ..ଲାଜବାବ । ଦେଶରୁ ବିଦେଶ ସବୁଠି ଆମ ଖାଦ୍ୟର ସ୍ୱାଦ ଆଉ ମହକ ପାଟିକୁ ଓଦା କରି ଦେଉଛି । ଆମ ଖାଦ୍ୟକୁ ନେଇ ସବୁଠି ଆଦର, ସବୁଠି ପ୍ରଶଂସା । ୨୦୨୪ରେ ଭାରତୀୟ ସେଫ ଓ ରେଷ୍ଟୁରାଣ୍ଟକୁ ମିଳିଛି ଏକାଧିକ ସମ୍ମାନଜନକ ପୁରସ୍କାର । ଆନ୍ତର୍ଜାତିକ ସ୍ତରରେ ଭାରତର ସ୍ୱତନ୍ତ୍ର ଦେଶୀ ତଥା ଘରୋଇ ସାମଗ୍ରୀ ବ୍ୟବହାରରେ ପ୍ରସ୍ତୁତ ବ୍ୟଞ୍ଜନକୁ ବିଭିନ୍ନ ଶୈଳୀରେ ରଚନାତ୍ମକ ଭାବେ ପରଷି ଏହି ସଫଳତା ପାଇଛନ୍ତି ଆମ ସେଫ । ରନ୍ଧାକୁ ଖାଲି ରୋଷେଇ ଘରେ ସୀମିତ ନ ରଖି ଆନ୍ତର୍ଜାତିକ ବଜାରରେ ଏହାକୁ ପ୍ରତିଷ୍ଠିତ କରାଇ ପାରିଛନ୍ତି ଆମ ରାନ୍ଧୁଣିଆ । ୨୦୨୪ରେ ଏକାଧିକ ରେଷ୍ଟୁରାଣ୍ଟ ଏବଂ ଭାରତୀୟ ଖାଦ୍ୟ ଆନ୍ତର୍ଜାତିକ ସ୍ତରରେ ଆଦୃତ ହୋଇଛି । ଆମ ସେଫମାନେ କେଉଁ କେଉଁ ଖାଦ୍ୟ କେମିତି ବିଶ୍ୱବାସୀଙ୍କୁ ଚଖେଇ ଆମ ଦେଶକୁ ଗୌରାବାନ୍ୱିତ କରିଛନ୍ତି, ଆସନ୍ତୁ ତା ବିଷୟରେ କିଛି ଜାଣିବା ।

୧-ଦୋହାର ‘ଜାମାଭର ଦୋହା’

କତାରର ଦୋହାଠାରେ ଥିବା ‘ଜାମାଭର ଦୋହା’ ଭାରତର ବିଭିନ୍ନ ପ୍ରାନ୍ତରର ସ୍ୱାଦିଷ୍ଟ ଖାଦ୍ୟ ପାଇଁ ବେଶ ପ୍ରସିଦ୍ଧ । ୨୦୨୪ରେ ଦୋହାରେ ଯେଉଁ ଦୁଇଟି ରେଷ୍ଟୁରାଣ୍ଟ ଷ୍ଟାର ମାନ୍ୟତା ପାଇଥିଲେ ତା ମଧ୍ୟରେ ଗୋଟିଏ ରହିଛି ଜାମାଭର ଦୋହା । ଜାମାଭର ଏଲଏସଏଲ କ୍ୟାପିଟାଲ ରେଷ୍ଟୁରାଣ୍ଟ ଗ୍ରୁପର ଗୋଟିଏ ଅଂଶ ଯାହାର ପ୍ରତିଷ୍ଠାତା ହେଉଛନ୍ତି ବାପା-ଝିଅ ଦିନେଶ ନାୟର ଓ ସଂୟୁକ୍ତା ନାୟର । ସେଫ ସୁରେନ୍ଦ୍ର ମୋହନ ଜାମାଭର ଦୋହା ରେଷ୍ଟୁରାଣ୍ଟର ରୋଷେଇର ମୁଖ୍ୟ ନିର୍ଦ୍ଦେଶକ ତଥା କାର୍ଯ୍ୟକାରୀ ସେଫ ଦାୟିତ୍ୱରେ ଅଛନ୍ତି । ଜାମାଭାର ଆଉଟପୋଷ୍ଟ ଭାରତ ଏବଂ ଲଣ୍ଡନରେ ବି ରହିଛି । ଦୋହାରେ ଆୟାଜିତ ମିସେଲିନ ଗାଇଡର ଉଦଘାଟନୀ ସମାରୋହରେ ଜାମାଭର ଦୋହକୁ ମିସେଲିନ ଷ୍ଟାରରେ ସମ୍ମାନିତ କରାଯାଇଛି । କହି ରଖିବୁ, ସବୁଠୁ ଭଲ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରୁଥିବା ରେଷ୍ଟୁରାଣ୍ଟକୁ ଏହି ମିସେଲିନ ଷ୍ଟାର ଆୱାର୍ଡ ମିଳିଥାଏ ।

୨-ଟେକ୍ସସାସର ‘ମୁସାଫିର’

ଟେକ୍ସସାସରେ ରହିଛି ଭାରତୀୟ ରେଷ୍ଟୁରାଣ୍ଟ ମୁସାଫିର । ସ୍ୱାଦିଷ୍ଟ ବ୍ୟଞ୍ଜନ ପରଷି ଏହି ରେଷ୍ଟୁରାଣ୍ଟ ୨୦୨୪ରେ ପାଇଛି ମିଶେଲିନ ଷ୍ଟାର । ମୁସାଫିର ବ୍ୟଞ୍ଜନ ଦାୟିତ୍ୱରେ ଅଛନ୍ତି ସେଫ ମୟଙ୍କ ଇସ୍ତବାଲ । ଏହି ହୋଟେଲର ପ୍ରତିଷ୍ଠାତା ହେଉଛନ୍ତି ଶମ୍ମି ଏବଂ ମିଠୁ ମଲିକ । ହ୍ୟୁଷ୍ଟନର ଏକ ମଲ ‘ଦ ଗାଲେରିଆ’ରେ ରହିଛି ଏହି ରେଷ୍ଟୁରାଣ୍ଟ । ମୁସିଫିରର ମାହୋଲ, ଏହାର ଖାଦ୍ୟ ପରଷିବା ଶୈଳୀ, ସ୍ୱାଦ ବେଶ ରୋମାଞ୍ଚକ ବୋଲି ଏଠିକାର ଲୋକେ କୁହନ୍ତି । ଊର୍ଦ୍ଦୁ ଶବ୍ଦ ମୁସାଫିରର ଅର୍ଥ ହେଉଛି ଯାତ୍ରୀ । ଏହି ରେଷ୍ଟୁରାଣ୍ଟ ପକ୍ଷରୁ ୧୦୦ ଜଣିଆ ଏକ ଟିମ ସାରା ଭାରତ ବୁଲି ବିଭିନ୍ନ ଦେଶୀ ଖାଦ୍ୟବଞ୍ଜନ ତାଲିକା ପ୍ରସ୍ତୁତ କରିଥିଲେ । ସେହି ଅନୁସାରେ ଏଠାରେ ସମ୍ପୂର୍ଣ୍ଣ ଭାରତୀୟ ଶୈଳୀରେ ଏବଂ ସବୁଠାରୁ ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣ କରାଯାଇଥାଏ ।

୩-ଲଣ୍ଡନର ଜିମଖାନା ଓ ବିର୍ମିଙ୍ଘାମର ଓଫେମ

ୟୁନାଇଟେଡ କିଙ୍ଗଡମର ଦୁଇ ଭାରତୀୟ ରେଷ୍ଟୁରାଣ୍ଟ ଲଣ୍ଡନର ଜିମଖାନ ଓ ବିର୍ମିଙ୍ଘାମର ଓଫେମକୁ ବି ମିଳିଛି ଚଳିତ ବର୍ଷର ମିଶେଲିନ ଷ୍ଟାର । ଜିମଖାନା ୨୦୧୪ରେ ପ୍ରଥମ ମିସେଲିନ ଷ୍ଟାର ଜିତିଥିଲା । ଦେଶ ଓ ଦେଶ ବାହାରେ ଥିବା ଭାରତ ଜିମଖାନା କ୍ଲବର ଅନେକ ରେଷ୍ଟୁରାଣ୍ଟ ମଧ୍ୟରୁ ଏହା ଗୋଟିଏ ।

ସେହିପରି ବିର୍ମିଙ୍ଘାମର ଓଫେମ ବିଶେଷ ଭାରତୀୟ ସ୍ୱାଦ ସହିତ ବ୍ରିଟିଶ ସାମଗ୍ରୀ ଉପଯୋଗ କରି ଖାଦ୍ୟ ପ୍ରସ୍ତୁତ କରିବାରେ ପ୍ରସିଦ୍ଧି ଲାଭ କରିଛି । ଏହାର ମୁଖ୍ୟ ସେଫ ଅଛନ୍ତି ଅଖତର ଇସ୍ଲାମ । ୨୦୧୯ରେ ଏହି ରେଷ୍ଟୁରାଣ୍ଟକୁ ମିଳିଥିଲା ପ୍ରଥମ ମିଲେଲିନ ଷ୍ଟାର ।

୪-ବିଶ୍ୱରେ ଭାରତୀୟ ରେଷ୍ଟୁରାଣ୍ଟର ବଢୁଛି ଚାହିଦା

ଆମେରିକାରେ ଅନେକ ଭାରତୀୟ ରେଷ୍ଟୁରାଣ୍ଟ ଏଥର ଏହି ସର୍ବୋଚ୍ଚ ସମ୍ମାନ ପାଇବାର ହକଦାର ହୋଇପାରିଛି । ୨୦୨୪ରେ ମିସେଲିନ ଷ୍ଟାର ଜିତିଥିବା ଆଉ ଏକ ଭାରତୀୟ ରେଷ୍ଟୁରାଣ୍ଟ ହେଉଛି ନ୍ୟୁୟର୍କର ସେମା । ଲଗାତାର ତୃତୀୟ ବର୍ଷ ପାଇଁ ଏହି ରେଷ୍ଟୁରାଣ୍ଟ ସମ୍ମାନଜନକ ପୁରସ୍କାର ମିସେଲିନ ଷ୍ଟାର ବଜାୟ ରଖିପାରିଛି । ସେହିପରି ୱାଶିଂଟନ ଡିସିର ରାନିୟା, ଚିକାଗୋର ଇଣ୍ଡିଆାନ, ବ୍ୟାଙ୍କଙ୍ଗର ଗା(ବିଗତ ବର୍ଷ ବି ଜିତିଥିଲା ଦୁଇଟି ମିଶେଲିନ ଷ୍ଟାର), ବ୍ୟାଙ୍କଙ୍ଗର ହାଓମା ଓ ଇଣ୍ଡି, ହଙ୍କଂର ନ୍ୟୁ ପଞ୍ଜାବ କ୍ଲବ ଏବଂ ଚାଟ ମଧ୍ୟ ଏହି ଷ୍ଟାର ପାଇବାରେ ସଫଳ ହୋଇଥିଲେ । ଏହା ବ୍ୟତୀତ ଦୁବାଇର ତ୍ରେସିଣ୍ଡ ଷ୍ଟୁଡିଓ ଓ ଅଭତାର ମିସେଲିନ ଷ୍ଟାର ପାଇଥିବାବେଳେ, ଲଣ୍ଡନର ବୀରସ୍ୱାମୀ, ବନାରସ, ଜାମଭାର, କ୍ୱିଲନ, ତ୍ରିଷ୍ଣା ଏବଂ ଅମୟ ଆଦି ଭାରତୀୟ ରେଷ୍ଟୁରାଣ୍ଟ ୱାନ ମିସେଲିନ ଷ୍ଟାର ପାଇଛନ୍ତି।

୫-ସେଫ ବିକାଶ ଖନ୍ନଙ୍କ ରେଷ୍ଟୁରାଣ୍ଟକୁ ମିଶେଲିନ ‘ବିବ ଗୋରମଣ୍ଡ’ ଆୱାର୍ଡ

ଉଚିତ ମୂଲ୍ୟରେ ଉତ୍ତମମାନର ଖାଦ୍ୟ ପରଷୁଥିବା ରେଷ୍ଟୁରାଣ୍ଟକୁ ମିଳୁଥିବା ସର୍ବୋଚ୍ଚ ସମ୍ମାନ ହେଉଛି ମିଶେଲିନ ‘ବିବ ଗୋରମଣ୍ଡ’ । ୨୦୨୪ ପାଇଁ ଏହି ସମ୍ମାନ ମିଳିଛି ନ୍ୟୁୟର୍କର ପ୍ରସିଦ୍ଧ ସେଫ ବିକାଶ ଖନ୍ନାଙ୍କ ରେଷ୍ଟୁରାଣ୍ଟ ‘ବଙ୍ଗଲୋ’କୁ । ସେତିକି ନୁହେଁ, ନ୍ୟୁୟର୍କ ଟାଇମ୍ସରେ ମଧ୍ୟ ଏହି ରେଷ୍ଟୁରାଣ୍ଟ ମିଳିଛି ଢେର ପ୍ରଶଂସା । ସେଲିବ୍ରିଟି ଗେଷ୍ଟ, ବଲିଉଡ ଷ୍ଟାର, ଇଣ୍ଟରନାଶନାଲ ଷ୍ଟାରମାନଙ୍କ ପାଇଁ ଏହି ରେଷ୍ଟୁରାଣ୍ଟ ଖବରର ହେଡଲାଇନରେ ସବୁବେଳେ ଥାଏ ।

୬-ଟାଇମ୍ସ ମାଗାଜିନର ‘ବିଶ୍ୱର ଶ୍ରେଷ୍ଠ ଜାଗା’ ତାଲିକାରେ ଦୁଇ ଭାରତୀୟ ରେଷ୍ଟୁରାଣ୍ଟ

ଟାଇମ୍ସ ମାଗାଜିନ ତାର ୨୦୨୪ ଦୁନିଆର ସବୁଠାରୁ ଶ୍ରେଷ୍ଠ ଜାଗା ତାଲିକାରେ ଦୁଇ ଭାରତୀୟ ରେଷ୍ଟୁରାଣ୍ଟକୁ ସାମିଲ କରିଛି । ଏହି ଦୁଇ ରେଷ୍ଟୁରାଣ୍ଟ ହେଉଛି ହାଇଦ୍ରାବାଦର ମନମ ଚକଲେଟ ଏବଂ ହିମାଚଳ ପ୍ରଦେଶର ନାର । ଏହି ରେଷ୍ଟୁରାଣ୍ଟ ଦୁଇଟିର ବିଶେଷତ୍ୱ ହେଉଛି ଭିନ୍ନ ଷ୍ଟାଇଲରେ ଘରୋଇ ଖାଦ୍ୟକୁ ଲୋକଙ୍କ ସାମ୍ନାରେ ରଖିବା । ଭାରତୀୟ କୋକୋର ପ୍ରଚାର କରୁଥିବା ପ୍ରିମିୟମ ଚକଲେଟର ବ୍ରାଣ୍ଡ ଅଟେ ମନମ ଚକଲେଟ । ମନମ ଚକଲେଟ କାରଖାନା ୨୦୨୩ରେ ହାଇଦ୍ରାବାଦରେ ଖୋଲିଥିଲା । ସେହିପରି ହିମାଚଳ ପ୍ରଦେଶର ନାର ଏକ ଲୋକପ୍ରିୟ ରେଷ୍ଟୁରାଣ୍ଟ ଯାହାର ମୁଖ୍ୟ ସଞ୍ଚାଳକ ଅଛନ୍ତ ପ୍ରସିଦ୍ଧ ସେଫ ପ୍ରତୀକ ସାଧୁ । ପ୍ରତୀକ ତାଙ୍କ ଖାଦ୍ୟ ପାଇଁ ବେଶ ପ୍ରଶଂସା ସାଉଟିଲେଣି ।

୭-ବିଶ୍ୱର ୫୦ ଶ୍ରେଷ୍ଠ ତାଲିକାରେ ଦୁଇ ଭାରତୀୟ ରେଷ୍ଟୁରାଣ୍ଟ

୨୦୨୪ ପାଇଁ ବିଶ୍ୱର ୫୦ ଶ୍ରେଷ୍ଠ ରେଷ୍ଟୁରାଣ୍ଟ ତାଲିକାରେ ଅଛି ଦୁଇଟି ଭାରତୀୟ ରେଷ୍ଟୁରାଣ୍ଟ । ତାଲିକାର ୯ମ ସ୍ଥାନରେ ରହିଛି ବ୍ୟାଙ୍କଂରେ ଥିବା ସେଫ ଗଗନ ଆନନ୍ଦଙ୍କର ଭାରତୀୟ ରେଷ୍ଟୁରାଣ୍ଟ ଗଗନ । ତେବେ ଗଗନ ପ୍ରଥମଥର ପାଇଁ ଏହି ସମ୍ମାନ ପାଇନାହିଁ । ୨୦୨୪ ଏସିଆର ବେଷ୍ଟ ରେଷ୍ଟୁରାଣ୍ଟ ତାଲିକାରେ ମଧ୍ୟ ନିଜକୁ ସାମିଲ କରାଇ ପାରିଛି । ସେହିପରି ଦୁବାଇର ତ୍ରେସିଣ୍ଡ ଷ୍ଟୁଡିଓ ଏହି ତାଲିକାର ୧୩ତମ ସ୍ଥାନରେ ରହିଛି । ସେଫ ହିମାଂଶୁ ସାଇନିଙ୍କ ନିର୍ଦ୍ଦେଶରେ ଚାଲିଥିବା ଏହି ରେଷ୍ଟୁରାଣ୍ଟ ୨୦୨୪ରେ ମଧ୍ୟପ୍ରାଚ୍ୟର ବେଷ୍ଟ ରେଷ୍ଟୁରାଣ୍ଟ ତାଲିକାରେ ସ୍ଥାନିତ ହୋଇଛି । ଗତବର୍ଷ ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟର ବେଷ୍ଟ ରେଷ୍ଟୁରାଣ୍ଟ ତାଲିକାରେ ଏହି ରେଷ୍ଟୁରାଣ୍ଟ ସ୍ଥାନ ପାଇଥିଲା ।

୮- ଏସିଆର ୧୦୦ ବେଷ୍ଟ ତାଲିକାରେ ୮ ଭାରତୀୟ ରେଷ୍ଟୁରାଣ୍ଟ

୨୦୨୪ ପାଇଁ ଏସିଆର ୧୦୦ ବେଷ୍ଟ ତାଲିକାରେ ରହିଛି ୮ ଟି ଭାରତୀୟ ରେଷ୍ଟୁରାଣ୍ଟ । ସେଥିମଧ୍ୟରୁ ୩ଟି ୫୦ ମଧ୍ୟରେ ଥିବାବେଳେ ଆଉ ୫ଟି ୫୧ରୁ ୧୦୦ ମଧ୍ୟରେ ରହିଛି । ସେଗୁଡିକ ହେଲା ୨୩ତମ ସ୍ଥାନରେ ମୁମ୍ବାଇର ମସ୍କ, ୨୬ରେ ନୂଆଦିଲ୍ଲୀର ଇଣ୍ଡିଆନ ଆସେଣ୍ଟ, ୪୪ ନମ୍ବରରେ ରହିଛି ଚେନ୍ନାଇର ଅବର୍ତ୍ତନ । ୫୧ରୁ ୧୦୦ ତାଲିକାରେ ରହିଛନ୍ତି ମୁମ୍ବାଇର ଆମେରିକାନୋ, ଦ ବମ୍ବେ କ୍ୟାଣ୍ଟିନ, ଗୁରୁଗ୍ରାମରେ କୋମୋରିନ, ନିଉଦିଲ୍ଲୀର ଡମପୁଖ୍ତ, ମୁମ୍ବାଇର ଏକ୍କା ।

୯-୫ ଭାରତୀୟ ବାର ବି ଶ୍ରେଷ୍ଠ ୧୦୦ ତାଲିକାରେ

୨୦୨୪ ରେ ଏସିଆର ଶ୍ରେଷ୍ଠ ୧୦୦ ବାର ତାଲିକାରେ ରହିଛି ୫ ଭାରତୀୟ ବାର । ବେଙ୍ଗାଲୁରରେ ଲୀଲା ପ୍ୟାଲେସରେ ଥିବା ZLB23କୁ ବିଶ୍ୱର ଶ୍ରେଷ୍ଠ ୫୦ ତାଲିକାରେ ସ୍ଥାନ ମିଳିଛି । ଏହି ତାଲିକାରେ ZLB23ର ସ୍ଥାନ ୪୪ରେ ରହିଛି । ଏହାବ୍ୟତୀତ ୫୧-୧୦୦ ମଧ୍ୟରେ ରହିଛି ମୁମ୍ବାଇର ଦ ବମ୍ବେ କ୍ୟାଣ୍ଟିନ(୫୯ ସ୍ଥାନରେ), ନୂଆଦିଲ୍ଲୀର ଲେୟାର (୬୮), ସାଇଡକାର (୮୪) ଏବଂ ନୂଆଦିଲ୍ଲୀର ହୋମ (୯୬ସ୍ଥାନ ) ।

୧୦-ଟେଷ୍ଟ ଆଟଲାସ ଆୱାର୍ଡ ୨୦୨୪-୨୫ ତାଲିକାରେ ଚମକିଲା ଭାରତୀୟ ବ୍ୟଞ୍ଜନ

ବିଭିନ୍ନ କାରଣରକୁ ନେଇ ମିଳୁଥିବା ଟେଷ୍ଟ ଆଟଲାସ ଆୱାର୍ଡ ୨୦୨୪-୨୫ ତାଲିକାରେ ବି ଭାରତ ଚମକିଛି । ଲୋକପ୍ରିୟ ବ୍ୟଞ୍ଜନ ଓ ଭ୍ରମଣ ଗାଇଡ ଖାଦ୍ୟ ସମ୍ପର୍କିତ ଏକ ସୂଚିକା ପ୍ରକାଶ କରିଛି ଯେଉଁଥିରେ ଭାରତ ସବୁଥିରେ ଉପରେ ରହିଛି । ବିଶ୍ୱସ୍ତରରେ ଭାରତୀୟ ବ୍ୟଞ୍ଜନ ଶ୍ରେଷ୍ଠ ୧୨ ତାଲିକାରେ ସ୍ଥାନ ପାଇଛି । ପଞ୍ଜାବକୁ ୭ମ ଶ୍ରେଷ୍ଠ ଖାଦ୍ୟ ଉତ୍ପାଦନ କ୍ଷେତ୍ରର ସ୍ଥାନ ମିଳିଛି । ମୁମ୍ବାଇକୁ ୫ମ ସର୍ବଶ୍ରେଷ୍ଠ ଖାଦ୍ୟ ସହରର ମାନ୍ୟତା ମିଳିଛି ।

ସେହିପରି ଟେଷ୍ଟ ଆଟଲାସ ବିଶ୍ୱର ୧୦୦ ଶ୍ରେଷ୍ଠ ରେଷ୍ଟୁରାଣ୍ଟ ତାଲିକା ପ୍ରକାଶ କରିଛି ଯେଉଥିରେ ଭାରତର ନାଁ ବେଷ୍ଟ ୧୦ ରେଷ୍ଟୁରାଣ୍ଟ ମଧ୍ୟରେ ସ୍ଥାନ ପାଇଛି । ଶ୍ରେଷ୍ଠ ୧୦୦ ମଧ୍ୟରେ ୭ଟି ଭାରତୀୟ ରେଷ୍ଟୁରାଣ୍ଟ ରହିଛି । ମୁର୍ଗ ମଖାନୀ, ହାଇଦ୍ରାବାଦୀ ବିରିଆନୀ, ଚିକେନ ୬୫, କୀମା, ମଲାଇ କୋପ୍ତା, ମିସଲ ପାଓ, ଅମୃତସରୀ କୁଲଚା, ବଟର ଗାର୍ଲିକ ଆଦି ଖାଦ୍ୟର ତାଲିକା ଟେଷ୍ଟ ଆଟଲାସ ଦ୍ୱାରା ଜାରି ବିଭିନ୍ନ ତାଲିକାରେ ସ୍ଥାନ ପାଇଛି ।

୧୧-ସ୍ୱର୍ଣ୍ଣ ଜିତିଲା ଭାରତୀୟ ଚକଲେଟ

ଇଣ୍ଟନାଶନାଲ ଚକଲେଟ ଆୱାର୍ଡସ ୨୦୨୪ ରେ ଭାରତୀୟ ଚକଲେଟ ସ୍ୱର୍ଣ୍ଣ ପଦକ ଜିତିଛି । ଏହି ଚକଲେଟ ବ୍ରାଣ୍ଡ ହେଉଛି ପଲ ଆଣ୍ଡ ମାଇକ । ଆନ୍ତର୍ଜାତିକ ସ୍ତରରେ ସ୍ୱର୍ଣ୍ଣ ଜିତିବାରେ ଏହା ପ୍ରଥମ ଚକଲେଟ ବ୍ରାଣ୍ଡ।

 

 

OTV is now on Whatsapp

Join and get latest news update delivered to you via whatsapp

Join Now