Advertisment

ଆଜି ଗଜପତିଙ୍କୁ ଖଡ଼ିପ୍ରସାଦ ଅର୍ପଣ କରିବେ ଦଇତାପତି ଓ ଦତ୍ତମହାପାତ୍ର ସେବକ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ ।

author-image
Otv Khabar Bureau
Banaka Lagi Of Lord Jagannath

Banaka Lagi Of Lord Jagannath

ଆଜି ଅନବସରର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ ।

Advertisment

ଏହି ନୀତି ଅନୁସାରେ, ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୁପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ପ୍ରସାଦ ଅର୍ପଣ କରିବେ । ଏହାପରେ ଦତ୍ତମହାପାତ୍ର ସେବାୟତମାନେ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ ।

ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଏହି ବନକଲାଗି ନୀତି ଚାଲିବ । ଏହାପରେ ବୁଧବାର ମହାପ୍ରଭୁ ନବଯୌବନ ରୁପରେ ଭକ୍ତଙ୍କୁ ଦର୍ଶନ ଦେବେ ।

Advertisment

ଆଉ ମାତ୍ର ତିନିଦିନ ପରେ ରଥଯାତ୍ରା ଅନୁଷ୍ଠିତ ହେବ । ପୁରୀ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋର୍‌ରେ ଚାଲିଛି । ଏହାସହ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚଛି । ତିନିରଥର ୨୪ ଗୋଟି ନାଟଗୋଡ଼ ସମସ୍ତ ଦୁଆର ବେଢାରେ ସଂଯୁକ୍ତ ହୋଇଛି । ତିନିରଥର ବିଜେ ଚକା ନିର୍ମାଣ ଶେଷ ହୋଇଛି । ପ୍ରଭାରେ ରୂପ ଖୋଦେଇ ଜାରି ରହିଥିବା ବେଳେ କନ୍ୟା ପଟାରେ ଚିତ୍ର ଅଙ୍କନ ଚାଲିଛି । କମାରଶାଳରେ ଘୋଡା ଓ ସାରଥିଙ୍କ ପାଇଁ ବାଗିଆ କଣ୍ଟା ଏବଂ ଶୁଆକଣ୍ଟା ନିର୍ମାଣ ହେଉଛି । ଏହା ବ୍ୟତୀତ ରଥ କନାରେ ଲେସ ଫିଟିଙ୍ଗ ସହ ଫୁଲ ପକା କାର୍ଯ୍ୟ ଚାଲିଛି ।

ସେହିପରି ଗତକାଲି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯାଇଛି । ଅଣସର ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହୋଇଛି । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଏବଂ ତାପରେ ଖଡ଼ି ଲାଗି ହୋଇଥିବାବେଳେ ସନ୍ଧ୍ୟାରେ ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ ।

Lord Jagannath Ratha Jatra Banaka Lagi Of Lord Jagannath
Advertisment
Advertisment