Advertisment

ଲାଲକିଲ୍ଲାରେ ଭାବୁକ ହେଲେ ମୋଦି : କହିଲେ, ନାରୀ ଜାତିର ଅପମାନକୁ ବରଦାସ୍ତ କରାଯିବନି

ଦୈନନ୍ଦିନ ଜୀବନରେ ମହିଳାଙ୍କୁ ଅସମ୍ମାନ କରାଯାଇଛି । ଏହାକୁ ବନ୍ଦ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

ସ୍ୱାଧୀନତାର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଅଭିଭାଷଣ ଦେବା ସମୟରେ ମୋଦି ଭାବପ୍ରବଣ ହେବା ସହ କଡ଼ା ସନ୍ଦେଶ ଦେଇଛନ୍ତି । ଦେଶରେ ନାରୀ ଶକ୍ତିକୁ ସମ୍ମାନ ଦେବା ଜରୁରୀ । ନାରୀଙ୍କ ପ୍ରତି ଅପମାନ ପ୍ରଦର୍ଶନ ସ୍ୱୀକାର କରାଯିବ ନାହିଁ । ଦେଶରେ ନାରୀଙ୍କୁ ସମ୍ମାନ ଦେବା ପ୍ରାଥମିକତା ହେବା ଆବଶ୍ୟକ । ନାରୀଙ୍କୁ ସମ୍ମାନ ଦେବା ରାଷ୍ଟ୍ର ପାଇଁ ଗୌରବର ବିଷୟ । ନାରୀଙ୍କୁ ସୁଯୋଗ ଦେଲେ ଶୀଘ୍ର ସ୍ୱପ୍ନ ପୂରଣ ହେବ ।

Advertisment

ଲାଲକିଲ୍ଲାରେ ଯନ୍ତ୍ରଣା ବଖାଣିଲେ ମୋଦି

ଲାଲକିଲ୍ଲାରୁ ଦେଶବାସୀଙ୍କ ସହ ମୋର ଏକ ଦୁଃଖ ବାଣ୍ଟିବାକୁ ଚାହୁଁଛି ବୋଲି ମୋଦି କହିଛନ୍ତି । ମନରେ ଥିବା କଥା ନକହିଲେ ଭିତରଟା ଗୋଳେଇଘାଣ୍ଟି ହେବ । ମୁଁ ମୋ ଭିତରେ ଥିବା ଯନ୍ତ୍ରଣାକୁ ଦେଶବାସୀଙ୍କ ସାମ୍ନାରେ ନକହିଲେ କାହା ସାମ୍ନାରେ କହିବି ? ସମ୍ବୋଧନ ସମୟରେ ନାରୀ ସମ୍ମାନର କଥା ଉଠାଇଛନ୍ତି ମୋଦି । ସେ କହିଛନ୍ତି, ଯୁଗ ବଦଳିଛି ସିନା ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇନି । ଦୈନନ୍ଦିନ ଜୀବନରେ ମହିଳାଙ୍କୁ ଅପମାନିତ ହେବାକୁ ପଡ଼ୁଛି । ସ୍ୱଭାବ, ସଂସ୍କାର, ଚାଲିଚଳନ, ହାବଭାବ ମାଧ୍ୟମରେ ନାରୀଜାତିକୁ ଅସମ୍ମାନ କରାଯାଉଛି ।  ଜାତିର ସ୍ୱପ୍ନ ପୂରଣ କରିବା ପଛରେ ମହିଳାଙ୍କ ବୃହତ୍ ଅବଦାନ ରହିଛି ।

ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଯୁବପିଢ଼ିଙ୍କୁ ସଂକଳ୍ପ ନେଇ କାମ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆଗାମୀ ୨୫ ବର୍ଷ ମାନବ କୈନ୍ଦ୍ରିକ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ । ଏହାସହ ସ୍ୱଚ୍ଛତା, ବିଜୁଳି ସଂଯୋଗ, ପାନୀୟ ଜଳ ଯୋଗାଣ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି । ‘ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ। ସାମର୍ଥ୍ୟର ସହ କାର୍ଯ୍ୟ କରି ଗୁଲାମୀ ଠାରୁ ଦୂରେଇ ଯାଇଛୁ। ଡିଜିଟାଲ ଇଣ୍ଡିଆ, ଷ୍ଟାଟ୍‌ ଅପ୍‌ର ସୁଫଳ ଦେଶବାସୀଙ୍କୁ ମିଳିଛି। ଭାରତର ପବିତ୍ର ଜୀବନ ଶୈଳୀକୁ ସାରା ବିଶ୍ୱ ଗ୍ରହଣ କରିଛି। ସଂଯୁକ୍ତ ପରିବାରର ମହନୀୟତା ହେଉଛି ଆମର ସାମର୍ଥ୍ୟ।’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଲାଲକିଲ୍ଲାରେ ବିରୋଧୀଙ୍କୁ କଡ଼ା ସମାଲୋଚନା

ଲାଲକିଲ୍ଲାରେ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ପୂର୍ବ ଭଳି ପରିସ୍ଥିତି ନାହିଁ । ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ ଆରମ୍ଭ ହୋଇଛି । ପୂର୍ବ ସରକାରରେ ଲୁଟେରାଙ୍କ ସଂପତ୍ତି ଜବତ ଆରମ୍ଭ ହୋଇଛି । ଭ୍ରଷ୍ଟାଚାର ଦେଶକୁ ଖୋଳ କରୁଛି, ଦେଶବାସୀ ମିଶି ଏହା ବିରୋଧରେ ଲଢ଼ିବାକୁ ସେ ଆହ୍ୱାନ କରିଛନ୍ତି । ଏବେ ଭ୍ରଷ୍ଟାଚାରୀ ଜେଲ୍ ଗଲେ ବି ତାଙ୍କ ପ୍ରତି ଦରଦ ଦେଖାଯାଉଛି । ଏପରି ମାନସିକତାଠାରୁ ଦୂରେଇ ରହିବା ଦରକାର ବୋଲି ସେ କହିଛନ୍ତି । ପରିବାରବାଦ ଆମର ଅନେକ ସଂସ୍ଥାକୁ ନିୟନ୍ତ୍ରଣ କରୁଛି ।

ଏପରିକି ପରିବାରବାଦ ଦ୍ୱାରା ଅନେକ ପ୍ରତିଭା ଲୁଚି ଯାଉଛନ୍ତି । ପରିବାରବାଦ ରାଜନୀତି ପରିବାରର ଭଲ ପାଇଁ, ଦେଶ ପାଇଁ ନୁହେଁ ବୋଲି ଦୋହରାଇଛନ୍ତି । ଖାଲି ରାଜନୀତିରେ ନୁହେଁ ଖେଳ ମୈଦାନରେ ବି ପରିବାରବାଦ ପାଇଁ କ୍ଷତି ପହଞ୍ଚୁଥିଲା । ସବ୍ କା ପ୍ରୟାସ ଓ ଟିମ୍ ଇଣ୍ଡିଆ ମନୋଭାବ ନେଇ ଆଗକୁ ଆସନ୍ତୁ ବୋଲି ଦେଶବାସୀଙ୍କୁ କହିଛନ୍ତି ମୋଦି ।

PM Modi Independence Day Independence Day 2022
Advertisment
Advertisment