Special Story: ଆସୁଛନ୍ତି ମା’ ଜଗତଜନନୀ; ଅଧ୍ୟାତ୍ମିକତାର ମନ୍ତ୍ରରେ ଗୁଞ୍ଜରିତ ହେଉଛି ଦେବୀପୀଠ

ମା’ ତାରାତାରିଣୀଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ, ଋଷିକୂଲ୍ୟା ନଦୀରୁ ଜଳଭାର ନେଇ ୯୯୯ ପାହାଚ ଚଢି ପୀଠରେ ପହଞ୍ଚିଛନ୍ତି ସେବାୟତ ପରିବାରର ମହିଳାମାନେ । 

Ritual Worships

ଦେବୀ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ମା’ଙ୍କ ଦର୍ଶନ ପାଇଁ ଲାଗୁଛି ଭକ୍ତଙ୍କ ଗହଳି । କରାଯାଉଛି ପୂଜାପାଠ । ରୀତିନୀତି ଅନୁଯାଇ ଚାଲିଛି ନୀତିକାନ୍ତି । ଗଞ୍ଜାମ ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଓ ସୋରଡାର ଅଧିଷ୍ଠାତ୍ରୀ ଦେବୀ ମା’ କନ୍ଧୁଣିଦେବୀଙ୍କ କଣ୍ଟାପିଢ଼ା ଯାତ୍ରାର ଚାଲିଛି ପୂଜା । ମା’ ତାରାତାରିଣୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିବାବେଳେ, ଋଷିକୂଲ୍ୟା ନଦୀରୁ ଜଳଭାର ନେଇ ୯୯୯ ପାହାଚ ଚଢି ପୀଠରେ ପହଞ୍ଚିଛନ୍ତି ସେବାୟତ ପରିବାରର ମହିଳାମାନେ । 

ପବିତ୍ର ମୂଳାଷ୍ଟମି ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା’ ତାରାତାରିଣୀଙ୍କ ପୀଠରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ମା’ଙ୍କ ସ୍ନାନ ସହ ଷୋଡ଼ଶ ଉପଚାର ପୂଜା ଦେଖିବା ପାଇଁ ଏଠି ଭକ୍ତଙ୍କ ଗହଳି ଲାଗିରହେ । ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ତାରାତାରିଣୀଙ୍କ ପୀଠରେ ପ୍ରତ୍ୟହ ଚଣ୍ଡିପାଠ, ହୋମ, ଯଜ୍ଞ ସହ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବ । ଷୋଡ଼ଶ ଉପଚାର ପୂଜା ସମୟରେ ମା’ଙ୍କୁ ଦର୍ଶନ କରି ଅଖଣ୍ଡ ଦୀପ ଜାଳିଲେ ଦୁଃଖ ଲାଘବ ହୁଏ ବୋଲି ଶ୍ରଦ୍ଧାଳୁଙ୍କ ବିଶ୍ବାସ ରହିଛି ।

ଏପଟେ ଯୁଆଡେ ଦେଖିବେ ରଙ୍ଗ ବେରଙ୍ଗର ଆଲୋକ ମାଳା, ସୁଉଚ୍ଚ ତୋରଣ ସାଙ୍ଗକୁ ଭଳିକି ଭଳି ଷ୍ଟଲରେ ବିକ୍ରି ହେଉଛି ମନ ପସନ୍ଦ ଜିନିଷ । ବିଭିନ୍ନ ପ୍ରକାରର ଦୋଳି ମଧ୍ୟ ପଡ଼ିଛି । ଆଉ ଆଲୋକ ମାଳାରେ ସଜ୍ଜିତ ହୋଇଛି ମା’ଙ୍କ ପୀଠ । ଢୋଲ ମହୁରୀ ଘଣ୍ଟ ବାଦ୍ୟରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ । ସୋରଡାର ଅଧିଷ୍ଠାତ୍ରୀ ଦେବୀ ମା’ କନ୍ଧୁଣିଦେବୀଙ୍କ କଣ୍ଟାପିଢ଼ା ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଠାରେ ସଂଧ୍ୟା ହେଲେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । 

ତେବେ ଆଗକୁ ଆସୁଛନ୍ତି ମା’ ଜଗତଜନନୀ । ଆରମ୍ଭ ହୋଇଯାଇଛି ଷୋଡଶ ଉପଚାର ପୂଜା । ସମସ୍ତ ଦେବୀ ପୀଠ ଯେମିତି ଅଧ୍ୟାତ୍ମିକତାର ମନ୍ତ୍ରରେ ଗୁଞ୍ଜରିତ ହୋଇ ଉଠୁଛି ।