Advertisment

Ganga Dashahara: ପିତୃପୁରୁଷଙ୍କ ଉଦ୍ଧାର ଲାଗି ସ୍ଵର୍ଗରୁ ଗଙ୍ଗାଙ୍କୁ ଆଣି ପାରିଥିବା ଜଣେ ରାଜାଙ୍କ କାହାଣୀ

ନାରାୟଣ ଭଗୀରଥଙ୍କୁ କହିଲେ, ତୁମେ ଶିବଙ୍କୁ ପୂଜା କର, ଗଙ୍ଗା ନିଶ୍ଚୟ ମିଳିବେ। ଭଗୀରଥ ପୁଣି ଶିବଙ୍କୁ କଠୋର ତପସ୍ୟା କଲେ। ପ୍ରଭୁ ଶିବ ତାଙ୍କୁ ହିମବନ୍ତ ନେଇଗଲେ। ସେଠାରୁ ମାତା ଗଙ୍ଗା ସ୍ଵର୍ଗରୁ ମର୍ତ୍ତ୍ୟକୁ ଆସିଲେ। କିନ୍ତୁ ତାଙ୍କ ଭୂମିପତନ ଆଘାତକୁ ରକ୍ଷା କରିବାକୁ, ଶିବ ନିଜ ଜଟା ଫିଟାଇ ଦେଲେ। ଶିବଙ୍କ ଜଟାରେ ପଡ଼ିବା ପରେ ଗଙ୍ଗା ଏକ ଛୋଟ ସ୍ରୋତ ହୋଇ ବହି ଚାଲିଲେ।

author-image
Sarojini Sankhua
ଅଦ୍ୟତନ ହୋଇଛି
why river ganga flows through the hair of lord shiv

why river ganga flows through the hair of lord shiv

ଜ୍ୟୈଷ୍ଠ ଶୁକ୍ଳ ଦଶମୀ ଦିନଟି ଗଙ୍ଗାମାତାଙ୍କୁ ଆଧାର କରି ‘ଗଙ୍ଗା ଦଶହରା’ ଭାବେ ପାଳନ କରାଯାଏ। ଲୋକକଥାରୁ ଶୁଣାଯାଏ ଯେ ଗଙ୍ଗା ନଦୀ ତ୍ରିପଥଗାମୀ। ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଅର୍ଥାତ୍ ତ୍ରିଲୋକ ହେଉଛି ଗଙ୍ଗାଙ୍କର ଗତିପଥ। କିନ୍ତୁ ଭଗବାନ ବିଷ୍ଣୁଙ୍କ ନଖକୋଣରେ ଅବସ୍ଥାନ କରିଥିବା ଏହି ନଦୀ, ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ଧରାବତରଣ କରିଥିଲେ। ତାଙ୍କ ଆଗମନରେ ପୃଥିବୀବାସୀ ଧନ୍ୟ ହୋଇଥିଲେ। ତେଣୁ ତାଙ୍କ ଆଗମନ ଦିନକୁ ‘ଗଙ୍ଗା ଦଶହରା’ ବୋଲି କୁହାଯାଏ। ଗଙ୍ଗା ଦଶହରାରେ ଗଙ୍ଗାଙ୍କ ମନ୍ଦିର ବ୍ୟତୀତ ଅନ୍ୟ ଦେବଦେବୀଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ।

Advertisment

ଗଙ୍ଗାଙ୍କ ଧରାବତରଣ କାହାଣୀ

ଏହା ଅଯୋଧ୍ୟାରେ ରାଜା ସଗର ରାଜୁତି କରୁଥିବା ସମୟର କଥା। ରାଜା ସଗର ଥରେ ଗୋଟିଏ ଅଶ୍ଵମେଧ ଯଜ୍ଞ କଲେ। କାଳେ ଅଶ୍ୱମେଧ ଯଜ୍ଞ କରି, ରାଜା ସଗର ସ୍ୱର୍ଗର ରାଜା ହୋଇଯିବେ, ସେ ଭୟରେ ଇନ୍ଦ୍ର କପଟ କରି ଛଦ୍ମବେଶରେ ଆସି ସେହି ଯଜ୍ଞର ଅଶ୍ୱକୁ ଚୋରାଇ ନେଲେ ଓ ଅଶ୍ୱକୁ ପାତାଳପୁରୀ କପିଳମୁନିଙ୍କ ଆଶ୍ରମରେ ବାନ୍ଧିଦେଲେ।

ରାଜା ସଗରଙ୍କର ସୁମତି ନାମ୍ନୀ ପ୍ରଥମ ରାଣୀଙ୍କର ଷାଠିଏ ହଜାର ପୁତ୍ର ଥିଲେ। ସେମାନେ ଯେପରି ବଳବାନ, ସେହିପରି ଉଦ୍ଧତ। ପିତା ସଗରଙ୍କ ଆଦେଶରେ ସେମାନେ ଖୋଜି ଖୋଜି ଆସି କପିଳ ମୁନିଙ୍କ ଆଶ୍ରମରେ ପହଞ୍ଚିଲେ ଏବଂ ସେହି ଯଜ୍ଞ ଅଶ୍ୱଟିକୁ କପିଳମୁନିଙ୍କ ଆଶ୍ରମରେ ଦେଖିଲେ। ଅଶ୍ଵକୁ ଦେଖି ସେହି ଷାଠିଏ ହଜାର ପୁତ୍ର ଭାବିଲେ ଯେ, କପିଳ ମୁନି ଏହାକୁ ଚୋରାଇ ଆଣିଛନ୍ତି। ସେମାନେ ଅତ୍ୟନ୍ତ ରାଗିଯାଇ ତପସ୍ୟାରେ ଥିବା କପିଳ ମୁନିଙ୍କୁ ବହୁ ଦୁର୍ବ୍ୟବହାର କଲେ।

Advertisment

କପିଳମୁନି ଥିଲେ ଭଗବାନ ବିଷ୍ଣୁଙ୍କର ଅବତାର। ତାଙ୍କର ଧ୍ୟାନ ଭଙ୍ଗ ହେଲା। ସେ କ୍ରୋଧିତ ହୋଇ ଚାହିଁବାରୁ, ସଗରଙ୍କର ଷାଠିଏ ହଜାର ପୁତ୍ର ସେଠାର ଭସ୍ମ ହୋଇଗଲେ। ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ ସେଠାରେ ଥିଲେ। ଗରୁଡ଼ ଥିଲେ ସଗରପୁତ୍ର ମାନଙ୍କର ସମ୍ପର୍କରେ ମାମୁ। ସେ କହିଲେ, ସ୍ୱର୍ଗବାସିନୀ ଗଙ୍ଗାଙ୍କୁ ଯଦି ତପ ବଳରେ ମର୍ତ୍ତ୍ୟକୁ ଅଣାଯାଇ ପାରିବ, ସେହି ଜଳରେ ତର୍ପଣ କଲେ, ସେମାନେ ଉଦ୍ଧାର ପାଇବେ। ଏଥିପାଇଁ ସଗରରାଜଙ୍କ ନାତି ଅଂଶୁମାନ ଘୋର ତପସ୍ୟା କଲେ, ମାତ୍ର ସେଥିରେ ବିଫଳ ହେଲେ।

ତାଙ୍କ ପରେ ତାଙ୍କ ପୁତ୍ର ଦିଲ୍ଲୀପ ମଧ୍ୟ ତପସ୍ୟା କଲେ। ସେ ମଧ୍ୟ ତପସ୍ୟାରେ ବିଫଳ ହେଲେ। ତେଣୁ ଗଙ୍ଗା ମର୍ତ୍ତ୍ୟକୁ ଆସିବା ସମ୍ଭବ ହୋଇପାରିଲା ନାହିଁ। ତାଙ୍କ ପରେ ଦିଲ୍ଲୀପଙ୍କ ପୁତ୍ର ଭଗୀରଥ କଠୋର ତପସ୍ୟା କରି ଗଙ୍ଗାଙ୍କୁ ମର୍ତ୍ତ୍ୟକୁ ଆଣିଥିଲେ। ତେଣୁ ଗଙ୍ଗାଙ୍କର ଅନ୍ୟ ନାମ ଭାଗିରଥୀ। ଜ୍ୟେଷ୍ଠ ଶୁକ୍ଳ ଦଶମୀ ବା ଗଙ୍ଗା ଦଶହରା ସେହି ସ୍ୱର୍ଗଗଙ୍ଗାଙ୍କର ମର୍ତ୍ତ୍ୟାବତରଣର ତିଥି।

ଭଗୀରଥ କିପରି ଗଙ୍ଗାଙ୍କୁ ଆଣିଲେ !

ଦିନେ ଭଗୀରଥ ମୃଗୟାରେ ବଣକୁ ଯାଇଥିଲେ। ସେଠାରେ ଗୋଟିଏ ଜାଗାରେ ଦେଖିଲେ, ନିଆଁ ଜଳୁଛି ଆଉ ତା ଭିତରେ ଅନେକ ଲୋକ ଜଳି ଯାଉଛନ୍ତି। ଜଳି ଜଳି ସେମାନେ ଛଟପଟ ହେଉଛନ୍ତି। କିଏ ଅଧା ଜଳି ଯାଉଛି ତ ପୁଣି କାହାର ଜଳି ଯାଇଥିବା ମାଂସ ପୁନଶ୍ଚ କଅଁଳି ଉଠୁଚି। କିନ୍ତୁ କେହି ପୋଡ଼ି ହେଇ ମରୁନାହାନ୍ତି। ଏହା ଦେଖି ଭଗିରଥ ବହୁତ ଆଶ୍ଚର୍ଯ୍ୟ ହେଲେ। ନଗରକୁ ଫେରିଯାଇ ୠଷି ବଶିଷ୍ଠଙ୍କୁ ଏହାର କାରଣ ପଚାରିଲେ। ବଶିଷ୍ଠ ପୂର୍ବର ସବୁକଥା ଗୋଟି ଗୋଟି କରି କହିଲେ। ସବୁକଥା ଶୁଣି ଭଗିରଥ କପିଳମୁନିଙ୍କ ପାଖକୁ ଯାଇ ନିଜ ପିତୃପୁରୁଷଙ୍କ ଉଦ୍ଧାର ଲାଗି ଉପାୟ ଜାଣିବାକୁ ଚାହିଁଲେ।

କପିଳ ମୁନି କହିଲେ- “ସ୍ୱର୍ଗକୁ ଯାଇ ଗଙ୍ଗାଦେବୀଙ୍କୁ ଦର୍ଶନ କରି ତାଙ୍କୁ ମର୍ତ୍ତ୍ୟକୁ ଆଣି ଏମାନଙ୍କ ଶରୀର ଧୋଇଲେ, ମୋ ଶାପରୁ ତରିଯିବେ।“ ମୁନିଙ୍କ କଥା ଶୁଣି ଭଗିରଥ ରାଜ୍ୟଭାର ମନ୍ତ୍ରୀଙ୍କୁ ଦେଇ, ଗୋଦାବରୀ ନଦୀ କୂଳରେ ହଜାରେ ବର୍ଷ ବ୍ରହ୍ମାଙ୍କୁ ତପସ୍ୟା କଲେ। ତାଙ୍କ ତପସ୍ୟାରେ ବ୍ରହ୍ମା ସନ୍ତୁଷ୍ଟ ହୋଇ ବର ମାଗିବାକୁ କହିଲେ। ଭଗୀରଥ, ଗଙ୍ଗାଙ୍କୁ ଦେବା ପାଇଁ ବ୍ରହ୍ମାଙ୍କୁ କହିଲେ। ବ୍ରହ୍ମା କହିଲେ ଯେ, ଗଙ୍ଗା, ବିଷ୍ଣୁଙ୍କ ନଖ କୋଣରେ ଲୁଚିଛନ୍ତି। ତେଣୁ ତୁମେ ବିଷ୍ଣୁଙ୍କର ପଦସେବା କରି ଗଙ୍ଗାଙ୍କୁ ମାଗିନିଅ।

ଏହାପରେ ଭଗୀରଥ ବିଷ୍ଣୁଙ୍କୁ ଧ୍ୟାନ କଲେ। ନାରାୟଣ ତାଙ୍କୁ କହିଲେ ଯେ, ତୁମେ ଶିବ ଶଙ୍କରଙ୍କୁ ପୂଜା କର, ଗଙ୍ଗା ନିଶ୍ଚୟ ମିଳିବେ। ଭଗୀରଥ ପୁଣି ଶିବଙ୍କୁ ବହୁ କଠୋର ତପସ୍ୟା ବଳରେ ସନ୍ତୁଷ୍ଟ କଲେ। ଭଗୀରଥଙ୍କ ଭକ୍ତିଭାବ ଦେଖି, ପ୍ରଭୁ ଶିବ ତାଙ୍କୁ ନେଇ ନିଜେ ହିମବନ୍ତ ଗଲେ। ସେଠାରୁ ଗଙ୍ଗା ସ୍ଵର୍ଗରୁ ମର୍ତ୍ତ୍ୟକୁ ଆସିଲେ। ତାଙ୍କର ଭୂମିପତନ ସମୟର ଆଘାତକୁ ରକ୍ଷା କରିବାକୁ ଯାଇ, ଶିବ ନିଜ ଜଟା ଫିଟାଇ ଦେଲେ। ଶିବଙ୍କ ଜଟାରେ ପଡ଼ିବା ପରେ ଗଙ୍ଗା ଏକ ଛୋଟ ସ୍ରୋତ ହୋଇ ବହି ଚାଲିଲେ। ପ୍ରଥମେ ଗଙ୍ଗା ଭଗୀରଥଙ୍କ ଅଭିଶପ୍ତ ପିତୃପୁରୁଷଙ୍କୁ ଉଦ୍ଧାର କଲେ।

ଗଙ୍ଗା ସ୍ୱର୍ଗକୁ ଗଲେ କାହିଁକି?

ଗଙ୍ଗାଙ୍କର ଗୋଟିଏ ନାଁ ‘ସୁରଧୁନୀ’ ବା ‘ସ୍ଵର୍ଗଗଙ୍ଗା’। ଏହାଙ୍କର ଆଉ ଗୋଟିଏ ନାଁ ‘ମନ୍ଦାକିନୀ’। ଏ ସଂପର୍କରେ ପୁରାଣମାନଙ୍କରେ ବର୍ଣ୍ଣନା ଅଛି ଯେ, ହିମାଳୟଙ୍କ ପତ୍ନୀ ମେନାଙ୍କର ଦୁଇକନ୍ୟା ହେଉଛନ୍ତି ଗଙ୍ଗା ଓ ଉମା। ଗଙ୍ଗାଙ୍କର ଜନ୍ମ ପରେ ଦେବତାମାନେ ହିମାଳୟଙ୍କୁ ଅନୁରୋଧ କରି ତାଙ୍କୁ ସ୍ୱର୍ଗକୁ ନେଇ ଯାଇଥିଲେ। ସେଠାରେ ସେ ଏକ ନ‌ଦୀ ରୂପେ ଦେବତାମାନଙ୍କର ଆନନ୍ଦ ବର୍ଦ୍ଧନ କଲେ। ପରେ ସେ ଭଗୀରଥଙ୍କ ପାଇଁ ଧରାବତରଣ କରିଥିଲେ।

ଜ୍ୟେଷ୍ଠ ଶୁକ୍ଳ ଦଶମୀ ବା ଗଙ୍ଗା ଦଶହରା ହେଉଛି ସ୍ୱର୍ଗଗଙ୍ଗାଙ୍କର ମର୍ତ୍ତ୍ୟବତରଣର ତିଥି। ଏହି ତିଥିରେ ଗଙ୍ଗାରେ ସ୍ନାନ କଲେ ବା ଯେକୌଣସି ଜଳକୁ ଗଙ୍ଗାନାରାୟଣ ମନେକରି ସେଥିରେ ସ୍ନାନ କଲେ, କାୟିକ, ବାଚିକ ବା ମାନସିକ ଆଦି ଦଶବିଧ ପାପ ନାଶ ହୁଏ ବୋଲି ବିଶ୍ଵାସ କରାଯାଏ। ଗଙ୍ଗା ଦଶହରାରେ ଗଙ୍ଗାଙ୍କ ମନ୍ଦିର ବ୍ୟତୀତ ଅନ୍ୟ ଦେବଦେବୀଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ। ଗଙ୍ଗା ଦଶହରାରେ ଦାନପୁଣ୍ୟର ବିଶେଷ ମହତ୍ତ୍ୱ ରହିଛି।

Rishiganga River
Advertisment
Advertisment