/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687692261.jpg)
Ratha Jatra
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚାଲିଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । ତିନି ରଥର ଦକ୍ଷିଣ ମୋଡ କରାଯାଉଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାର ଆଗରେ ଲାଗିବ ତିନି ରଥ । ଦକ୍ଷିଣ ମୋଡ଼ ସମୟରେ ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ ଟଣାଯାଇଛି । ଏହା ପରେ ତାଳଧ୍ୱଜ ଓ ନନ୍ଦିଘୋଷ ଟଣାଯାଉଛି ।
ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ ଓ ପୋଲିସ କର୍ମଚାରୀମାନେ ରଥକୁ ଦକ୍ଷିଣ ମୋଡ଼ କରାଉଛନ୍ତି । ଦକ୍ଷିଣ ମୋଡ଼ ପାଇଁ ରଥକୁ ଆବଶ୍ୟକତା ଅନୁସାରେ ଆଗ ପଛ କରାଯାଉଥିବାରୁ ବିଶେଷ କରି ଏଥିରେ ଭକ୍ତମାନଙ୍କୁ ଜଡ଼ିତ କରାଯାଏ ନାହିଁ । ରଥ ଟାଣିବା ପାଇଁ ସିନା ଭକ୍ତ ରହନ୍ତି ନାହିଁ, କିନ୍ତୁ ଘଣ୍ଟୁଆମାନେ ଘଣ୍ଟ ବଜାଇବା ଏବଂ ରଥକୁ ସଠିକ ମାର୍ଗରେ ନେବା ପାଇଁ ଡାହୁକମାନେ ଉପସ୍ଥିତି ରହିଥାନ୍ତି ।
ଗତକାଲି ଶ୍ରୀକ୍ଷେତ୍ରରେ ସରିଛି ହେରା ପଞ୍ଚମୀ ନୀତି । ବିଧି ପରମ୍ପରା ଅନୁଯାୟୀ, ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ତେବେ ମହାପ୍ରଭୁଙ୍କ ଦର୍ଶନ ନପାଇ ରାଗ ଜର୍ଜରିତ ହୋଇ ମା’ ମହାଲକ୍ଷ୍ମୀ ଫେରିବା ବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଥିଲେ।
ଏହି ଅନନ୍ୟ ନୀତି ସହ ମା’ ଲକ୍ଷ୍ମୀଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ । କିନ୍ତୁ ଦ୍ୱିତୀୟ ଭୋଗ ମଣ୍ଡପ ନୀତିରେ ବିଳମ୍ବ ଯୋଗୁ ହେରାପଞ୍ଚମୀ ନୀତିରେ ମଧ୍ୟ ବିଳମ୍ବ ହୋଇଥିଲା । ଏପରିକି ମା’ ଲକ୍ଷ୍ମୀ ଠାକୁରାଣୀ ରାତି ୩ଟାରେ ଶ୍ରୀମନ୍ଦିରରୁ ବାହାରିଥଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)