ଚିକେନର ରେସିପି ପ୍ରାୟ ସମସ୍ତଙ୍କୁ ଖାଇବାକୁ ଭଲ ଲାଗିଥାଏ । ଆଜି ଆମେ ଚିକେନର ଏକ ନୂଆ ଓ ଦେଶୀ ରେସିପି ପ୍ରସ୍ତୁତ କରିବୁ । ଆଗରୁ ଆପଣ କେବେ ପୋସ୍ତଦିଆ ଚିକେନର ରେସିପି ଖାଇନଥିବେ । ଏହା ରେସିପିର ନାଁ ହେଉଛି ‘ମାଟି ହାଣ୍ଡି ପୋସ୍ତ ଚିକେନ’ । ଏହାକୁ ଆମେ ଦେଶୀ ଓ ସରଳ ଉପାୟରେ ବନେଇବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
Also Read
‘ମାଟି ହାଣ୍ଡି ପୋସ୍ତ ଚିକେନ’ ବନେଇବା ପାଇଁ ସାମଗ୍ରୀ:
ଚିକେନ୍, ପୋସ୍ତ ବଟା, ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ, ଅଦା-ରସୁଣ-ପିଆଜ ପେଷ୍ଟ, କଟା ପିଆଜ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ତେଲ, ଟମାଟୋ, ରସୁଣ ଓ ଅଦା ଛେଚା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ଭୁର୍ସୁଙ୍ଗ ପତ୍ର, ଲୁଣ, କଞ୍ଚା ଲଙ୍କା ଓ ଲେମ୍ବୁ।
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ସେଥିରେ ପୋସ୍ତ ବଟା ଏବଂ ଅଦା-ରସୁଣ-ଜିରା-ସୋରିଷ ପେଷ୍ଟ୍ ପକାଇ ଗୋଳାଇ ଦିଅନ୍ତୁ।
- ଏହାପରେ ତା’ସହିତ ସେଥିରେ ଅଦା-ରସୁଣ-ପିଆଜ ବଟା ମଧ୍ୟ ପକାଇ ଭଲ ଭାବେ ଗୋଳାନ୍ତୁ। ଏହାପରେ ସେଥିରେ ଅଳ୍ପ କଟା ପିଆଜ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ପକାନ୍ତୁ ।
- ଏହାପରେ ରସୁଣ ଛେଚା, କଟା ଟମାଟୋ, ଗୋଲ ମରିଚ ଗୁଣ୍ଡ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଏହାକୁ କିଛି ସମୟ ସେମିତି ଛାଡ଼ି ଦିଅନ୍ତୁ ।
- ଏହାପରେ ଏକ ମାଟି ପାତ୍ରରେ ତେଲ ଗରମ କରି ସାମାନ୍ୟ କଟା ହୋଇଥିବା ଗୋଟା କଞ୍ଚା ଲଙ୍କା, କଟା ପିଆଜ ଓ ଭୁର୍ସୁଙ୍ଗ ପତ୍ର ପକାଇ ଛୁଙ୍କ କରନ୍ତୁ।
- ଏହାପରେ ମ୍ୟାରିନେଟ୍ ଚିକେନ୍କୁ ଛୁଙ୍କରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ମାଟି ପାତ୍ରକୁ ଘୋଡ଼ାଇ ଦିଅନ୍ତୁ ଓ ଚିକେନକୁ ସିଝିବାକୁ ଛାଡ଼ି ଦିଅନ୍ତୁ।
- ପାଞ୍ଚ ଦଶ ମିନିଟ୍ରେ ଥରେ ଘୋଡ଼ଣୀ କାଢ଼ି ଚିକେନ୍କୁ ଭଲ ଭାବେ ଗୋଳାଇବେ। ନହେଲେ ଚିକେନ୍ ମାଟି ପାତ୍ରରେ ଲାଗି ଯାଇପାରେ।
- ପ୍ରାୟ ଅଧା ଘଣ୍ଟା ପରେ ଚିକେନ୍ ସିଝି ଯିବ। ଏହାପରେ ଏଥିରେ ଧନିଆ ପତ୍ର ପକାନ୍ତୁ ଓ ପାତ୍ରଟିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ‘ମାଟି ହାଣ୍ଡି ପୋସ୍ତ ଚିକେନ୍’। ଆପଣ ଏହି ରେସିପିଟିକୁ ଉଭୟ ଭାତ ଓ ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।