ରଥଯାତ୍ରା ଜଗନ୍ନାଥଙ୍କ ସହ ସମ୍ବନ୍ଧିତ ଏକ ହିନ୍ଦୁ ପର୍ବ। ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ସବୁଠାରୁ ଲୋକପ୍ରିୟ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ ଯାତ୍ରା। ଯେତେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ପଡେ ସେହିଦିନ ରଥଯାତ୍ରା ପାଳିତ ହୋଇଥାଏ। ପୁରୀ ବ୍ୟତୀତ ରଥଯାତ୍ରା ପ୍ରାୟ ୬୦ରୁ ଅଧିକ ସ୍ଥାନରେ ପାଳିତ ହେଉଛି।
ବିଭିନ୍ନ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି, ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ୧. ସ୍ନାନ ଉତ୍ସବ, ୨. ଅନବସର, ୩. ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ୪. ଶ୍ରୀଗୁଣ୍ଡିଚା, ୫. ହେରାପଞ୍ଚମୀ, ୬. ଆଡ଼ପ ପର୍ବ, ୭. ବାହୁଡ଼ା ଯାତ୍ରା ଓ ୮. ନୀଳାଦ୍ରି ବିଜେ। ପୁନଶ୍ଚ ରଥଯାତ୍ରା ୫ ଭାଗରେ ବିଭକ୍ତ। ଯଥା ୧. ଅନ୍ତର୍ବେଦୀ, ୨. ମହାବେଦୀ ମହୋତ୍ସବ, ୩. ଆଡ଼ପ ଉତ୍ସବ, ୪. ଦକ୍ଷିଣାମୁଖୀ ଉତ୍ସବ ଓ ୫. ନୀଳାଦ୍ରି ବିଜୟ। ଏହାକୁ ଗୁଣ୍ଡିଚା ପଞ୍ଚକ କୁହାଯାଏ।
ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ପ୍ରଦାନ କରିଛନ୍ତି । ଋକ୍ ଓ ଅଥର୍ବ ବେଦ ଇତ୍ୟାଦିରେ ‘ରଥ’ ଶବ୍ଦର ବ୍ୟବହାର ଦେଖାଯାଏ। ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ। ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାଦ୍ଦୀରୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ମଧ୍ୟରେ ଖୋଦିତ ହୋଇଥିବା କେତେକ ପ୍ରାଚୀନ ଭାସ୍କର୍ଯ୍ୟକୁ ଅନୁଧ୍ୟାନ କଲେ ସୂର୍ଯ୍ୟଙ୍କ ରଥଯାତ୍ରାର ସମ୍ୟକ୍ ନିଦର୍ଶନ ମିଳିଥାଏ। ତେଣୁ ସୂର୍ଯ୍ୟଙ୍କ ରଥଯାତ୍ରାର ପରବର୍ତ୍ତୀ ପରିକଳ୍ପନା ହେଉଛି ପୁରୁଷୋତ୍ତମ କ୍ଷେତ୍ରସ୍ଥ ମହାପ୍ରଭୁଙ୍କ ରଥଯାତ୍ରା।
Also Read
କେତେକ ଗବେଷକ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାରୁ ସୃଷ୍ଟି ହୋଇଛି ବୋଲି ଅନୁମାନ କରନ୍ତି । କାରଣ ଖ୍ରୀଷ୍ଟୀୟ ପଞ୍ଚମ ଶତାଦ୍ଦୀର ପ୍ରାରମ୍ଭରେ ଚୀନ୍ ପରିବ୍ରାଜକ ଫାହିୟାନ୍ ଖୋଟାନରେ ଅନୁଷ୍ଠିତ ରଥଯାତ୍ରାର ଯେଉଁ ବିବରଣୀ ଲିପିବଦ୍ଧ କରିଛନ୍ତି, ତାହା ଆଜିସୁଦ୍ଧା ପ୍ରଚଳିତ ଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ସହ ମେଳ ଖାଉଛି।
ରଥଯାତ୍ରାର ପ୍ରତିଶବ୍ଦ:
ରଥଯାତ୍ରାର ଅନେକ ପ୍ରତିଶବ୍ଦ ମଧ୍ୟ ରହିଛି। ସେଗୁଡିକ ହେଲା:
- ଘୋଷଯାତ୍ରା: ବିଶ୍ୱର ମଙ୍ଗଳ ଘୋଷଣା କରୁଥିବାରୁ ବା ନନ୍ଦିଘୋଷ ରଥରେ ବସି ଯାତ୍ରା କରୁଥିବାରୁ ଘୋଷଯାତ୍ରା।
- ଆଡ଼ପମଣ୍ଡପ ଯାତ୍ରା: ଗୁଣ୍ଡିଚା ମଣ୍ଡପରେ ଥିବା ଆଡ଼ପ ମଣ୍ଡପରେ ବିଜେ କରୁଥିବାରୁ ଆଡ଼ପମଣ୍ଡପ ଯାତ୍ରା କୁହାଯାଏ।
- ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା: ପ୍ରଭୁଙ୍କର ଜନ୍ମ ବେଦୀ ଆଡ଼ପ ମଣ୍ଡପଠାରେ ହୋଇଥିବାରୁ ଏହାକୁ ଜନ୍ମବେଦୀ ବା ଅନ୍ତର୍ବେଦୀ ଯାତ୍ରା କୁହାଯାଏ।
- ଦଶାବତାର ଯାତ୍ରା: ଗୁଣ୍ଡିଚା ଘରେ ଦଶ ଅବତାର ବେଶ ହେଉଥିବାରୁ ଏହାକୁ ଦଶାବତାର ଯାତ୍ରା କୁହାଯାଏ।
- ପତିତପାବନ ଯାତ୍ରା: ପତିତମାନଙ୍କୁ ଉଦ୍ଧାର କରିବାକୁ ଏହି ଯାତ୍ରା ହେଉଥିବାରୁ ଏହା ପତିତପାବନ ଯାତ୍ରା ଭାବେ ଜଣାଶୁଣା।
- ନବଦିନାତ୍ମକ ଯାତ୍ରା: ଏହି ଯାତ୍ରା ଯିବା ଆସିବା ଓ ରହଣୀକୁ ମିଶେଇ ୯ ଦିନ ହେଉଥିବାରୁ ଏହାକୁ ଏପରି କୁହାଯାଏ।
- ଗୁଣ୍ଡିଚା ଯାତ୍ରା: ଗୁଣ୍ଡିଚା ଘରକୁ ଯାତ୍ରା କରୁଥିବାରୁ ଏହାକୁ ଗୁଣ୍ଡିଚା ଯାତ୍ରା କୁହାଯାଏ।
କ’ଣ କୁହେ ଇତିହାସ:
- ପ୍ରାବନ୍ଧିକ ଡକ୍ଟର ହରିହର କାନୁନ୍ଗୋଙ୍କ ମତରେ ଜଗନ୍ନାଥଙ୍କ ରଥଯାତ୍ରା ଏକ ବୌଦ୍ଧ ଅନୁଷ୍ଠାନ। ସିଂହଳରେ ଯେଉଁ ରଥଯାତ୍ରା ପାଳିତ ହୁଏ, ସେଥିରେ ବୁଦ୍ଧଙ୍କ ଦନ୍ତକୁ ବାହାର କରି ହାତୀ ଉପରେ ଥୋଇ ମହା ସମାରୋହରେ ଶୋଭାଯାତ୍ରାରେ ନିଆଯାଏ ଓ ନଗରର ରାଜମାର୍ଗ ମାନ ବୁଲାଇ ସେହି ଦନ୍ତକୁ ଶେଷରେ ଏକ ମଣ୍ଡପରେ ସ୍ଥାପନ କରାହୁଏ। ସେଠାରେ ଛଅଦିନ ରହିବା ପରେ ପୁଣି ଦନ୍ତ ମନ୍ଦିରକୁ ଫେରି ଆସେ। ପୁରୀରେ ମଧ୍ୟ ସେହିପରି ଜଗନ୍ନାଥ ମହାପ୍ରଭୁ ରଥରେ ବାହାରି ଶୀକ୍ଷେତ୍ରର ବଡ଼ଦାଣ୍ଡ ଅତିକ୍ରମ କରି ଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚନ୍ତି ଏବଂ ସେଠାରେ ୭ଦିନ ରହି ପୁଣି ଶ୍ରୀମନ୍ଦିରରକୁ ଫେରିଥାନ୍ତି।
- ପୁରାତତ୍ତ୍ୱବିତ ରାଜେନ୍ଦ୍ର ଲାଲ ମିତ୍ରଙ୍କ ଅନୁଯାୟୀ ପୁରୀର ରଥଯାତ୍ରା ବୁଦ୍ଧଦେବଙ୍କ ଜନ୍ମୋତ୍ସବ ପାଳନର ସ୍ମୃତି। ଷୋଡ଼ଶ ଶତାଦ୍ଦୀରେ ରଚିତ ମାଦଳା ପାଞ୍ଜିରେ ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ। ଏଥିରେ ଉଲ୍ଲେଖ ଅଛି ଯେ ପୂର୍ବରୁ ହେଉଥିବା ଛଅ ରଥକୁ ବାଙ୍କୀ ମୁହାଣରେ ପୋତାଇ ବୀର ନରସିଂହ ଦେବ୍ ତିନି ରଥ କରାଇଲେ।
- ଅନ୍ୟ ଜଣେ ଗବେଷକ ରାଜା ଭାନୁଦେବଙ୍କ ସମୟରେ ଛଅ ରଥ ପରିବର୍ତ୍ତେ ତିନି ରଥ ହେବାର ବ୍ୟବସ୍ଥା ହୋଇଥିଲା ବୋଲି ଉଲ୍ଲେଖ କରିଛନ୍ତି। କିନ୍ତୁ ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ପୁରୀରେ ରଥ ଯାତ୍ରା ଅନୁଷ୍ଠିତ ହେଉଥିବା ମାଦଳା ପାଞ୍ଜିରୁ ପ୍ରମାଣ ମିଳେ।
- ଖ୍ରୀ.ଅ ଅଷ୍ଟମ ବା ନବମ ଶତାଦ୍ଦୀରେ ସୋମବଂଶୀ ରାଜା ଯଯାତି କେଶରୀଙ୍କ ସମୟରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଥିବା କଥା ଭିକାରୀ ପଟ୍ଟନାୟକଙ୍କ ୧୮୫୯ ସାଲରେ ରଚିତ ‘ରଥ ଚକଡା’ ପୋଥିରୁ ଉଦ୍ଧାର କରି ଗବେଷକ ସଦାଶିବ ରଥଶର୍ମା ପ୍ରକାଶ କରିଛନ୍ତି।
- ଅପରପକ୍ଷରେ ଗବେଷକ ଡଃ ନୀଳକଣ୍ଠ ମିଶ୍ର ଉଲ୍ଲେଖ କରିଛନ୍ତି ଯେ ଖ୍ରୀ.ଅ ୧୨୭୦ରେ ମାଧବାଚାର୍ଯ୍ୟଙ୍କ ଶ୍ରୀକ୍ଷେତ୍ର ଆଗମନ କାଳରେ ମାଳିନୀ ନଦୀ ପୋତି ବଡ଼ଦାଣ୍ଡରେ ତିନଟି ରଥରେ ରଥଯାତ୍ରା ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ଗଙ୍ଗ ସମ୍ରାଟ ଅନଙ୍ଗ ଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ ଏ ବ୍ୟବସ୍ଥା କରିଥିଲେ। ମାଳିନୀ ବା ଶରଧା ନଦୀ ପୋତା ହେଲା ପରେ ଏହା ବଡ଼ ଦାଣ୍ଡରେ ପରିଣତ ହେଲା।
କିପରି ହୁଏ ରଥ ଟଣା:
ଶ୍ରୀଗୁଣ୍ଡିଚାର ଠିକ ପୂର୍ବ ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖସ୍ଥ ରଥଖଳାଠାରେ ଥିବା ତିନିରଥ ସୁସଜ୍ଜିତ ପୂର୍ବକ ଶ୍ରୀବିଗ୍ରହମାନଙ୍କ ଆଜ୍ଞାମାଳ ଆସି ଲାଗି ହେବା ପରେ ରଥଗୁଡି଼କ ଅପରାହ୍ନରେ ଟଣା ହୋଇ ସିଂହଦ୍ୱାରଠାରେ ରଖାଯାଇଥାଏ। ରଥଖଳାର ପରମ୍ପରା ଅନୁଯାୟୀ ପ୍ରଥମେ ଜଗନ୍ନାଥ, ସୁଭଦ୍ରା ଓ ଶେଷରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ।
ନେତ୍ରୋତ୍ସବ ଦିନ ବିଳମ୍ବିତ ରାତ୍ରରେ ଅଣସର ପିଣ୍ଡିରେ ବିରାଜମାନ କରିଥିବା ଶ୍ରୀବିଗ୍ରହମାନଙ୍କ କେତେକ ଗୁପ୍ତ ନୀତି ଯଥା ବାହୁଟକଣ୍ଟ, ସେନାପଟା, ଶୁକ୍ଳ ସଜ ଲାଗି ଇତ୍ୟାଦି କାର୍ଯ୍ୟ ଶେଷ ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ସକାଳୁ ଠାକୁରମାନଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ ଇତ୍ୟାଦି ନୀତି ହୋଇଥାଏ। ଏହାପରେ ଏକାଠି ଗୋପାଳବଲ୍ଲଭ ଓ ସକାଳ ଧୂପ ପୂଜା ହୁଏ। ପରେ ରଥ ପ୍ରତିଷ୍ଠା ହୁଏ ଓ ଠାକୁରମାନଙ୍କ ମନମୁଗ୍ଧକର ପହଣ୍ଡି ହୁଏ।
ପହଣ୍ଡି ସମୟରେ ପ୍ରଥମେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀଜଗନ୍ନାଥ ଧାଡି ପହଣ୍ଡିରେ ବିଜେ କରନ୍ତି। ଜଗମୋହନଠାରେ ଘଣ୍ଟ, ପକାଉଜ ଇତ୍ୟାଦି ବାଦ୍ୟ ବାଜିଥାଏ। ବିଭିନ୍ନ ମଠର ମଠାଧୀଶ, ବ୍ୟକ୍ତିବିଶେଷମାନେ ଚାମର, ଆଲଟ ସେବା କରିବା ସହିତ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପନ୍ତି ଭୋଗ ହୋଇଥାଏ।
ଠାକୁରମାନେ ଜଗମୋହନର ସାତ ପାହଚ ଉପରେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା' ଶ୍ରୀମସ୍ତକରେ ଲଗାଯାଇଥାଏ। ସମଗ୍ର ବଡ଼ ଦେଉଳ ଓ ସିଂହଦ୍ୱାର ଅଞ୍ଚଳ ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଓ ଦେବ ଧ୍ୱନି ଶବ୍ଦରେ ପ୍ରକମ୍ପିତ ହୋଇଥାଏ। ଶ୍ରୀବିଗ୍ରହମାନେ ରଥାରୁଢ଼ ହେବାପରେ ପୁଷ୍ପାଳକ ମହାଜନମାନେ ଶ୍ରୀମଦନମୋହନଙ୍କୁ ନନ୍ଦିଘୋଷ ରଥରେ ଏବଂ ରାମ, କୃଷ୍ଣ ବିଗ୍ରହଙ୍କୁ ତାଳଧ୍ୱଜ ରଥ ଉପରେ ଅଧିଷ୍ଠିତ କରାଇଥାନ୍ତି।
ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ତେଲିଙ୍ଗି ଓ କାହାଳି ବାଦ୍ୟ ସହ ବଣିଆ ସେବକମାନଙ୍କଠାରୁ ସୋଲ ଚିତା ତିନୋଟି ଅଣାଯାଇ ସିଂହଦ୍ୱାର ସଂଲଗ୍ନ ଛାଉଣୀ ମଠରେ ରଖାଯାଇଥାଏ। ରଥ ଉପରେ ରୁନ୍ଧା, ଫୁଲମାଳ, ବେଶ, ଶୋଲ ଚିତା ଲାଗି ଇତ୍ୟାଦି ନୀତି ବଢ଼ିବା ସଙ୍ଗେ ସଙ୍ଗେ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥାନ୍ତି।
ଏହା ପରେ ପାରମ୍ପରିକ ନୀତିରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା। ଏହା ପରେ ରଥରେ ସାରଥୀଙ୍କୁ ଅଧିଷ୍ଠିତ କରାଯାଏ। ରଥରୁ ଚାରମାଳ ଖୋଲାଯିବା ପରେ ଘୋଡ଼ା ବନ୍ଧାଯାଏ। ଏହି କାର୍ଯ୍ୟକ୍ରମ ସରିବା ପରେ ରଥରେ ଦଉଡି ଲଗାଯାଇ ରଥଟଣା ହୋଇଥାଏ।