• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଡ଼ଦାଣ୍ଡରେ ଆଜି ସଭିଏଁ ଏକ୍ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସାଧାରଣ ଭକ୍ତ । ମହାପ୍ରଭୁଙ୍କୁ ଦର୍ଶନ ଲାଭ ପାଇଁ ସମସ୍ତେ ଛୁଟି ଆସିଥିଲେ ଶ୍ରୀକ୍ଷେତ୍ରକୁ । ମହାପ୍ରଭୁଙ୍କ ରଥ ଟାଣିଥିଲେ, ଆଖି ପୁରାଇ ଦର୍ଶନ କରିଥିଲେ । ଆଉ ସେପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜଳ ସ୍ଥଳ ଏବଂ ଆକାଶ ମାର୍ଗରୁ ପୁରୀ ଉପରେ ରହିଥିଲା ସୁରକ୍ଷା ବାହିନୀର କଡ଼ା ନଜର ।

ବଡ଼ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଦିଅଁ । ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନା କେହି ବି ଏହି ଦିବ୍ୟ ସୁଯୋଗକୁ ହାତ ଛଡ଼ା କରିବାକୁ ଚାହିଁ ନାହାନ୍ତି । ପବିତ୍ର ଗୁଣ୍ଡିଚା ଯାତ୍ରାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି । ସେ ମହାପ୍ରଭୁଙ୍କ ପହଣ୍ଡି ଦେଖିବା ସହ ରଥଯାତ୍ରା ଅବସରରେ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନ କରିଥିଲେ ।

ରାଜ୍ୟପାଳଙ୍କ ସହ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର ମଧ୍ୟ ବଡ଼ଦାଣ୍ଡରେ ଉପସ୍ଥିତ ରହି ମହାପ୍ରଭୁଙ୍କ ଏହି ଅନ୍ୟନ୍ୟ ଲୀଳାକୁ ଦେଖିଥିଲେ । ଅପରାହ୍ଣରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ରଥ ଦଉଡ଼ିକୁ ଛୁଇଁ ପ୍ରଣାମ କରିଥିଲେ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ମହାବାହୁଙ୍କ ରଥଯାତ୍ରାରେ ସାମିଲ ହୋଇଥିଲେ ଅନେକ ଭିଭିଆଇପି । ରାଜ୍ୟ କ୍ୟାବିନେଟର ଅନେକ ମନ୍ତ୍ରୀ, ବରିଷ୍ଠ ନେତା, ପିସିସି ସଭାପତି ଶରତ ପଟ୍ଟନାୟକ ବଡ଼ଦାଣ୍ଡରେ ଉପସ୍ଥିତ ରହି ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିଥିଲେ ।

ସେପଟେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥା ବେଶ୍ କଡ଼ାକଡ଼ି କରାଯାଇଛି । ଜଳ-ସ୍ଥଳ-ଆକାଶ..ସବୁଠି ତୀକ୍ଷଣ ନଜର ରଖିଛନ୍ତି ସୁରକ୍ଷାକର୍ମୀା । ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବଡ଼ଦାଣ୍ଡ ଓ ପୁରା ସହର ଉପରେ ନଜର ରଖଯାଇଛି । ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଛନ୍ତି ୧୮୦ ପ୍ଳାଟୁନ୍ ଫୋର୍ସ । ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୫୦ରୁ ଅଧିକ ସିସିଟିଭି ଲଗାଯାଇ ଲୋକଙ୍କ ଯାତାୟତ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ମନିଟରିଂ କରାଯାଇଥିଲା । ସେହିପରି ଯାତ୍ରୀମାନଙ୍କର ସୁବିଧା ଲାଗି ୧୧ଟି ସ୍ଥାନରେ ଖୋଲାଯାଇଛି ସୂଚନା କେନ୍ଦ୍ର । ଆଜିଠାରୁ ନୀଳାଦ୍ରି ବିଜେ ଯାଏଁ ପୁରୀରେ କଡ଼ା ସୁରକ୍ଷା ବଳୟ ଭିତରେ ରହିବ ଶ୍ରୀକ୍ଷେତ୍ର ପୁରୀ ।