Advertisment

Ratha Jatra 2023: ଆଜି ଘୋଷଯାତ୍ରାର ଅନ୍ତିମ ଦିନ; ନୀଳକନ୍ଦରକୁ ଫେରିବେ ନୀଳାଦ୍ରିନାଥ

ଆଜି ପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ରତ୍ନ-ସିଂହାସନରେ ପୁନଃ ବିରାଜମାନ କରିବେ। ଶ୍ରୀମନ୍ଦିର ରୂପକ ନୀଳଶୈଳର ଗର୍ଭଗୃହ ସ୍ୱରୂପ ନୀଳକନ୍ଦରରେ ବିରାଜମାନ କରିବାର ଏହି ଅଲୌକିକ ଲୀଳା ‘ନୀଳାଦ୍ରିବିଜେ’ ନାମରେ ବିଖ୍ୟାତ।

author-image
Pramod Behera
ଅଦ୍ୟତନ ହୋଇଛି
Ratha Jatra 2023 Niladribije

Ratha Jatra 2023 Niladribije

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଅନ୍ତିମ ଦିନ। ବର୍ଷ ସାରା ରତ୍ନ-ସିଂହାସନରେ ବସି ଦେଶଦୁନିଆର ଖବର ବୁଝୁଥିବା କାଳିଆ ସାଆନ୍ତ, ନଅ ଦିନ ପାଇଁ କ୍ଷେତ୍ର-ପରିଦର୍ଶନରେ ଯାଇଥିଲେ।

Advertisment

ଆଜି ଅନ୍ତିମ ଦିନ। ଆଜି ପ୍ରଭୁ ମହାଲକ୍ଷ୍ମୀଙ୍କ ମାନଭଂଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଓ ରତ୍ନ-ସିଂହାସନରେ ପୁନଃ ବିରାଜମାନ କରିବେ। ଶ୍ରୀମନ୍ଦିର ରୂପକ ନୀଳଶୈଳର ଗର୍ଭଗୃହ ସ୍ୱରୂପ ନୀଳକନ୍ଦରରେ ବିରାଜମାନ କରିବାର ଏହି ଅଲୌକିକ ଲୀଳା ‘ନୀଳାଦ୍ରିବିଜେ’ ନାମରେ ବିଖ୍ୟାତ।

ପରମ୍ପରା ଅନୁଯାୟୀ ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତୟୋଦଶୀ ତିଥିରେ ନୀଳାଦ୍ରିବିଜେ ହୋଇଥାଏ। ଏହି ପରମ୍ପରା ଅନେକ ବର୍ଷ ଧରି ହୋଇଆସୁଛି। ନୀଳାଦ୍ରିବିଜେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଦଇତାପତି ନିଯୋଗ ସହ ଏ ସମ୍ବନ୍ଧରେ ଆଲୋଚନା କରିବା ପରେ ପହଣ୍ଡି ହୋଇଥାଏ।

Advertisment

ନୀଳାଦ୍ରିବିଜେ ଦିନ ରଥ ଉପରେ ଠାକୁରମାଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଏ। ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ। ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଧରି ଦକ୍ଷିଣି ଘରକୁ ବିଜେ କରାଇଥାନ୍ତି। ତା’ପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ।

ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ। ଠାକୁରମାନେ ପହଣ୍ଡିରେ ଆସିବାବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳଠାରେ ପ୍ରସାଦ ଲାଗି, ଘସା, ବିଡିଆ ମଣୋହି ଓ ବନ୍ଦାପନା ନୀତି ବଢ଼ିଥାଏ। ଜଗମୋହନଠାରେ ମଧ୍ୟ ଏହି ନୀତି ପାଳିତ ହୋଇଥାଏ।

ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି। ଉଭୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟନ୍ତି। ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢ଼ାଇଥାନ୍ତି। ଏହି ସମୟରେ ପରମ୍ପର ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ରହିଥାଏ ଓ କିଛି କ୍ଷଣ ପରେ ଦ୍ୱାର ଖୋଲିଯାଏ।

ପୁନଶ୍ଚ ଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିବା ସମୟରେ ଉକ୍ତ ଦ୍ୱାର ଭିତର ପଟୁ ବନ୍ଦ କରାଯାଇଥାଏ। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟ ବିଜୟ ଦ୍ୱାରର ଭିତର ପଟେ ଜନୈକ ଦେବଦାସୀ ଏବଂ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ୱାରର ଅପରପାର୍ଶ୍ୱରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ପରେ ଜୟ ବିଜୟ ଦ୍ୱାର ଫିଟିଥାଏ।

ମହାପ୍ରଭୁ ପହଣ୍ଡି ବିଜେରେ ଭିତର କାଠ ସମ୍ମୁଖସ୍ଥ ଭଣ୍ଡାର ଘରଠାରେ ପହଞ୍ଚିବା ପରେ ଗଇଁଠାଳ (ଋକ୍ମିଣୀ ବିବାହ କାଳର) ଫିଟେ ଓ ବନ୍ଦାପନା, ରସଗୋଲା ଭୋଗ ଇତ୍ୟାଦି ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ସମାହିତ ହୋଇଥାଏ। ଏହା ପରେ ଘସା, ବିଡିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥାନ୍ତି। ଏଇଠି ସରେ ମହାପ୍ରଭୁଙ୍କ ଘୋଷଯାତ୍ରାର ମାନବୀୟ ଲୀଳା।

Puri Niladri Bije Ratha Jatra Ratha Yatra
Advertisment
Advertisment