• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୁନିଆ ବଢ଼ୁଛି । ଏହା ସହ ତାଳ ଦେଇ ଯାନ ବାହନର ବ୍ୟବହାର ମଧ୍ୟ ବଢ଼ୁଛି । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ ବର୍ତ୍ତମାନ ଲୋକେ ନିଜସ୍ୱ ଯାନ ଉପରେ ଅଧିକ ନିର୍ଭର କରୁଛନ୍ତି । ସମ୍ପ୍ରତ୍ତି ପରିବହନ ପାଇଁ ବସ କିମ୍ବା ଅନ୍ୟ ପବ୍ଲିକ ଟ୍ରାନ୍ସପୋର୍ଟକୁ ବ୍ୟବହାର କରୁ ନାହାନ୍ତି । ଫଳରେ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି । ବାୟୁ ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ବିଶ୍ୱର ଅଧିକାଶଂ ସହର ସ୍ଥାୟୀ ସମାଧାନ ସ୍ୱରୂପ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଅଧିକ ଗୁରୁତ୍ୱାରୋପ କରୁଛନ୍ତି ।

ପ୍ରଦୂଷିତ ବାୟୁ ତଥା ଟ୍ରାଫିକ କଷ୍ଟର ପରିଣାମକୁ ମନେ ରଖିବା ତଥା ଲୋକଙ୍କୁ ଏନେଇ ସଚେତନ କରିବାକୁ ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ‘ବିଶ୍ୱ ପବ୍ଲିକ ଟ୍ରାନ୍ସପୋର୍ଟ ଡେ’ ଭାବେ ପାଳନ କରା ଯାଉଛି । ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ତଥା ଏନେଇ ଜନ ସାଧାରଣଙ୍କୁ ଉତ୍ସାହିତ କରିବା ଦିଗରେ ଏହି ଦିବସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ବିଶ୍ୱରେ ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ବର୍ତ୍ତମାନ ଅନେକ ଦେଶ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ଆପଣେଇଲେଣି । ନିମ୍ନ ସହରମାନଙ୍କରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ସର୍ବାଧିକ ଗୁରୁତ୍ୱ ଦିଆ ଯାଇଥାଏ ।

୧. ପ୍ୟାରିସ୍, ଫ୍ରାନ୍ସ

ପ୍ୟାରିସ୍ ବିଶ୍ୱର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଅନ୍ୟତମ | ତେଣୁ ପବ୍ଲିକ ଟ୍ରାନ୍ସପୋର୍ଟ ଅନେକ ପରିମାଣରେ ପ୍ରଦୂଷଣକୁ ରୋକିଥାଏ । ପ୍ୟାରିସରେ ବିଭିନ୍ନ ପ୍ରକାରର ଇ-ଭେହିକିଲ ବ୍ୟବହାର କରା ଯାଇଥାଏ ।

୨. ଷ୍ଟକହୋମ, ସ୍ୱିଡେନ

ସ୍ୱିଡେନର ରାଜଧାନୀ ଷ୍ଟକହୋମ ପରିବେଶ ଉପଯୋଗୀ ଯାନବାହାନ ଚଳାଚଳ ପାଇଁ ପୁରା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସହରଟି ପରିବେଶ ଅନୁକୂଳ ପରିବହନର ବ୍ୟବହାରକୁ ପ୍ରୋତ୍ସାହିତ କରି ଆସିଛି । ଏଣୁ ୨୦୧୦ ରେ ୟୁରୋପୀୟ କମିଶନ ଦ୍ୱାରା ଏହା ୟୁରୋପର ପ୍ରଥମ ସବୁଜ ରାଜଧାନୀ ଭାବରେ ପୁରସ୍କୃତ ହୋଇଥିଲା । କାରଣ ଏହା କାର୍ବନ ନିର୍ଗମନର ପରମାଣକୁ ଯଥେଷ୍ଟ ପରିମାଣରେ କମ କରି ପାରିଥିଲା । ଏହା ସହ ଏହି ସହରଟି ବୈଦ୍ୟୁତିକ ଯାନ ଚଳାଚଳକୁ ମଧ୍ୟ ପ୍ରୋତ୍ସାହିତ କରେ ।

୩. ବ୍ରୁସେଲ୍ସ, ବେଲଜିୟମ୍

ବେଲଜିୟମର ରାଜଧାନୀ ବ୍ରୁସେଲ୍ସ ମଧ୍ୟ ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରିଥାଏ । ସ୍ଥାନୀୟ ବାସିନ୍ଦା ଇ-ଭେହିକିଲ୍ କିମ୍ବା ପାଦରେ ଚାଲି ଚାଲି ଯିବାକୁ ପସନ୍ଦ କରି ଥାଆନ୍ତି । ଗତ ୨୦୨୧ ରେ କେବଳ ବ୍ରୁସେଲ୍ସରେ ୨୩ ହଜାର ବୈଦ୍ୟୁତିକ ଯାନ ବିକ୍ରି ହୋଇଥିବା ସୂଚନା ରହିଛି । ୨୦୨୨ରେ ଏହା ୩୮ହଜାରକୁ ବୃଦ୍ଧି ପାଇଛି ।

୪. ଜୁରିସ୍, ସ୍ୱିଜରଲ୍ୟାଣ୍ଡ

ଜୁରିସ୍ ମୁଖ୍ୟତଃ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ହିଁ ଜଣାଶୁଣା । ସହରରେ ସମ୍ପୂର୍ଣ୍ଣ ଭାବେ ଇ-ଭେହିକିଲ ପବ୍ଲିକ ଟ୍ରାନ୍ସପୋର୍ଟ ବିକଶିତ ହୋଇ ସାରିଛି ।

୫. ମାଦ୍ରିଦ୍, ସ୍ପେନ୍

ଏହାର ମେଟ୍ରୋ ସହ ବସ୍ ସେବା ମଧ୍ୟ ପରିବେଶ ଅନୁକୂଳ ଅଟେ । ସହରରେ ଇ-ବସ୍ ଚଳାଚଳ କରୁଛି । ଏହା ସହ ପେଟ୍ରୋଲ ତଥା ଡିଜେଲ ଯୁକ୍ତ ବସର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ସାରିଛି । ପ୍ରଦୂଷଣକୁ ରୋକିବା ପାଇଁ ନଗର ପ୍ରଶାସନ ଅଧିକ ବୈଦ୍ୟୁତିକ ଯାନ ସହ ସିଏନଜି ଓ ହାଇଡ୍ରୋଜେନ ବସ୍ ଚଳାଚଳ ଉପରେ ଅଧିକ ଗୁରୁତ୍ୱ ଦେଉଛି ।