• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ଆଡ଼ପମଣ୍ଡପରେ ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ । ଆଜି ହେବାକୁ ଥିବା ସାଂଧ୍ୟଦର୍ଶନକୁ ଅପରାହ୍ନ ୫ଟା ଭିତରେ ସୀମିତ ରଖାଯାଇଛି । ଆଜି ସକାଳୁ ଗୁଣ୍ଡିଚା ମନ୍ଦିର ଫିଟାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି ।ମଙ୍ଗଳଆଳତୀ ପରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ ।

ଆଜି ଶେଷ ସଂଧ୍ୟା ଦର୍ଶନ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ଆସନ୍ତା କାଲି ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା । ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଆଜି ଅଧିକରୁ ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ରହିଛି । ତେଣୁ ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା ବି ହୋଇଛି । ତେବେ ଶ୍ରୀକ୍ଷେତ୍ର ଯାତ୍ରାଠୁ ହେରାପଞ୍ଚମୀ ପର୍ଯ୍ୟନ୍ତ ନୀତିକାନ୍ତିରେ ଘୋର ବିଭ୍ରାଟ ପରେ ବାହୁଡ଼ା ନୀତିକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି ।

ଏପଟେ ଆଜି ସରିବ ସିଂହଦ୍ୱାର ରୂପା ଛାଉଣୀ କାମ, ବାହୁଡାଯାତ୍ରା ପୂର୍ବରୁ ସିଂହଦ୍ୱାର ରୂପାରେ ଝଟକିବ । ମୁମ୍ବାଇରୁ ଆସିଥିବା ଶିଳ୍ପୀ ମାନେ ଦିନରାତି ଏନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି । ୫୦୦ କେଜି ରୂପାରେ ସିଂହଦ୍ୱାର ଛାଉଣୀ କରାଯାଉଛି । ଦୁଇଟି ଷ୍ଟିଲ୍ ଫ୍ରେମରେ ବର୍ମା ଟିକ୍ ଉଡ୍ ଲଗାଯାଇଛି । ତା ଉପରେ ରୂପା ଚାଦର ପକାଯାଉଛି । ଉତ୍କଳୀୟ କାରୁକାର୍ଯ୍ୟରେ ଏହା ପରିପୂର୍ଣ୍ଣ ରହିଛି ।

ସିଂହଦ୍ୱାର ରୂପା ଛାଉଣୀ ଓ କବାଟ ସଂଯୋଗୀକରଣ ବେଳେ ସିସିଟିଭି କ୍ୟାମେରା, ମାଜିଷ୍ଟ୍ରେଟ ମୁତୟନ ରହିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି ।ନୀଳାଦ୍ରି ବିଜେ ଦିନ ରୂପା ଛାଉଣୀ ଦ୍ୱାର ଦେଇ ଶ୍ରୀମନ୍ଦିରରେ ମହାପ୍ରଭୁ ପ୍ରବେଶ କରିବେ । ପୂର୍ବରୁ ସାତପାହାଚ, ଜୟବିଜୟ, କଳାହାଟ, ବେହରଣ, ଭୋଗ ମଣ୍ଡପ ଦ୍ୱାରା ରୂପା ଛାଉଣୀ ସରିଛି ।

  • Reported by:
  • PRADEEP MAHANTY , MADHUSUDAN MISHRA