• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେତେ ରଙ୍ଗ, କେତେ ଭାବ, କେତେ ଭଙ୍ଗୀ । ଘୋଷଯାତ୍ରାରେ ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର । ଭାବ ଆଉ ଭକ୍ତି ରସରେ ଝୁମୁଛି ସାରା ସହର । ରାଜ୍ୟ, ରାଜ୍ୟ ବାହାରୁ ଏବଂ ବିଦେଶରୁ ଛୁଟିଆସିଛନ୍ତି କାହିଁ କେତେ ଭକ୍ତ ଏବଂ ଶ୍ରଦ୍ଧାଳୁ । ଲୋକାରଣ୍ୟ ହୋଇଛି ସାରା ଶ୍ରୀକ୍ଷେତ୍ର । କିଏ ଭଗବାନଙ୍କୁ ପାଖରେ ପାଇ ଭାବରେ ଭିଜିଛି ତ ଆଉ କିଏ ମହାପ୍ରଭୁଙ୍କ ପାଖକୁ ଆସି ନିଜକୁ ସମର୍ପଣ କରିଛି । 

ବୃନ୍ଦାବନ ବିହାରୀ ହରି । ତୋତେ ରାମ ବୋଲି ତତେ କୃଷ୍ଣ ବୋଲି ତୋତେ କାହ୍ନୁ ବୋଲି କିଏ ନାମ ଦେଲାରେ.. ବୃନ୍ଦାବନ ବିହାରୀ ହରି । ଭକ୍ତି ଓ ଭାବର ଅବର୍ଣ୍ଣନୀୟ ମୂହୁର୍ତ୍ତ । ଭକ୍ତ ଆଜି ଲୀଳାମୟଙ୍କୁ ଅଶ୍ରୁଳ ନୟନରେ ଜଣାଉଛି ଅନ୍ତରର ଅପ୍ରକାଶିତ ଦୁଃଖ । ଏଠି ଭକ୍ତଟିଏ ଯେମିତି ଆତ୍ମ ବିଭୋର ହୋଇଯାଉଛି ଜଗତ କର୍ତ୍ତାଙ୍କୁ ଚର୍ମଚକ୍ଷୁରେ ଦର୍ଶନ କରି କୀର୍ତ୍ତନ, ମୃଦଙ୍ଗର ତାଳେ ତାଳେ ଗୀତ ବୋଲି ଆତ୍ମବିଭୋର ହୋଇଯାଇଛନ୍ତି କେଉଁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଏବଂ ଭକ୍ତ । ଅଗଣିତ ଭକ୍ତଙ୍କ ଭିଡ଼ ଭିତରେ ସ୍ପଷ୍ଟ ବାରି ହୋଇ ପଡୁଛନ୍ତି ହନୁମାନ ।

ସଂକୀର୍ତ୍ତନ ମଣ୍ଡଳୀ ସହ ମିଶି ଭକ୍ତିରସରେ ମଜ୍ଜି ଯାଉଛନ୍ତି କଳାକାର । ଖାଲି ରାଜ୍ୟ କି ଦେଶ ନୁହେଁ, ଦରିଆପାରିରୁ ଛୁଟି ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଲୋକାରଣ୍ୟ ହୋଇଯାଇଛି ସାରା ଶ୍ରୀକ୍ଷେତ୍ର । କାହାର କେମିତି ଭାବ, କେମିତି ଭଙ୍ଗୀ । କେତେ ରଙ୍ଗ, କେତେ ଭଙ୍ଗୀ । ଦେଖିଲେ ଲାଗୁଛି ସତେ ଯେମିତି ବିଶ୍ୱ ବନିଯାଇଛି ବଡ଼ଦାଣ୍ଡ ।

ଜଗନ୍ନାଥ ସଂସ୍କୃତି ଆଉ ପରମ୍ପରା ସହ ଜଡ଼ିତ ଓଡ଼ିଆ ଶାସ୍ତ୍ରୀୟ ନୃତ୍ୟର ସମ୍ଭାର ବି ରଂଗୀନ କରୁଥିଲା ରଥଯାତ୍ରାକୁ । ଚତୁର୍ଦ୍ଧା ମୂରତିଙ୍କ ରଥାରୁଢ଼ ହେବାବେଳେ ଜଳ ଜଳ ହୋଇ ଦିଶୁଥିଲା ଓଡ଼ିଶୀ ନୃତ୍ୟର ସମ୍ଭାର । ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ମହାରୀ, ଓଡ଼ିଶୀ ଓ ଗୋଟିପୁଅ ନୃତ୍ୟର ତାଳେ ତାଳେ ନିଜକୁ ହଜାଇ ଦେଇଥିଲେ ଭକ୍ତ ରୂପୀ ନୃତ୍ୟଶିଳ୍ପୀ । ଖାଲି ଓଡ଼ିଆ ନୁହଁନ୍ତି, ଛନ୍ଦମୟ ବିଦେଶୀ ଭକ୍ତ ରୂପୀ ଶିଳ୍ପୀଙ୍କ ମୁହଁରେ ମୁଖରିତ ହେଉଥିଲା ରାମ ନାମ। ।

ବିଶ୍ୱ ନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଦେଖିବାକୁ ମିଳିଥିଲା ସେବା ଓ ସମର୍ପଣର ନିଆରା ଭାବ । ଗରମ ଗୁଳୁଗୁଳି ଭିତରେ ଶ୍ରଦ୍ଧାଳୁଙ୍କ ଉପରେ କିଏ ଜଳ ସିଞ୍ଚନ କରି ଆତ୍ମସନ୍ତୋଷ ଲଭୁଥିଲେ ତ ଆଉ କିଏ କ୍ଷୁଧା ମେଣ୍ଟାଇବାକୁ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ କରି ଆନନ୍ଦ ପାଉଥିଲେ । କେବଳ ସେତିକି ନୁହେଁ, ଜନସମୁଦ୍ର ଭିତରେ ଅସୁସ୍ଥ ହୋଇପଡୁଥିବା ଭକ୍ତଙ୍କୁ ଗ୍ରୀନ କରିଡର୍ ଭିତରେ ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଏଁ ପହଞ୍ଚାଉଥିଲେ ସ୍ୱେଚ୍ଛାସେବୀ ।

ଲକ୍ଷ ଲକ୍ଷ ଜନତା, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସୋରିଷ ପକାଇବାକୁ ଜାଗାଟିକିଏ ନାହିଁ । ୨ ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେଉଥିବାରୁ ଏକାକାର ହୋଇଯାଇଥିଲେ ଭକ୍ତ ଏବଂ ଭଗବାନ । ଏସବୁ ଭିତରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପରିଚାଳନା ସବୁଠୁ ବଡ଼ ଚାଲେଞ୍ଜ । ଏଥିପାଇଁ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ନଜରରେ ରହିଛି ସମଗ୍ର ଶ୍ରୀକ୍ଷେତ୍ର । ମୋଟ ୫୩ ସିସିଟିଭି ଭିତରୁ ୧୩ଟି ଆଇନ ଶୃଙ୍ଖଳା ଓ ଅନ୍ୟ ୪୦ଟି ଟ୍ରାଫିକ୍ ବ୍ୟବସ୍ଥା ଉପରେ ନଜର ରଖିଛି ।