ଓଡ଼ିଆଙ୍କ ଖାଦ୍ୟ ଋଚି ଯେମିତି ଭିନ୍ନ, ସେମାନଙ୍କ ଖାଦ୍ୟ ତିଆରି ପ୍ରଣାଳୀ ମଧ୍ୟ ସେମିତି ଅନେକ ପ୍ରକାର। ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଜଣେ ଖାଦ୍ୟପ୍ରିୟ ଦେବତା। ବର୍ଷ ସାରା ତାଙ୍କର କିଛି ନା କିଛି ପର୍ବ ପର୍ବାଣୀ ଲାଗି ରହିଥାଏ, ଆଉ ସେହି ଆଳରେ ବଡ଼ ଦେଉଳରେ ଭଳିକି ଭଳି ଭୋଗ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ।
ଓଡ଼ିଆଏ ମଧ୍ୟ ଖାଦ୍ୟ ତିଆରି ଦୃଷ୍ଟିରୁ ଖୁବ ଆଗରେ। ସେମାନଙ୍କର ବର୍ଷ ବର୍ଷର ଅଭ୍ୟାସକୁ ଅନୁଧ୍ୟାନ କଲେ ଦେଖା ଯାଇଥାଏ ଯେ, ଓଡ଼ିଆ ଲୋକମାନେ ସବୁବେଳେ ନିଜ ଚାରିପଟେ ସହଜରେ ମିଳି ଯାଉଥିବା ଚିଜରୁ, ଖାଦ୍ୟ ତିଆରି ପାଇଁ ଚେଷ୍ଟିତ ଥାଆନ୍ତି। ନିଜ ବାଡ଼ି ବଗିଚାରେ ଯାହା କିଛି ଫଳେ ବା ସେଥିରୁ ଯାହାକିଛି ମିଳେ, ସେଇଥିରୁ ନାନା ପ୍ରକାର ସ୍ବାଦର ଖାଦ୍ୟ ଆଇଟମ୍ ତିଆରି କରିବାରେ ଓଡ଼ିଆ ଘରଣୀ ସିଦ୍ଧହସ୍ତ।
ସେଇଥିରୁ ଗୋଟିଏ ହେଲା 'ମୁଢ଼ି'। ଓଡ଼ିଆଙ୍କୁ ମୁଢ଼ିର ପରିଚୟ ଦେବା କିମ୍ବା ମୁଢ଼ି ବିଷୟରେ ଅଧିକ ବୁଝାଇବା ଅର୍ଥ, କଂସାରୀ ଘରର ପାରା ଆଗରେ କୁଲା ଢାଉଁ ଢାଉଁ କରିବା। କାରଣ, ମୁଢ଼ି ହେଉଛି ପ୍ରତି ଓଡ଼ିଆଙ୍କ ପାଇଁ ସକାଳର ମୁଖ୍ୟ ଜଳଖିଆ। ରାତି ପାହିଲେ ଓଡ଼ିଆ ଘରେ ଅନ୍ୟ କିଛି ଥାଉ ନଥାଉ, ପଖାଳ ନହେଲେ ଚୁଡ଼ା ମୁଢ଼ି ନିଶ୍ଚୟ ଥିବ। ଏବେ ଯଦିଓ ଆଧୁନିକତାର ପ୍ରଭାବରେ ଲୋକଙ୍କ ଅଭ୍ୟାସ କିଛିଟା ପରିବର୍ତ୍ତନ ହୋଇଯାଇଛି, କିନ୍ତୁ ଅନେକ ଅଂଚଳରେ ଏହା ଲୋକଙ୍କ ଦୈନନ୍ଦିନ ଖାଦ୍ୟର ଏକ ମୁଖ୍ୟ ଅଙ୍ଗ ହୋଇ ରହିଛି।
ଉତ୍ତର ଓଡ଼ିଶାର ପ୍ରିୟ ଖାଦ୍ୟ
ବିଶେଷକରି ଉତ୍ତର ଓଡ଼ିଶାରେ ଏହା ଲୋକଙ୍କ ପାଇଁ ସାରା ଦିନର ଖାଦ୍ୟ। ବାଲେଶ୍ବର ଓ ମୟୂରଭଂଜ ଜିଲ୍ଲାରେ ମୁଢ଼ିର ସ୍ଥାନୀୟ ନାଁ ହେଲା ‘ଭୁଜା’। ମୁଢ଼ିକୁ ନେଇ ସେମାନଙ୍କର ଅନେକ ପ୍ରକାର ଖାଦ୍ୟ ଆଇଟମ୍ ରହିଛି। ବାଲେଶ୍ବର ଓ ମୟୂରଭଂଚରେ 'ମୁଢ଼ି ମାଂସ' ସର୍ବାଧିକ ଲୋକପ୍ରିୟ। ବାରିପଦାର ଏହି ସ୍ବତନ୍ତ୍ର ସ୍ବାଦର ଖାଦ୍ୟ ଏବେ ସାରା ଓଡ଼ିଶାରେ ଲୋକପ୍ରିୟ ହେବାରେ ଲାଗିଛି। ରାଜ୍ୟର ଅନ୍ୟ ସହରରେ, ବିଶେଷକରି ରାଜଧାନୀ ଭୁବନେଶ୍ବର ଓ ଅନ୍ୟ ଛୋଟ ସହର ଗୁଡ଼ିକରେ, ଜାଗା ଜାଗାରେ ବାରିବଦା ମୁଢ଼ି ମାଂସ ଦୋକାନ ଖୋଲିଲାଣି। ଚିକିନେ କିମ୍ବା ମଟନ ମସଲା ତରକାରୀରେ ମୁଢି ପକେଇ ଖାଇବା ଏକ ନୂଆପ୍ରକାର ଆନନ୍ଦ।
ସେହିପରି ମୁଢ଼ି ସହିତ ଆଳୁକଷା ଖାଇବା ମଧ୍ୟ ଉତ୍ତର ଓଡ଼ିଶାର ଏକ ଲୋକପ୍ରିୟ ଖାଦ୍ୟ। ଜଳେଶ୍ବର ଓ ବାଲେଶ୍ବର ଜିଲ୍ଲାର ସୀମାନ୍ତ ଅଂଚଳ ଗୁଡ଼ିକରେ, ଆଳୁକଷା କିଲୋ ଓଜନରେ ବିକ୍ରି ହୋଇଥାଏ। ଏଥିରୁ କିଛି ଆଣି ସେଥିରେ ମୁଢ଼ି ଗୋଳେଇ ଖାଇବାରେ ସେମାନେ ଖୁବ୍ ଆନନ୍ଦ ପାଇଥାନ୍ତି। ସେହିପରି ମୁଢ଼ିକୁ ସେମାନେ ପଖାଳରେ ଗୋଳେଇ ମଧ୍ୟ ଖାଇଥାନ୍ତି। ଉତ୍ତର ଓଡ଼ିଶାର ଖାଦ୍ୟଋଚିରେ, ମୁଢ଼ିର ବହୁବିଧ ବ୍ୟବହାର ଦେଖିବାକୁ ମିଳିଥାଏ।
ସକାଳର ମୁଢ଼ି ଚକଟା
ଯଦିଓ ଉତ୍ତର ଓଡ଼ିଶାରେ ମୁଢ଼ି ବହୁତ ଲୋକପ୍ରିୟ, ଓଡ଼ିଶାର ଅନ୍ୟ ଅଂଚଳରେ ମଧ୍ୟ ଏହା ଦୈନନ୍ଦିନ ଖାଦ୍ୟ ପାଲଟିଥାଏ। ପ୍ରାୟ ପ୍ରତି ଓଡ଼ିଆ ପରିବାରରେ ଗୋଟିଏ ମୁଢ଼ି ଡବା ନିଶ୍ଚୟ ରହିଥିବ। ସେମାନେ ଘରେ ମୁଢ଼ିର ଅନେକ ଆଇଟମ୍ କରନ୍ତି। କିନ୍ତୁ ମୁଢ଼ିକୁ ଧୋଇ ସେଥିରେ ଖିର ଓ ଚିନି ପକାଇ ଗୋଳେଇ ଖାଇବା ପ୍ରାୟ ସବୁ ଘରେ ଦେଖିବାକୁ ମିଳିଥାଏ। କିଏ କିଏ ଏହି ଆଇଟମକୁ ଅଧିକ ସ୍ବାଦିଷ୍ଟ କରିବାକୁ ଏଥିରେ କଦଳୀ ଚକଟନ୍ତି କିମ୍ବା ନଡିଆ ମଧ୍ୟ ଛୋଟ ଛୋଟ କାଟି ପକାନ୍ତି।
ନାଲି ଚାହା ଓ ମୁଢ଼ି
ଆଗରୁ ଓଡ଼ିଶାର ଗ୍ରାମାଂଚଳରେ ନାଲି ଚା’ରେ ମୁଢ଼ି ଗୋଳେଇ ଖାଇବା ଥିଲା ଅଧିକାଂଶ ଓଡ଼ିଆ ଘରର ସକାଳର ଜଳଖିଆ। ଲୋକେ ସକାଳୁ ବିଲକୁ କାମ କରିବାକୁ ଯିବା ଆଗରୁ ବେଲାଏ ନାଲି ଚା'ରେ ଦୁଇ ଆଂଜୁଳା ମୁଢ଼ି ପକାଇ ତାକୁ ଜଳଖିଆ ଭାବେ ଖାଇଥାନ୍ତି। ଏହାପରେ ପୁଣି ଖରାବେଳକୁ ଭାତ ଖିଆଯାଏ। ଖରାବେଳ ଯାଏ ସେଇ ନାଲି ଚା ଓ ମୁଢି ହିଁ ପେଟରେ କାମ ଚଲାଏ।
ସେହିପରି କାମ କରିବାକୁ ବାହାରକୁ ଯାଉଥିବା ଲୋକମାନେ ନିଜ ଗଣ୍ଠିଲିରେ ସୁବିଧା ଅସୁବିଧା ପାଇଁ ଗଣ୍ଡେ ମୁଢ଼ି କିମ୍ବା ଚୁଡ଼ା ବାନ୍ଧିଥାନ୍ତି। କେଉଁଠି କିଛି ନମିଳିଲେ ଲୋକେ ଏଇଥିରେ ହିଁ ଭୋକ ମେଣ୍ଟାନ୍ତି। ଏବେ ସିନା ସବୁଆଡ଼େ ବଜାର ସହର ବସି ଗଲାଣି, ଆଗରୁ କିନ୍ତୁ ସେ ସୁବିଧା ନଥିଲା। ବହୁଦୂର ଯିବାକୁ ହେଲେ ଅନେକ ବଣ ଜଙ୍ଗଲ ଏକାଂଚନ ସ୍ଥାନ ଦେଇ ଯିବାକୁ ପଡୁଥିଲା, ଯେଉଁଠି ଦୋକାନ ବଜାର କିମ୍ବା ହୋଟେଲ୍ ନଥାଏ। ସେଥିପାଇଁ ଲୋକେ ସାଙ୍ଗରେ କିଛି ମୁଢ଼ି ଚୁଡ଼ା ନେଇକି ଯାଉଥିଲେ।
ମୁଢ଼ି ମୁଆଁ
ମୁଢ଼ିରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଭିତରେ ବୋଧହୁଏ ମୁଢ଼ିମୁଆଁ ସବୁଟାରୁ ବେଶୀ ସ୍ବାଦିଷ୍ଟ ଓ ଲୋକପ୍ରିୟ। ଓଡ଼ିଆ ଘରେ ବିଶେଷକରି ପୂଜା ପାର୍ବଣରେ ମୁଢ଼ିରେ ମୁଆଁ ପ୍ରସ୍ତୁତ କରାଯାଇଥାଏ। ଗୁଡ଼କୁ ପାଗ କରି ସେଥିରେ ମୁଢ଼ି ପକାଇ ଘଣ୍ଟା ଯାଇଥାଏ। ଟିକେ ଅଠାଳିଆ ହୋଇଗଲେ ଏହାକୁ ଲଡୁ ପରି ଗୋଲ୍ ଗୋଲ୍ କରିଦିଆ ଯାଏ। ଓଡ଼ିଆ ଘରର ଅନେକ ପୂଜାରେ ମୁଢ଼ିମୁଆଁ ଏକ ପ୍ରମୁଖ ଭୋଗ ଭାବେ ବ୍ୟବହାର ହୋଇଥାଏ।
ଝାଲ୍ ମୁଢ଼ି
ଆପଣ ଯଦି କେବେ ଟ୍ରେନରେ ଯିବା ଆସିବା କରିଥିବେ, ବିଶେଷକରି ଓଡ଼ିଶାରୁ ପଶ୍ଚିମବଙ୍ଗ ଭିତରେ, ତେବେ ବଗି ଭିତରେ ଝାଲ୍ ମୁଢ଼ି ବିକୁଥିବା ବୁଲା ବିକାଳୀଙ୍କୁ ନିଶ୍ଚୟ ଭେଟିଥିବେ କିମ୍ବା ବେଳେବେଳେ କିଣିକି ଖାଇଥିବେ ମଧ୍ୟ। ଏହା ଓଡ଼ିଶାର ଏକ ଲୋକପ୍ରିୟ ଖାଦ୍ୟ। ପ୍ରକୃତରେ ମୁଢ଼ିରେ ଚଣାଚୁର, ପିଆଜ, କଂଚା ଲଙ୍କା, ଧନିଆ ପତ୍ର ଓ ସୋରିଷ ତେଲ ଗୋଳେଇ ଯେଉଁ ଆଇଟମ୍ ପ୍ରସ୍ତୁତ ହୋଇଥାଏ, ଏହା ଓଡ଼ିଆଙ୍କ ପାଇଁ ସବୁଠାରୁ ଭଲ ଟାଇମ୍ ପାସ୍ ଖାଦ୍ୟ। ଅଧିକାଂଶ ସମୟରେ ସଂଧ୍ୟାରେ ଏହାକୁ ଜଳଖିଆ ଭାବରେ ଖିଆ ଯାଇଥାଏ। ଅଧିକାଂଶ ଓଡ଼ିଆ ଘରେ ଆଗରୁ ଅତିଥି ଆସିଲେ ସେମାନଙ୍କୁ ସଂଧ୍ୟାରେ ମୁଢ଼ି ମିକ୍ସଚର ଖାଇବାକୁ ଦିଆଯାଏ। ବଜାରରେ ମିଳୁଥିବା ଝାଲ୍ ମୁଢ଼ି ହେଉଛି ଓଡ଼ିଆ ଘରର ଏକ ମୁଢି ମିକ୍ସଚରର ବଜାରିକରଣ ରୂପ।
ପ୍ରସ୍ତୁତ ପ୍ରଣାଳୀ
ମୁଢ଼ି ଚାଉଳରୁ ହିଁ ତିଆରି ହୋଇଥାଏ। ଓଡ଼ିଶାର ଗ୍ରାମାଂଚଳରେ ଏହାକୁ ପାରମ୍ପରିକ ଶୈଳୀରେ ପ୍ରସ୍ତୁତ କରାଯାଇଥାଏ। ଯଦିଓ ସବୁ ଚାଉଳରୁ ମୁଢ଼ି ତିଆରି କରିହୁଏ, କିନ୍ତୁ ଅଧିକାଂଶ ଲୋକ ସ୍ବତନ୍ତ୍ର ମୁଢ଼ି ଚାଉଳ ଅମଳ କରିଥାନ୍ତି। ପ୍ରଥମେ ଚାଉଳକୁ ଲୁଣ ପାଣିରେ ଭେଦାଇ ତାକୁ ଶୁଖାଇବାକୁ ପଡ଼ିଥାଏ। ତା ପରେ ହାଣ୍ଡିରେ ବାଲି ଗରମ କରି ସେଥିରେ ଏହି ଲୁଣପାଣି ପିଆ ଶୁଖିଲା ଚାଉଳକୁ ପକାଇଲେ ତାହା କିଛି ସମୟ ଭାଜି ହୋଇ ଫୁଟିବା ଆରମ୍ଭ କରିଥାଏ। ଫୁଟିଲା ପରେ ତାହା ପପକର୍ଣ୍ଣ ପରି ହୋଇ ଯାଇଥାଏ। ଏହାକୁ ଏକ ଖଡ଼ିକା ମାଧ୍ୟମରେ ବାଲିକୁ ଛାଣି ଅଣା ଯାଇ ଭଲ କରି ଝାଡ଼ି ଦିଆଯାଇଥାଏ। ଯେପରି ମୁଢ଼ିରୁ ବାଲି ଛାଡ଼ିଯିବ। ଆଜିକାଲି ଷ୍ଟିମ୍ ମାଧ୍ୟମରେ ବି ମୁଢ଼ି ଭଜା ଯାଉଛି।
ମୁଢ଼ିର ଖାଦ୍ୟସାର
ବେଳେବେଳେ ମନରେ ପ୍ରଶ୍ନ ଉଠେ, ବର୍ଷ ବର୍ଷ ଧରି ଓଡ଼ିଆ ଘରେ ଖିଆ ଯାଉଥିବା ଏହି ଖାଦ୍ୟଟିରେ ଭିଟାମିନ୍ ଅଥବା ଖାଦ୍ୟସାର କିଛି ଅଛି ନା ନାହଁ? ଏହା ଖାଲି ପାଟିକୁ ସୁଆଦ ନା ଆମ ଦେହ ପାଇଁ କିଛି ଖାଦ୍ୟସାର ଯୋଗାଇ ପାରୁଛି। ଏହାକୁ ସମସ୍ତେ ଖାଇପାରିବେ କି? ଆଜିକାଲି ଯେଉଁ ବିଭିନ୍ନ ପ୍ରକାର ଲାଇଫ୍ ଷ୍ଟାଇଲ୍ ଡିଜିଜ୍ ବା ଜୀବନଶୈଳୀ ପରିବର୍ତ୍ତନ ଯୋଗୁ ଦେଖାଦେଉଥିବା ରୋଗ ଆସିଲାଣି, ତା ଭିତରେ ମୁଢ଼ିର ସ୍ଥାନ କେଉଁଠି? ଏହା କାହା ପାଇଁ ବିପଦ ନୁହେଁ ତ? ଆସନ୍ତୁ ଜାଣିବା।
ଭାତ ତୁଳନାରେ ମୁଢ଼ିରେ କ୍ୟାଲୋରି କମ୍ ରହିଥାଏ। ଏଥିରେ ଆଦୌ ଫ୍ୟାଟ୍ ନଥାଏ। କେବଳ କାର୍ବୋ ହାଇଡ୍ରେଟ୍ ରହିଥାଏ। ବ୍ଲଡପ୍ରେସର ରୋଗୀଙ୍କୁ ଏହା ଖାଇବାକୁ ମନାକରାଯାଏ, କାରଣ ଏଥିରେ ଅଧିକ ସୋଡ଼ିଅମ୍ ତତ୍ବ ରହିଥାଏ। ଯେଉଁମାନେ ନିଜର ଓଜନ କମେଇବାକୁ ଚାହୁଁଛନ୍ତି ସେମାନେ ମୁଢ଼ିକୁ ଜଳଖିଆ ଭାବରେ ଖାଇପାରିବେ। ଡାଇବେଟିସ୍ ରୋଗୀ ମଧ୍ୟ ମୁଢ଼ି ଖାଇବା ଅନୁଚିତ। କାରଣ ମୁଢ଼ିରେ ବେଶୀ କାର୍ବୋହାଇଡ୍ରେଟ୍ ରହିଥାଏ। ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଥାଏ, ସେମାନଙ୍କ ପାଇଁ ମୁଢ଼ି ଏକ ଭଲ ଖାଦ୍ୟ। କାରଣ ମୁଢ଼ିରେ ଅଧିକ ଫାଇଭର୍ ରହିଥାଏ।
ଦେଶ ବିଦେଶରେ ମୁଢ଼ି
ୱିକିପିଡିଆରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଆଲେକ୍ଜାଣ୍ଡାର ପି.ଆଣ୍ଡରସନ୍ ନାମକ ଆମେରିକୀୟ, ମୁଢ଼ିର ବଜାରିକରଣ ବା ବ୍ୟବସାୟିକ କାରବାର ଆରମ୍ଭ କରିଥିଲେ। କିନ୍ତୁ କେତେକ କୁହନ୍ତି, ଆମେରିକା ପରି ଦେଶ, ଯେଉଁଠି ଭାତ କେହି ଖାଆନ୍ତି କି ନାହିଁ ସନ୍ଦେହ, ସେଠି ପ୍ରଥମେ ଚାଉଳରୁ ମୁଢ଼ି ପ୍ରସ୍ତୁତ କରାଯିବା ଓ ଏହାକୁ ବଜାରିକରଣ କରାଯିବା ଟିକେ ସନ୍ଦେହପୂର୍ଣ୍ଣ ମନେହୁଏ। କାରଣ ଓଡ଼ିଶାର ଗାଁ ଗାଁରେ ଶହ ଶହ ବର୍ଷ ପୂର୍ବରୁ ମୁଢ଼ି ପ୍ରଧାନ ଖାଦ୍ୟ ରୂପେ ପରିଗଣିତ ହୋଇଆସୁଛି।
ପୃଥିବୀର ଆଉ କେତେକ ଦେଶରେ ମଧ୍ୟ ମୁଢ଼ି ପ୍ରସ୍ତୁତ କରାଯାଇଥାଏ। ବିଶେଷକରି ଭାତ ଖାଉଥିବା ଦକ୍ଷିଣ ଏସିଆରେ ଏହା ଦେଖିବାକୁ ମିଳିଥାଏ। କାରଣ ମୁଢ଼ି ଚାଉଳରୁ ହିଁ ପ୍ରସ୍ତୁତ କରାଯାଏ। ଚୀନରେ ମୁଢ଼ିକୁ ‘ମିସିୟାଂ’ କୁହାଯାଉଥିବା ବେଳେ, ତାଇୱାନରେ ‘ବି-ଫାଙ୍ଗ୍’, କୋରିଆରେ ପିଅଂ ତ୍ବିଗି ଓ ଜାପାନରେ ‘ପନ୍ ଗାସି’ କୁହାଯାଇଥାଏ।
ଚୀନ୍ ର ଦାବି ଅନୁଯାୟୀ, ୧୧ଶହ ଶତାବ୍ଦୀ ବେଳକୁ ଏବେ ଜେଜିଆଙ୍ଗ୍ ପ୍ରଦେଶର ମେନ୍ ଲ୍ୟାଣ୍ଡ ଚାଇନାରେ ଅନୁଷ୍ଠିତ ବସନ୍ତ ଉତ୍ସବରେ ମୁଢ଼ିକୁ ଏକ ନୀତି ବା ଭୋଗ ଭାବରେ ବ୍ୟବହାର କରାଯାଉଥିଲା। ଆମେ ଓଡ଼ିଆଏ ଯେମିତି ମୁଢି ଭାଜନ୍ତି, ସେମାନେ ବି ସେତେବେଳେ କାଠଚୁଲିରେ ମୁଢି ଭାଜୁଥିଲେ। ଏବେ ଚୀନର ଅନ୍ୟତମ ବ୍ୟାବସାୟିକ ସହର ସାଂଘାଇରେ ମୁଢ଼ି ଏକ ଷ୍ଟ୍ରିଚ୍ ଫୁଡ୍ ଭାବରେ ଲୋକେ ଖାଇଥାନ୍ତି।