Advertisment

ଏଥର ବିରଳ ହେବ ରଥଯାତ୍ରା; ଏକା ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଘୋଷଯାତ୍ରା

ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ। କେତେବେଳେ ରଥଟଣା ହେବ ? ଦିନେ କି ଦୁଇ ଦିନ ଧରି ରଥଯାତ୍ରା ଚାଲିବ, ତାକୁ ନେଇ ଉପୁଜିଛି ସଂଶୟ। ତେଣେ ସେବାୟତ କହିଲେଣି ଇତିହାସ ତର୍ଜମା କରି ନୀତିକାନ୍ତି କରିବୁ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Ratha Jatra

ଆସନ୍ତା ଜୁଲାଇ ୭ରେ ରଥଯାତ୍ରା। ଅନ୍ୟବର୍ଷ ମାନଙ୍କ ଅପେକ୍ଷା ଏଥର ରଥଯାତ୍ରା ଏଥିପାଇଁ ବିରଳ, କାରଣ ସେଇ ଗୋଟିଏ ଦିନରେ ପଡୁଛି ଠାକୁରଙ୍କ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ। କେତେବେଳେ ରଥଟଣା ହେବ ? ଦିନେ କି ଦୁଇ ଦିନ ଧରି ରଥଯାତ୍ରା ଚାଲିବ, ତାକୁ ନେଇ ଉପୁଜିଛି ସଂଶୟ। ତେଣେ ସେବାୟତ କହିଲେଣି ଇତିହାସ ତର୍ଜମା କରି ନୀତିକାନ୍ତି କରିବୁ। ଆଉ ନୂଆ ସରକାରଙ୍କ ଲକ୍ଷ୍ୟ ଶୃଙ୍ଖଳିତ ଘୋଷଯାତ୍ରା।

Advertisment

ଇତିହାସରେ ବିରଳ ହେବ ଏବର୍ଷର ରଥଯାତ୍ରା। କାରଣ ସେଇ ଏକା ଦିନରେ ପଡୁଛି ମହାପ୍ରଭୁଙ୍କର ତିନି ତିନିଟି ବଡ଼ ନୀତି। ଅର୍ଥାତ୍ ଜୁଲାଇ ୭ରେ ହେବ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ତାହାଲେ ଗୋଟିଏ ଦିନରେ କେମିତି ସଂପାଦିତ ହେବ ତିନି ତିନିଟି ବଡ଼ ନୀତିକାନ୍ତି ? ନବଯୌବନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିହେବ ନା ନାହିଁ ? କେତେବେଳେ ଟଣା ହେବେ ତିନି ରଥ ? ତିନି ରଥ ସେ ଦିନ ଗୁଣ୍ଡିଚା ମନ୍ଦିରରେ ଲାଗିବ ନା ତା ପରଦିନ ପୁଣି ଟଣାଯିବ ? ଏସବୁ ପ୍ରଶ୍ନକୁ ନେଇ ଭକ୍ତ, ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ସମସ୍ତଙ୍କ ମନରେ ଉପୁଜିଛି ସନ୍ଦେହ।

ଅଧିକ ପଢ଼ନ୍ତୁ: କାଳିଆ ସାଆନ୍ତଙ୍କ ବାହାଘର

ତାସହ ପୂର୍ବରୁ କେବେ ଏଭଳି ବିରଳ ସଂଯୋଗ ପଡ଼ିଥିଲା କି ନାହିଁ ତାର ବି ତର୍ଜମା ଚାଲିଛି। ଏଣେ ଶ୍ରୀମନ୍ଦିର ଇତିହାସ କହେ- ୧୧୫ବର୍ଷ ତଳେ ଅର୍ଥାତ୍ ୧୯୦୯ ମସିହାରେ ରଥଯାତ୍ରା ଦିନ ସମାନ ଯୋଗ ପଡ଼ିଥିଲା। ଜୁନ୍ ୧୮ରେ ରଥଯାତ୍ରା ଦିନ ସୂର୍ଯ୍ୟୋପରାଗ ପଡ଼ିଥିବାରୁ ଗ୍ରହଣ ନୀତି ସରିବା ପରେ ତା ପରଦିନ ଅର୍ଥାତ୍ ଜୁନ୍ ୧୯ରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ନୀତି ସମ୍ପନ୍ନ ହୋଇଥିଲା।

Advertisment

ସେହିଭଳି ୧୯୭୧ ମସିହାରେ ବି ରଥଯାତ୍ରା ଦିନ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡ଼ିଥିଲା। ଏମିତିକି ସେବର୍ଷ ରଥଖଳାରୁ ତିନି ରଥ ସିଂହଦ୍ୱାରକୁ ଆଣିବା ପାଇଁ ପଟିଦିଅଁଙ୍କଠୁ ରଥ ଆଜ୍ଞାମାଳ ଓ ଧ୍ୱଜା ଆଜ୍ଞାମାଳ ବି ଆସିଥିବାର ତଥ୍ୟ ରହିଛି। ଏମିତିକି ଘୋଷଯାତ୍ରା ନୀତି ବିଳମ୍ବ ହେବାରୁ ସେଦିନ ଅପରାହ୍ନ ସାଢ଼େ ୨ଟାରେ ଶ୍ରୀଜିଉ ମାନଙ୍କୁ ପହଣ୍ଡି କରାଯାଇଥିଲା ଓ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳକୁ ରଥଟଣା ହୋଇଥିଲା।

ତେଣୁ ଯେହେତୁ ଏବର୍ଷ ପୁଣି ସେଭଳି ବିରଳ ସଂଯୋଗ ପଡୁଛି, ତେଣୁ ସେ ନେଇ କିଭଳି ନିତିକାନ୍ତି ହେବ ? ଏବର୍ଷ ବି ପଟିଦିଅଁଙ୍କଠୁ ଆଜ୍ଞାମାଳ ରଥଖଳାକୁ ଯିବ କି ? ଯଦି ସକାଳ ଧୂପ ପରେ ରଥ ଆଜ୍ଞାମାଳ ଯିବ, ତାହାରେ ଧ୍ୱଜା ଆଜ୍ଞାମାଳ କେତେବେଳେ ଯିବ ? ଏସବୁ ମାଳ ମାଳ ପ୍ରଶ୍ନ ଭିତରେ ଶାସ୍ତ୍ର ବିଧି ଓ ଇତିହାସକୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସେବାୟତ।

ଶ୍ରୀକ୍ଷେତ୍ରରେ ଗୋଟିଏ ଦିନରେ ରଥଯାତ୍ରା, ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ। କେମିତି ଶୃଙ୍ଖଳିତ ହେବ ନୀତିକାନ୍ତି ? କେତେ ଶୀଘ୍ର ଏସବୁ ସଂପନ୍ନ କରାଇ ରଥ ଟଣା ହେବ ? ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନଠୁ ରାଜ୍ୟ ସରକାରଙ୍କ ଯାଏଁ, ସମସ୍ତେ ସକ୍ରିୟ ହୋଇଛନ୍ତି। ଇତି ମଧ୍ୟରେ ନିଜେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ମଧ୍ୟ ଶୃଙ୍ଖଳିତ ରଥଯାତ୍ରାର ସମୀକ୍ଷା କଲେଣି। ଆଇନମନ୍ତ୍ରୀ କହିଛନ୍ତି ଏଥର ରଥଯାତ୍ରା ଉଦାହରଣ ସୃଷ୍ଟି କରିବ, ଯାତ୍ରାକୁ ସାଫଲ୍ୟ କରିବା ପାଇଁ ସରକାର ବିସ୍ତୃତ ଆଲୋଚନା କରୁଛନ୍ତି।

ଆସନ୍ତା ୨୨ ତାରିଖରେ ସ୍ନାନ ଯାତ୍ରା ତ ଜୁଲାଇ ୭ରେ ବିରଳ ସଂଯୋଗପୂର୍ଣ୍ଣ ରଥଯାତ୍ରା। ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ଶ୍ରୀକ୍ଷେତ୍ରରେ କେତେ ଶୃଙ୍ଖଳିତ ହେଉଛି ଏଥରର ଏ ଦୁଇ ବଡ଼ ଯାତ୍ରା, ତା ଉପରେ ନଜର।

Ratha Jatra
Advertisment
Advertisment