ଭାଇ ଜିଉନ୍ତିଆ ଓଷା
ଭାଇ ଜିଉନ୍ତିଆ ଓଷା। ପଶ୍ଚିମ ଓଡ଼ିଶାର ଏକ ମହାନ ପର୍ବ। ଏହି ପର୍ବ ମାଧ୍ୟମରେ ଭାଇର ମଙ୍ଗଳ ପାଇଁ ଭଉଣୀ ମାନେ ଉପବାସ କରି ମା’ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରି ଗୁହାରୀ କରିଛନ୍ତିି। ଭାଇ ଭଉଣୀର ସଂପର୍କ ପବିତ୍ର। ଭାଇ ହେଉଛି ଭଉଣୀର ରକ୍ଷା କବଚ। ବିପଦ ଆପଦରେ ସବୁବେଳେ ଭଉଣୀକୁ ଭାଇ ହିଁ ସାହାଯ୍ୟ କରିଥାଏ। ଏଥିପାଇଁ ଭାଇର ମଙ୍ଗଳ କାମନା ସହ ଦୀର୍ଘଜୀବନ କାମନା ପାଇଁ ଭଉଣୀ ରଖେ ଉପବାସ। ଏହି ପରିପେକ୍ଷୀରେ ପଶ୍ଚିମଓଡିଶାର ପୁରପଲ୍ଲୀରେ ପାଳିତ ହୋଇଛି ଭାଇ ଜିଉନ୍ତିଆ ଓଷା।
ବରଗଡ଼ ସହରରେ ମଧ୍ୟ ଭକ୍ତି ଓ ଶ୍ରଦ୍ଧାର ସହ ଭାଇ ଜିଉନ୍ତିଆ ଓଷା ପାଳିତ ହୋଇଛି। ଓଷା ଦିନ ଭଉଣୀ ନିର୍ଜଳା ଉପବାସ ରଖି ସଂଧ୍ୟାରେ ଜଗତଜନନୀ ମା ଦୁର୍ଗାଙ୍କଠାରେ ୧୦୮ ଦୁବ ପତ୍ର,୧୦୮ଅକ୍ଷତ ଅରୁଆ ଚାଉଳକୁ ଏକ ଦନାରେ ଜିଉନ୍ତିଆ ଦ୍ଵାରା ବନ୍ଧା ଯାଇଥିବା ପୁଡ଼ିଆ, ଫଳ ମୂଳ ସହ ପୂଜାର୍ଚ୍ଚନା କରିଥାଏ। ଭାଇର ମଙ୍ଗଳ ପାଇଁ ମାଆଙ୍କ ପାଖରେ ଗୁହାରୀ କରିଥାଏ। ପରଦିନ ବଢି ଭୋରରୁ ଗାଧୋଇ ଗାଧୁଆ ତୁଠରେ ସରଗି କାଠି ,କାକୁଡି ,ଫୁଲରେ ବାଲି ଉପରେ ପୂଜା କରିଥାଏ।
ତାପରେ ଘରକୁ ଆସି ନିଜ ଭାଇକୁ ବନ୍ଦାପନା କରି ଜିଉନ୍ତିଆ ଦ୍ଵାରା ବନ୍ଧାଯାଉଥିବା ଦୁବ ପୁଡ଼ିଆକୁ ଅଷ୍ଟାଙ୍ଗ ଶରୀରରେ ଛୁଇଁ ଦେଇଥାଏ। ଯଦ୍ଵାରା ଭାଇର ଶରୀର ସୁସ୍ଥ ସବଳ ନିରୋଗ ରହିବ। ପରେ ପାଣି ପିଇ ଉପଦାସ ଭଙ୍ଗ କରିଥାଏ । ଭାଇକୁ ନବବସ୍ତ୍ର ଉପହାର ମଧ୍ୟ ପ୍ରଦାନ କରିଥାଏ। ଭଉଣୀ ସବୁବେଳ ଭାଇର ମଙ୍ଗଳ ଚାହେଁ। ଦ୍ଵାପର ଯୁଗରେ ଦ୍ରୌପଦୀ ଭାଇ ଶ୍ରୀକୃଷ୍ଣଙ୍କ ପାଇଁ ଉପବାସ ରଖିଥିବା ପୁରାଣରେ ବର୍ଣ୍ଣିତ ରହିଛି। ଏହି ପର୍ବ କେବଳ ପଶ୍ଚିମ ଓଡ଼ିଶାରେ ନୁହଁ, ଭାରତ ବର୍ଷର କୋଣ ଅନୁକୋଣରେ ପାଳିତ ହେଉଛି। ଏହିପର୍ବରେ ଭାଇ ଓ ଭଉଣୀର ସ୍ନେହ ଶରଧା ବାରିହୋଇ ପଡ଼େ।
(ରିପୋର୍ଟ: ଦୀପକ ଶର୍ମା, ବରଗଡ଼)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)