• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ପର୍ବ ହେଉଛି ଚନ୍ଦନଯାତ୍ରା। ଏହା ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଚାଲେ। ଏହା ଅକ୍ଷୟ ତୃତୀୟାଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ।

ପୌରାଣିକ ମତେ ସତ୍ୟ ଯୁଗରେ ନୃସିଂହ ଦେବ ଏହି ଯାତ୍ରାର ଆୟୋଜନ କରିଥିଲେ। ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ପରେ ବିରାଟ ରାଜାଙ୍କ ନିକଟରେ ନିଜର ପ୍ରକୃତ ପରିଚୟ ପ୍ରଦାନ କରିଥିଲେ। ବିରାଟ ରାଜା ଶ୍ରୀକୃଷ୍ଣ ଓ ବଳରାମଙ୍କୁ ରାମକୃଷ୍ଣ ରୂପରେ ପଞ୍ଚୁପାଣ୍ଡବଙ୍କ ସହିତ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଇଚ୍ଛାପୂରଣ ପାଇଁ ସମ୍ମତ ହୋଇଥିଲେ। ଏହା ପରେ ଏକ ବିରାଟ ଜଳାଶୟ ସୃଷ୍ଟି କରାଯାଇ ଜଳ କେଳି ମଣ୍ଡପ ନିର୍ମାଣ କରାଯାଇଥିଲା। ସମ୍ଭବତଃ ଏହି କାରଣରୁ ମଦନମୋହନ, ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ଜଳକ୍ରୀଡା ପାଇଁ ସରୋବରକୁ ଯାତ୍ରା କରିଥାନ୍ତି।

କ’ଣ କୁହେ ଇତିହାସ:

ଚନ୍ଦନ ଯାତ୍ରା ନାମରେ ଏହା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ସୃଷ୍ଟିହୋଇ ଥିବାର ଅନୁମାନ କରାଯାଏ। ଭାରତରେ ଥିବା ସହସ୍ର ଦେବମନ୍ଦିରରେ ଗରମ ଦିନେ ଆଲଟ ପଡେ, ଚନ୍ଦନ ଲାଗି ହୁଅନ୍ତି, ମାତ୍ର ସ୍ୱତନ୍ତ୍ର ଯାତ୍ରା ରୂପେ ଏହା ଓଡ଼ିଶାରେ ହିଁ ପ୍ରସିଦ୍ଧ। ଏହାକୁ ଗନ୍ଧଯାତ୍ରା, ଜଳକେଳି ଓ ଅନ୍ତରଙ୍ଗ ଚନ୍ଦନଲାଗି ଭାବେ ତିନିଭାଗରେ ବିଭକ୍ତ କରାଯାଏ।

ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଯାତ୍ରା ଦୀର୍ଘ ୫ଶହ ବର୍ଷ ମଧ୍ୟରେ ଦେବ ବିଗ୍ରହଙ୍କର ସଂପର୍କରେ ଆସି ଅନୁଷ୍ଠିତ ହୁଏ, ଯାହାର ମୂଳ ପୁରୁଷୋତ୍ତମ ପ୍ରଭୁଙ୍କୁ ନିଦାଘରେ ଶୀତଳ ଉପଚାର ଦିଆଯାଏ। ଐତିହାସିକ ତଥ୍ୟରୁ ଜଣାଯାଏ, ଗଙ୍ଗବଂଶର ରାଜାମାନଙ୍କ ସମୟରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ରାଜା ଦ୍ୱିତୀୟ ନରସିଂହଦେବଙ୍କ ଶାସନ ସମୟରେ ନଖପୋଡି ନରେନ୍ଦ୍ର ମହାପାତ୍ର ନରେନ୍ଦ୍ର ପୁଷ୍କରଣୀ ଖୋଳିଥିଲେ।

ରାଜା ଚୋଡଗଙ୍ଗଦେବ ଜଗନ୍ନାଥ ବଲ୍ଲଭ ବେଣ୍ଟ ପୋଖରୀରେ ଠାକୁରଙ୍କର ନୌକାବିହାର କରାଉଥିଲେ। କୁହାଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ଭାଇ ନରେନ୍ଦ୍ର ଦେବ ନିଜର ୧୪ପୁଅଙ୍କ ସହିତ ଯୁଦ୍ଧରେ ପ୍ରାଣବଳି ଦେଇଥିବାରୁ ସ୍ମୃତି ରୂପେ ନରେନ୍ଦ୍ର ସରୋବର ଖନନ ହୋଇଥିଲା। ପରେ ଏହିଠାରେ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା।

ବାହାର ଚନ୍ଦନ ଯାତ୍ରା:

ଦକ୍ଷିଣଘରୁ ଅଷ୍ଟଧାତୁ ନିର୍ମିତ ତିନୋଟି ଚଳନ୍ତି ପ୍ରତିମା ମଦନମୋହନ, କୃଷ୍ଣ, ରାମ (ବଳରାମ) ଓ ରତ୍ନସିଂହାସନ ଉପରୁ ଦୁଇଟି ଚଳନ୍ତି ପ୍ରତିମା ଲକ୍ଷ୍ମୀଙ୍କର ସୁବର୍ଣ୍ଣ ପ୍ରତିମା ଓ ସରସ୍ୱତୀଙ୍କର ରୌପ୍ୟ ପ୍ରତିମା ବାହାର ଚନ୍ଦନରେ ଭାଗ ନିଅନ୍ତି।

ଚନ୍ଦନ ଯାତ୍ରା ପଟୁଆରରେ ସମୁଦାୟ ଦଶଟି ଚଳନ୍ତି ପ୍ରତିମା ବିମାନ ଓ ପାଲିଙ୍କିରେ ବିଜେ କରନ୍ତି। ସବୁଠୁ ସୁଦୃଶ୍ୟ ବିମାନରେ ବିଜେ କରିଥାନ୍ତି ମଦନମୋହନ, ଶ୍ରୀଦେବୀ (ବା ଲକ୍ଷ୍ମୀ) ଓ ଭୂଦେବୀ (ବା ସରସ୍ୱତୀ, ବିଶ୍ୱଧାତ୍ରୀ)। ବିମାନ ପଛ ପାଲିଙ୍କିରେ ବଳରାମ ଓ କୃଷ୍ଣ ବିଜେ କରନ୍ତି। ସେହିପରି ଅନ୍ୟ ପାଞ୍ଚଟି ବିମାନରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଓ ଶ୍ରୀକପାଳମୋଚନ ବିଜେ କରନ୍ତି।

ନରେନ୍ଦ୍ର ପୁଷ୍କରିଣୀ କୁଳରେ ଏକ ଛାମୁଣ୍ଡିଆ ତିଆରି ହୋଇଥାଏ। ସେଠାରେ ତଳେ ଦଶଟି ଯାକ ଚଳନ୍ତି ପ୍ରତିମାଙ୍କୁ ଅବସ୍ଥାପିତ କରାଯାଇ ରୁପା ପିଙ୍ଗଣରେ ଥିବା ସୁବାଷିତ ଜଳରେ ପାଦ ଧୋଇ ଦିଆଯାଏ।

ଯୋଡ଼ିଏ ଲେଖାଁଏ ନୌକା ଯୁକ୍ତ ହୋଇ ଦୁଇଟି ଚାପ ପ୍ରସ୍ତୁତ ହୋଇଥାଏ। ଚାପଗୁଡ଼ିକୁ ଜରିକାମ ହୋଇଥିବା ମଣ୍ଡଣି ଦ୍ୱାରା ସୁଶୋଭିତ କରାଯାଇଥାଏ। ଗୋଟିଏ ଚାପରେ ଥିବା ରୁପା କାରୁକାର୍ଯ୍ୟ ସମ୍ପନ୍ନ ସିଂହାସନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ବଳରାମ ଓ କୃଷ୍ଣ ଉପବେଶନ କରନ୍ତି। ଅନ୍ୟ ଚାପରେ ପଞ୍ଚୁପାଣ୍ଡବ ରୂପେ ପରିଚିତ ମହାଦେବମାନେ ବସନ୍ତି। ପ୍ରତିମାମାନଙ୍କ ସହ ଚାପ ଦ୍ୱୟରେ ପୂଜାପଣ୍ଡା, ସିଂହାରୀ, ଗରାବଡୁ, ସୁଆରବଡୁ, ପତ୍ରୀବଡୁ, ହଡ଼ପ, ଖୁଣ୍ଟିଆ ପ୍ରଭୃତି ସେବକ ରହିଥାଆନ୍ତି। ଚାପ ଦ୍ୱୟ ନରେନ୍ଦ୍ର ଜଳରେ ଘେରାଏ ଘେରାଏ ବୁଲି ଆସନ୍ତି।

ସ୍ନାନରୀତି ନିମନ୍ତେ ତିନୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ। ପାଣିରେ ଅବଗାହନ ପରେ ବେଶ କରାଯାଏ ମଦନମୋହନଙ୍କୁ। ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି।

ଠାକୁରଙ୍କ ବେଶ ପରେ ରାତ୍ର ଚାପ ରୀତି ସମ୍ପନ୍ନ କରାଯାଏ। ରାତ୍ରୀ ଚାପରେ ଦୁଇ ଚାପ ସହ ଗୋଟିଏ ବଜନ୍ତ୍ରୀ ନୌକା ଏହି ବିହରଣରେ ବ୍ୟବହୃତ ହୋଇଥାଏ। ବଜନ୍ତ୍ରୀ ନୌକାରେ ଜଣେ ଘଣ୍ଟୁଆ, ଜଣେ କାହାଳିଆ, ଜଣେ ତେଲିଙ୍ଗି ବାଜା ବାଦକ ରହିଥାନ୍ତି। ସେମାନଙ୍କ ସହ ଜଣେ ସେବାୟତ ପୋଲାଙ୍ଗ ତେଲର ଦିହୁଡ଼ୀ ଧରିଥାଏ। ଦିନ ଚାପ ଗୋଟିଏ ଘେରାରେ ଶେଷ ହେଉଥିବାବେଳେ ରାତ୍ରୀ ଚାପରେ ତିନି ଘେରା ବୁଲାଯାଏ। ସଙ୍ଗୀତ ଓ ନୃତ୍ୟସହିତ ଏହି ଯାତ୍ରା ଅତି ମନୋରମ ହୋଇଥାଏ। ଏହି ଯାତ୍ରାର ଶେଷଦିନ ଭଉଁରୀ ଯାତ୍ରା ପାଳନ କରାଯାଏ।

ଭଉଁରୀଯାତ୍ରା:

ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଶେଷ ଦିନରେ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୁଏ। ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାଯାଏ। ଠାକୁରମାନେ ନରେନ୍ଦ୍ର ପୋଖରୀରେ ୨୧ଘେରା ଚାପ ଖେଳିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ାବିଜେ କରନ୍ତି।

ଭିତର ଚନ୍ଦନ ଯାତ୍ରା:

ବାହର ଚନ୍ଦନ ଯାତ୍ରା ପରେ ମନ୍ଦିର ଭିତରେ ୨୧ଦିନ ବ୍ୟାପି ଭିତର ଚନ୍ଦନ ଯାତ୍ରା ହୁଏ। ବାହର ଚନ୍ଦନ ଯାତ୍ରା ଭଳି ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ସମ୍ପନ୍ନ ହୋଇଥାଏ। ଏହାସହ ଏଥିମଧ୍ୟରୁ ଜ୍ୟେଷ୍ଠକୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ପ୍ରଭୁଙ୍କର ଜଳକ୍ରୀଡ଼ା ନୀତି ସମ୍ପନ୍ନ କରାଯାଇଥାଏ। ଏଥିରେ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ରୋହିଣୀକୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ଯାଇ ସେଠାରେ ସୁବାଷିତ ଜଳକୁଣ୍ଡରେ ବିହାର କରିଥାନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now