Advertisment

ନୂଆଁଖାଇ ପାଇଁ ଉଠୁଛି ପଡ଼ୁଛି ପଶ୍ଚିମ ଓଡ଼ିଶା; ସବୁଠି ଉତ୍ସବର ମାହୋଲ୍

ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କ ପାଖରେ ଓ ବଲାଙ୍ଗିରର ମାଆ ପାଟଣେଶ୍ବରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ। ପ୍ରଥମେ ପରିବାର ବଡ଼ବଡ଼ୁଆଙ୍କୁ ମୁଣ୍ଡିଆ ମାରି ଆସର ବସିବ।

author-image
Sonali Ojha
Nuakhai Juhar

Nuakhai Juhar

ଆଜି ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ଗାଁଠୁ ସହର। ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଲାଗି ହେବ ନବାନ୍ନ । ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନୂଆଁ ଖାଦ୍ୟ ଲଗାଇବା ପରେ, ପରିବାର ସହ ଏକାଠି ବସିବେ ସମସ୍ତେ। ନୂଆଁ ଅନ୍ନ ସହ ଭଳି ଭଳିକା ଖାଦ୍ୟ ଖାଇବେ।

Advertisment

ସମ୍ବଲପୁରରେ ମାଆ ସମଲେଶ୍ବରୀଙ୍କ ପାଖରେ ଓ ବଲାଙ୍ଗିରର ମାଆ ପାଟଣେଶ୍ବରୀଙ୍କ ପାଖରେ ନୂଆ ଖାଦ୍ୟ ଲାଗି କରାଯିବ। ପ୍ରଥମେ ପରିବାର ବଡ଼ବଡ଼ୁଆଙ୍କୁ ମୁଣ୍ଡିଆ ମାରି ଆସର ବସିବ। ପରେ ନୂଆଁଖାଇ ପାଳନ ହେବ। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଲୋକେ ନିଜ ନିଜ ଘରକୁ ଯାଇଛନ୍ତି। ସହରରେ ଥିବା ଲୋକେ ଗାଁକୁ ଓ ରାଜ୍ୟ ବାହାରେ ରହୁଥିବା ଲୋକେ ଘରକୁ ଫେରିଛନ୍ତି।

ବିଶେଷ କରି ଏହା ଏକ କୃଷିଭିତ୍ତିକ ପର୍ବ। ପଶ୍ଚିମ ଓଡ଼ିଶା ବାସୀଙ୍କର ମୁଖ୍ୟଜୀବିକା ହେଉଛି କୃଷି। କୃଷିଜାତ ଅନ୍ନର ମହତ୍ତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳିତ ହୋଇଆସୁଛି। ଓଡ଼ିଶାର ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଂଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ କେତେକ ଅଂଚଳରେ ଏହି ନୂଆଁଖାଇ ପର୍ବ ଖୁବ ଧୂମଧାମରେ ପାଳିତ ହୋଇଥାଏ।

Advertisment

ବର୍ଷ ପ୍ରାରମ୍ଭରେ ଉତ୍ପାଦିତ ଶସ୍ୟର ଅନ୍ନକୁ ବିଶେଷ କରି ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜ ଇଷ୍ଟ ଦେବଦେବୀଙ୍କ ଅର୍ପଣକରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସଙ୍ଗେସଙ୍ଗେ ଅନ୍ୟମାନଙ୍କୁ ପଂକ୍ତି ଭୋଜନରେ ଆପ୍ୟାୟିତ କରିବାର ଧାରା ହେଉଛି ନୂଆଖାଇ ପର୍ବ।ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ।

ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ଏହିଦିନ ନିଜ ଘରକୁ ଆସିବାକୁ ଚେଷ୍ଟା କରିଥାନ୍ତି। ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି। ବିଶେଷକରି ଗୁଜରାଟର ସୁରତ, ଛତିଶଗଡ଼ର ରାୟପୁର, ବିଶାଖାପାଟଣା, ଚେନ୍ନାଇ, ମୁମ୍ବାଇ ଓ ଦିଲ୍ଲୀ ଆଦି ସହରରେ ମଧ୍ୟ ଏହା ପାଳନ କରାଯାଇଥାଏ।

Nuakhai
Advertisment
Advertisment