Advertisment

ନୀତି ସବ୍‌କମିଟିରେ ବି ଝୁଲିଲା ବନକଲାଗି ବାର କେଁ

ଠାକୁରଙ୍କ ବନକଲାଗି ନୀତିରେ ଅହେତୁକ ବିଳମ୍ବ ପାଇଁ ଭକ୍ତଙ୍କ କ୍ଷୋଭ ଓ ଆଜିର ନୀତି ସବକମିଟି ବୈଠକ ପରେ ସାମାନ୍ୟ ନରମିଛି ଦତ୍ତମହାପାତ୍ର ନିଯୋଗ।

author-image
Chandan Shishu
ଅଦ୍ୟତନ ହୋଇଛି
୨୮ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର

୨୮ ଦିନ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର

୨୮ ଦିନ ଧରି ବନ୍ଦ ଥିବା ସ୍ବୟଂ ମହାପ୍ରଭୁଙ୍କ ଶ୍ରୀମୁଖ ଶିଙ୍ଗାର, ଭକ୍ତଙ୍କ ଭାବାବେଗ। କାହାର ଯେମିତି କିଛି ବି ଖାତିର ନାହିଁ । କେହି କାହା ଜିଦି ଛାଡ଼ିବାକୁ ପ୍ରସ୍ତୁତ 
ନୁହଁନ୍ତି। ନୀତି ସବକମିଟି ବୈଠକରେ ବି ମହାପ୍ରଭୁଙ୍କ ବନକଲାଗି ବିବାଦରେ ପଡି ପାରିଲାନି ପୂର୍ଣ୍ଣଛେଦ। ଆସନ୍ତା ୧ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି। ତେବେ ସେବାପୂଜା ଅଧିକାରର ଦୁରୂପଯୋଗ ନକରିବାକୁ ସେବାୟତମାନଙ୍କୁ କଡ଼ା ଭାଷାରେ ଶୁଣାଇଛନ୍ତି ମୁଖ୍ୟ ପ୍ରଶାସକ। ସେପଟେ ଆସନ୍ତା ବୁଧବାର ଠାକୁରଙ୍କ ନକ୍ଷତ୍ର ବନ୍ଦାପନା ନୀତି ଥିବାରୁ ସେଦିନ ବି ଶ୍ରୀମୁଖ ଶୃଙ୍ଗାର ହେବା ନେଇ ଆଶଙ୍କା ଉପୁଜିଛି।

Advertisment

ନୀତି ସବ୍‌କମିଟିରେ ବି ଝୁଲିଲା ବନକଲାଗି ବାର କେଁ। ଅଗଷ୍ଟ ୧ ପରିଚାଳନା କମିଟି ମିଟିଂକୁ ଘୁଞ୍ଚିଗଲା ନିଷ୍ପତ୍ତି। ତେଣୁ ଆଜି ବି ବାହାରି ପାରିନି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବିବାଦର ନିଷ୍କର୍ସ। ଦତ୍ତମହାପାତ୍ର ସେବାୟତଙ୍କ ଜିଦ୍ ଗୁରୁବାର ଓ ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ ବୁଧବାର। ଉଭୟେ ନିଜ ନିଜ ଜିଦରେ ଅଟଳ ରହିବା କାରଣରୁ ନିଳାଦ୍ରୀ ବିଜେ ପରଠୁ ଦୀର୍ଘ ୨୮ ଦିନ ହେଲା ବନ୍ଦ ଥିବା ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଶୀଘ୍ର କରାଯିବା ନେଇ ଆଜି ବସିଥିଲା ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକ। ଯେଉଁଥିରେ ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ଓ କମାଣ୍ଡରଙ୍କ ସହ ମ୍ୟାନେଜିଂ କମିଟି ମେମ୍ବର ଓ ବିଭିନ୍ନ ନିଯୋଗର ସଦସ୍ୟମାନେ ଉପସ୍ଥିତ ରହି ସେମାନଙ୍କ ମତ ଉପସ୍ଥାପନ କରିଥିଲେ।

ଏମିତିକି ଏଥିରେ ନିଳାଦ୍ରୀ ମହୋଦୟ, ବାମଦେବ ସଂହିତା ଓ ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସରେ ବନକଲାଗି ନୀତି ଓ ପରମ୍ପରା ସମ୍ପର୍କରେ ବି ବିସ୍ତୃତ ଆଲୋଚନା ହୋଇଥିଲା। ତେବେ ଯେହେତୁ ଏହା ଏକ ନୀତି ସବ୍- କମିଟି ବୈଠକ ଥିଲା, ତେଣୁ ଏଥିରେ କୌଣସି ସଠିକ୍ ପଦକ୍ଷେପ ନିଆଯାଇ ପାରିନାହିଁ। ବରଂ ବୈଠକରେ ଯାହା ସବୁ ପ୍ରସ୍ତାବମାନ ଆସିଛି, ତାହା ଆସନ୍ତା ଅଗଷ୍ଟ ପହିଲାରେ ବସିବାକୁ ଥିବା ପରିଚାଳନା କମିଟିକୁ ପଠାଇ ଦିଆଯିବ ଓ ସେହିଦିନ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।

Advertisment

ଏହାଛଡ଼ା ସେବାପୂଜା ଅଧିକାରର ଦୁରୂପଯୋଗ ନକରିବାକୁ ବି ସେବାୟତମାନଙ୍କୁ କଡ଼ା ଭାଷାରେ ଶୁଣାଇବା ସହ ଏଥି ପାଇଁ ବିକଳ୍ପର ବାଟ ବି ଅଛି ବୋଲି ସିଧା କହିଥିଲେ। ତେଣେ ଠାକୁରଙ୍କ ସେବା ପୂଜାରେ ବିଳମ୍ବ କରୁଥିବା ସେବାୟତଙ୍କ ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ବୋଲି ବି ସଙ୍କେତ ଦେଇଛନ୍ତି ଅନ୍ୟଜଣେ ପରିଚାଳନା କମିଟି ସଦସ୍ୟ ଅଶୋକ ମହାପାତ୍ର।

ତେଣେ ଠାକୁରଙ୍କ ବନକଲାଗି ନୀତିରେ ଅହେତୁକ ବିଳମ୍ବ ପାଇଁ ଭକ୍ତଙ୍କ କ୍ଷୋଭ ଓ ଆଜିର ନୀତି ସବକମିଟି ବୈଠକ ପରେ ସାମାନ୍ୟ ନରମିଛି ଦତ୍ତମହାପାତ୍ର ନିଯୋଗ। ନିଯୋଗର ସଂପାଦକ ଓଟିଭିକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି- 'ଯଦି ପରିଚାଳନା କମିଟି କହିବେ, ତାହାଲେ ଆସନ୍ତା ବୁଧବାର ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗ ରାଜି ଅଛି। କିନ୍ତୁ କେବଳ ବୁଧବାର ଏହା ନକରି ଗୁରୁବାର ମଧ୍ୟ କରାଯିବା ଦରକାର ବୋଲି କହିଛନ୍ତି। ତେବେ ଏ ବିବାଦର ସ୍ଥାୟୀ ସମାଧାନ ପାଇଁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ, ନିଜେ ସିଧାସଳଖ ଦତ୍ତମହାପାତ୍ର ନିଯୋଗ ସହ କଥା ହେବାକୁ ସେ ନିବେଦନ କରିଛନ୍ତି। ଏଣେ ଏତେସବୁ ସତ୍ତ୍ବେ 
ବି ଆସନ୍ତା ବୁଧବାର କି ଗୁରୁବାର, କେବେ ଠାକୁରଙ୍କ ବନକଲାଗି ହେବ, ସେ ସନ୍ଦେହ ଦୂର ହୋଇନି।

ଯେହେତୁ ଆସନ୍ତା ବୁଧବାର ନକ୍ଷତ୍ର ବନ୍ଦାପନା ନୀତି ରହିଛି, ତେଣୁ ସେ ଦିନ ବନକଲାଗି ହୋଇନପାରେ, ଦରକାର ପଡ଼ିଲେ ତା ପରଦିନ ଅର୍ଥାତ୍ ଗୁରୁବାରକୁ ଏହା ଘୁଞ୍ଚିପାରେ ବୋଲି କହିଛନ୍ତି ଅନ୍ୟଜଣେ ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ମାଧବ ମହାପାତ୍ର।

ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ବିବାଦ କାରଣରୁ ଦିନକୁ ଦିନ ମଳିନ ପଡ଼ିଆସୁଥିବା ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଆସନ୍ତା ବୁଧବାର ହେବ ନା ଗୁରୁବାର ? ତାହା ସ୍ପଷ୍ଟ ହେବ ଅଗଷ୍ଟ ପହିଲା ପରିଚାଳନା କମିଟି ବୈଠକରେ। ତେବେ ଏସବୁ ଭିତରେ ବଡ଼ ପ୍ରଶ୍ନ ସ୍ୱୟଂ ମହାପ୍ରଭୁଙ୍କ ପ୍ରତି ଏ ଅବହେଳା ପାଇଁ କିଏ ଦାୟୀ, ସେବାୟତ, ପ୍ରଶାସନ ନା ଉଭୟ।

Jagannath Temple Lord Jagannath Temple
Advertisment
Advertisment