Advertisment

‘କିଛି ମାନୁ ନାହାନ୍ତି ଯୁବ ସେବାୟତ, ମୋବାଇଲ୍ ଧରି ଫଟୋ ଉଠାଇବାରେ ମସଗୁଲ୍’

ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ଏହାକୁ ନେଇ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କଣ କହିଛନ୍ତି... ଜାଣନ୍ତୁ...

author-image
Sujit kumar Swain
Lord Jagannath's Servitor

Lord Jagannath's Servitor

ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ତାଳଧ୍ବଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବାବେଳେ ହଠାତ୍ ଚାରମାଳ ଉପରେ ଖସି ପଡ଼ି ହାମୁଡେଇ ପଡିଥିଲେ ବଳଭଦ୍ର। ଗତକାଲିର ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଯେତିକି ଗଭୀର ଆଘାତ ଦେଇଛି, ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସୁରକ୍ଷା ଉପରେ ବି ଲଗାଇଛି ସେତିକି ପ୍ରଶ୍ନ ଚିହ୍ନ। ଗୋଟିଏ ପଟେ ଗତକାଲିର ଅଘଟଣକୁ ନେଇ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର ଏଯାଏଁ ମୁହଁ ଖୋଲୁ ନଥିବାବେଳେ, ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କିନ୍ତୁ ସିଧାସଳଖ ଏଥିପାଇଁ ସେବକଙ୍କ ବିଶୃଙ୍ଖଳିତ ଆଚରଣକୁ ଦାୟୀ କରିଛନ୍ତି। 

Advertisment

ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି, ଯୁବ ସେବାୟତମାନେ କିଛି ମାନୁ ନାହାନ୍ତି। ରଥରେ ଦରକାରଠୁ ଅଧିକ ଗୁଣା ସେବାୟତ ଓ ଅଣସେବାୟତ ଚଢୁଛନ୍ତି। ସେମାନେ ଠାକୁରଙ୍କ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ମୋବାଇଲ୍ ଧରି ଫଟୋ ଉଠାଇବା ସାଙ୍ଗକୁ ରିଲ୍ ନିଶାରେ ମସଗୁଲ୍ ହେଉଛନ୍ତି। 

ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି- ପହଣ୍ଡି ବେଳେ ବିଶୃଙ୍ଖଳା ରୋକିବାକୁ ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଅନେକ ଥର ଚିଠି ଲେଖାଯାଇଛି। ତାସତ୍ତ୍ବେ କିଛି ଆକ୍ସନ ନିଆଯାଉନାହିଁ। ଯାହା ଫଳରେ ଆଗାମୀ ଦିନରେ ଶୃଙ୍ଖଳିତ ରଖଯାତ୍ରା ହେବ ନେଇ ପ୍ରଶ୍ନ ଉଠିଛି ।

Advertisment

ଅନ୍ୟପଟେ ପହଣ୍ଡି ବେଳେ ବଡ ଠାକୁର ପଡିଯିବା ପ୍ରସଙ୍ଗରେ ସୁଆର ମହାସୁଆର ନିଯୋଗ ପୂର୍ବତନ ସଭାପତି ଭଗବାନ ସୁଆର କହିଛନ୍ତି, ଅସଲ ସେବାୟତ ବାଦେ କିଛି ଅଣସେବାୟତ ଅଯଥାରେ ରଥ ଓ ଚାରମାଳ ଉପରେ ଭିଡ କରୁଛନ୍ତି । ଚାରମାଳର ଉଭୟ ପାର୍ଶ୍ବରେ ବ୍ୟାରିକେଡ ପାଇଁ ପ୍ରସ୍ତାବ ଦେଇଛନ୍ତି ଭଗବାନ ସୁଆର । ଏଥିସହ ସେ କହିଛନ୍ତି, ତାଙ୍କର ଦୀର୍ଘ ୫୦ବର୍ଷରୁ ଅଧିକ ସମୟ ଧରି ସେ ମହାପ୍ରଭୁଙ୍କ ପହଣ୍ଡି କରି ଆସୁଛନ୍ତି। ହେଲେ ଏଭଳି ଘଟଣା କିଛି ନୂଆ କଥା ନୁହଁ। କେତେବେଳେ କେତେବେଳେ ମହାପ୍ରଭୁ ଏମିତି ସେବାୟତଙ୍କୁ କଲବଲ କରନ୍ତି । 

Lord Jagannath Servitors Ratha Jatra Ratha Yatra
Advertisment
Advertisment