• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଜଗନ୍ନାଥମୟ ସାରା ସଂସାର । ଯୁଆଡ଼େ ଦେଖିବ ରଥଯାତ୍ରା । ଶ୍ରୀକ୍ଷେତ୍ର ପୁରୀରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସ୍ଥାନରେ ମଧ୍ୟ ଭକ୍ତି ଭାବର ସହିତ ରଥ ଟଣା ଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ଆଧ୍ୟାତ୍ମିକ ପରିବେଶ ଭିତରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ଏଠାରେ ୪୦ରୁ ଅଧିକ ସ୍ଥାନରେ ରଥଟଣା ହୋଇଥିବା ବେଳେ ଇସ୍କନ ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଟାଣିଥିଲେ ରଥ । ପ୍ରବଳ ଖରା ଯୋଗୁଁ ଅପରାହ୍ନ ୪ଟାରେ ହୋଇଥିଲା ରଥଟଣା । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଜି ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏଠାରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଛେରା ପହଁରା କରିବା ସହିତ ଅନ୍ୟ ନୀତିକାନ୍ତି ସଂପନ୍ନ କରିଥିଲେ । ମହିଳା କୁଳପତି ଭାବେ ଏହି

ସୁଯୋଗ ପାଇଥିବାରୁ ବେଶ୍  ଖୁସି ପ୍ରକାଶ କରିଛନ୍ତି ପ୍ରଫେସର ସବିତା ଆଚାର୍ଯ୍ୟ ।

କଟକ ଚାନ୍ଦିନୀଚୌକର ରଥଯାତ୍ରା ବେଶ ପୁରୁଣା । ଠାକୁରଙ୍କ ପହଣ୍ଡି ଓ ରଥାରୁଢ଼ ପରେ କାଫଲା ଫାଣ୍ଡି, ସତୀଚଉରା ଦେଇ ବେଲଭ୍ୟୁ ଛକରେ ଥିବା ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଅବସ୍ଥାନ କରାଯାଇଛି । ଦୋଳମୁଣ୍ଡାଇ, ରାଣୀହାଟରେ ବି ଭକ୍ତିମୟ ପରିବେଶ ଭିତରେ ସଂପନ୍ନ ହୋଇଛି ରଥଯାତ୍ରା ।

ଏଣେ ପାତାଳି ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁରର କୋଟସମଲେଇରେ ମଧ୍ୟ ଆଧ୍ୟାତ୍ମିକ ପରିବେଶରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଏଠାରେ ୧୪୪ ବର୍ଷ ଧରି ପାତାଳି ଲୀଳା କରିଥିଲେ ମହାପ୍ରଭୁ । ଆଜି ପାହାଡ଼ରୁ ତିନି ଦିଅଁଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା । ପରେ ହରିବୋଲ ହୁଳହୁଳି ମଧ୍ୟରେ ହଜାର ହଜାର ଭକ୍ତ ଠାକୁରଙ୍କ ରଥ ଟାଣି ନେଇଥିଲେ । 

କେନ୍ଦ୍ରାପଡ଼ାରେ ରହିଛି ରଥଯାତ୍ରାର ନିଆରା ପରମ୍ପରା । ଏଠାରେ ଦୁଇ ଦିନ ଧରି ରଥଟଣା ହୋଇଥାଏ । ଭାଇ ଭଉଣୀଙ୍କ ସହିତ ବଳଦେବଜୀଉ ଆଜି ରଥାରୁଢ଼ ହେବା ପରେ ରାଜ  ପୁରୋହିତ କରିଥିଲେ ଛେରା ପହଁରା । ପରମ୍ପରା ଅନୁସାରେ ରଘୁନାଥଜୀଉ ମଠ ପାଖରେ ରହିଥିଲା ବ୍ରହ୍ମତାଳଧ୍ୱଜ ରଥ । ନୀତିକାନ୍ତି ପରେ ଆସନ୍ତାକାଲି ଅପରାହ୍ନରେ ପୁଣି ରଥଟଣା ହେବ।

ରଥଯାତ୍ରାକୁ ନେଇ ବାରିପଦାରେ ଭିନ୍ନ ପରମ୍ପରା । ଚତୁର୍ଦ୍ଧାମୁରତିଙ୍କୁ ଆଜି ଗୋଟି ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଛି । ଆସନ୍ତାକାଲି ପ୍ରଥମେ ବଳଭଦ୍ରଙ୍କ ରଥକୁ ଟଣା ଯିବ । ପରେ ସୁଭଦ୍ରାଙ୍କ ରଥକୁ ଅଧା ବାଟ ଯାଏ ଟଣା  ଯାଇ ଗୁରୁବାର ପୁଣି ଟଣାଯିବ । ଏଠାରେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବାର ପରମ୍ପରା ଅଛି ବାରିପଦାରେ ।

କେନ୍ଦୁଝରରେ ଗଡ଼ିଲା ବଳଦେବଜିଉଙ୍କ ରଥ । ପୁରୁଣା ବଜାରରେ ଥିବା ବଳଦେବଜିଉଙ୍କ ମନ୍ଦିରରୁ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହୋଇଥିଲେ । ଛେରା ପହଁରା କରିଥିଲେ କେନ୍ଦୁଝରର ଯୁବରାଜ । ବର୍ଷା ସତ୍ତ୍ୱେ ଏଠାରେ ଭକ୍ତଙ୍କ ବଡ଼ ସମାଗମ ହୋଇଥିଲା ।

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ମଧ୍ୟ ଭକ୍ତିଭାବମୟ ପରିବେଶରେ ଅନୁଷ୍ଠିତ ହୋଇଛି ରଥଯାତ୍ରା । ଧାଡ଼ି ପହଣ୍ଡିରେ ଠାକୁରମାନେ ରଥାରୁଢ଼ ହେବା ପରେ ତିନି ଶବର ଗାଁର ମୁଖିଆ ତିନି ରଥରେ କରିଥିଲେ ଛେରା ପହଁରା । ପରମ୍ପରା ଅନୁସାରେ ରଥ ଉପରେ ତିନି ଠାକୁରଙ୍କ ନିକଟରେ ଆଦିବାସୀଙ୍କ ଦ୍ୱାରା ଫଳ ପୁଷ୍ପ ଲାଗି ହୋଇଥିଲା । ତା’ପରେ ହୋଇଥିଲା ରଥଟଣା । ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣିଥିଲେ ।

ବରଗଡ଼ ଜିଲ୍ଲା ଭଟଲିରେ ମଧ୍ୟ ବେଶ୍ ଶ୍ରଦ୍ଧାର ସହ ସଂପନ୍ନ ହୋଇଛି ରଥଯାତ୍ରା । ଦଧିବାମନଙ୍କ ରଥକୁ ଟାଣି ନେଇଥିଲେ ହଜାର ହଜାର ଭକ୍ତ । ଏଠାକାର ଏକ ନିଆରା ପରମ୍ପରା ହେଲା ଶିଶୁଙ୍କ ରଥ ଛୁଆଁ ।

ସେପଟେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଚିଲିକା ହ୍ରଦ ଭିତରେ ପାଳନ ହୋଇଛି ନିଆରା ରଥଯାତ୍ରା । ଏଠାରେ ଠାକୁରଙ୍କ ପାଇଁ ଡଙ୍ଗା ଉପରେ ହିଁ ରଥ ନିର୍ମାଣ ହୋଇଯାଏ । ଏହି ରଥରେ ବିରାଜମାନ ହୋଇ ତିନି ଠାକୁର ଚିଲିକାର ଅକାତ କାତ ପାଣିରେ କାଙ୍କଣ ଶିଖରୀ କୁଦର ଚାରିପଟେ ୩ଟି ଡଙ୍ଗାରେ ପରିକ୍ରମା କରିଥିଲେ । ୧୭୩୧ରେ ଶତ୍ରୁଙ୍କ ଆକ୍ରମଣରୁ ରକ୍ଷା ପାଇଁ ଏଠାରେ ଶ୍ରୀଜିଉଙ୍କୁ ସାଢ଼େ ୪ ମାସ ଲୁଚା ଯାଇଥିଲା ।