• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ହେରାପଞ୍ଚମୀ, କାଲି ରଥର ଦକ୍ଷିଣ ମୋଡ଼ । ତା’ ଆଗରୁ ଆଜି ସଂପନ୍ନ ହୋଇଛି ତିନି ରଥର ମୋଟ୍ ୪୨ଟି ଯାକ ଚକର ଯାଞ୍ଚ । ତେବେ ଗୁଣ୍ଡିଚା ଯାତ୍ରାରେ ତାଳଧ୍ୱଜ ରଥ ବାରମ୍ବାର ମୋଡ଼ ଖାଇବା ଓ ନନ୍ଦିଘୋଷ ରଥ ଚକ-ଅଖରେ ବଡ଼ ଫାଙ୍କ ହେବା ଘଟଣାର ଯାଞ୍ଚ ସହ ଏହାର ପ୍ରତିକାର ବ୍ୟବସ୍ଥା ବି ହୋଇଛି । ସେପଟେ ଆସନ୍ତା ୨୭ ତାରିଖ ସନ୍ଧ୍ୟାଦର୍ଶନ ସନ୍ଧ୍ୟା ୫ଟା ସୁଦ୍ଧା ସାରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଘୋଷଯାତ୍ରାରେ କାହିଁକି ବାରମ୍ବାର ମୋଡ଼ ଖାଇଲା ତାଳଧ୍ୱଜ ରଥ ? ୧୦ରୁ ଉର୍ଦ୍ଧ ସ୍ଥାନରେ ମୋଡ଼ ଖାଇବାରୁ ବଳଭଦ୍ରଙ୍କ ରଥ ଟଣାରେ ହେଲା କି ବିଳମ୍ବ ? ରଥରେ ମାତ୍ରାଧିକ ସେବକ ବସିବାରୁ ସମସ୍ୟା ? ନା ରଥ ନିର୍ମାଣରେ ରହିଗଲା ତ୍ରୁଟି ? ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ରଥତ୍ରୟ ଆସନ୍ତାକାଲି ଦକ୍ଷିଣ ମୋଡ଼ ହେବା ପୂର୍ବରୁ ଆଜି ହେରାପଞ୍ଚମୀରେ ରଥ ନିର୍ମାଣ କମିଟି ପକ୍ଷରୁ ହୋଇଛି ଏସବୁର କାରଣ ଖୋଜା । 

ସେପଟେ ତାଳଧ୍ୱଜ ରଥ ମୁଖ୍ୟ ମହାରଣା କହିଛନ୍ତି- ଗୁଣ୍ଡିଚା ଯାତ୍ରା ଦିନ ବଳଭଦ୍ରଙ୍କ ରଥ ଦଉଡ଼ି ଆଦୌ ମଝି ସ୍ଥଳକୁ ଆସିଲା ନାହିଁ । ଫଳରେ ରଥ ବାରମ୍ବାର ମୋଡ଼ ଖାଇଲା । ସେହିପରି ନନ୍ଦିଘୋଷ ରଥର ଯାଞ୍ଚ ବେଳେ ପଛ ଚକ ସହ ସଂଯୁକ୍ତ ହୋଇଥିବା ଅଖ ମଝିରେ ଏକ ବଡ଼ ଫାଙ୍କ ଦୃଷ୍ଟିଗୋଚର ହୋଇଛି । ଯାହାକୁ ୟୁ-କ୍ଲାମ୍ପ ଲଗାଇ ଠିକ୍ କରାଯିବ ବୋଲି କହିଛନ୍ତି ଜଗନ୍ନାଥ ରଥର ମୁଖ୍ୟ ମହାରଣା ।

ସେମିତି ଦର୍ପଦଳନ ରଥର ଯେଉଁ କିଛି ଚକରେ ସମସ୍ୟା ନଜରକୁ ଆସିଥିଲା, ସେଥିରେ ବି ୟୁ କ୍ଳାମ୍ପ ଟାଇଟ୍ କରାଯାଇଥିବା ପୂର୍ତ୍ତ ବିଭାଗ ଇଞ୍ଜିନିୟର କହିଛନ୍ତି । ଆସନ୍ତା ବୁଧବାର ବାହୁଡ଼ା ଯାତ୍ରା ପାଇଁ କାଲି ରଥ ଦକ୍ଷିଣ ମୋଡ଼ ହେବା ପରେ ପୁଣି ସବୁ ଚକ ଓ ଅଖ ଗୁଡ଼ିକର ଯାଞ୍ଚ କରାଯିବ ।

୨୮ ତାରିଖ ବାହୁଡ଼ା ଯାତ୍ରା । ତାପୂର୍ବ ଦିନ ସନ୍ଧ୍ୟା ଦର୍ଶନ । ଜନ୍ମବେଦୀରେ ସେଦିନ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ କରି କୋଟି ପୂଣ୍ୟ ଲଭିବାର ଇଚ୍ଛା ରଖିଛନ୍ତି ଅନେକ ଭକ୍ତ । ତେଣୁ ଗୁଣ୍ଡିଚା ମନ୍ଦିରରେ ସେଦିନ ପ୍ରବଳ ଭିଡ଼ ହେବ । ଯେହେତୁ ତା ପରଦିନ ସଅଳ ବାହୁଡ଼ା ପହଣ୍ଡି ଉପରେ ଶ୍ରୀମନ୍ଦିର ପ୍ରଶାସନ ଜୋର ଦେଇଛି, ତେଣୁ ଶୃଙ୍ଖଳିତ ନୀତିକାନ୍ତି ପାଇଁ ସେବକ ମାନଙ୍କୁ କୁହାଯାଇଛି । ସେଥିପାଇଁ ୨୭ ତାରିଖ ନବମୀ ସନ୍ଧ୍ୟା ଦର୍ଶନ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ସମୟ ଧାର୍ଯ୍ୟ ହୋଇଛି । ଦଇତାପତି ସେବାୟତ କହିଛନ୍ତି- ଗର୍ଭଗୃହରୁ ଭକ୍ତଙ୍କୁ ଯେତେଶୀଘ୍ର ଖାଲି କରାଯିବ, ସେତେଶୀଘ୍ର ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ପାଇଁ ଗୁପ୍ତ ସେନାପଟା ଲାଗି ନୀତି ଆରମ୍ଭ ହେବ । ଏପଟେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ଆଡ଼ପ ଅବଢ଼ା ପାଇବାକୁ ଭକ୍ତଙ୍କ ଗହଳି ଲାଗି ରହିଛି ।

  • Reported by:
  • MADHUSUDAN MISHRA