ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ। ନବଦିନାତ୍ମକ ଲୀଳାଖେଳା ସାରି ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ପତ୍ନୀ ମହାଲକ୍ଷ୍ମୀ କିନ୍ତୁ ଅଭିମାନ କରିଥିବାରୁ ମହାପ୍ରଭୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବେନି। ଏହି ସମୟରେ ସିଂହଦ୍ୱାର ଠାରେ ସ୍ୱତନ୍ତ୍ର ନୀତି ରହିଛି। ଅଭିମାନ କରିଥିବା ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ପ୍ରଭୁ ଜଗନ୍ନାଥ ମନାଇବାର ପରମ୍ପରା ରହିଛି। ରସଗୋଲା ଖାଇବା ପରେ ମହାଲକ୍ଷ୍ମୀ ସିଂହଦ୍ୱାର ଖୋଲିବେ। ଏଥର ରୂପା ଛାଉଣୀ ହୋଇଥିବା ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଚତୁର୍ଦ୍ଧାମୂର୍ତ୍ତି।
ଆଜି ରସଗୋଲା ଦିବସ। ନୀଳାଦ୍ରି ବିଜେ ବେଳେ ଲକ୍ଷ୍ମୀ ଠାକୁରାଣୀଙ୍କୁ ରସଗୋଲା ଦେଇ ତାଙ୍କ ମାନଭଞ୍ଜନ କରିବେ କାଳିଆ ସାଆନ୍ତ। ସେଥିପାଇଁ ଆଜିର ଦିନକୁ ଓଡ଼ିଆମାନେ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରୁଛନ୍ତି। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା କରିଛନ୍ତି।
Jai Jagannath….🙏
— Sudarsan Pattnaik (@sudarsansand) July 1, 2023
On the pious occasion of #NiladriBije, Mahaprabhu Jagannath, while returning to Ratna Singhasana, offers Rasagola to #MahaLakshmi. My sandart at Puri beach in Odisha for this unique ritual . #RasagolaDibasa pic.twitter.com/lnRHyqbPm6
ବାଲୁକା କଳା ମାଧ୍ୟମରେ ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ। ବାଲିରେ ମା’ ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଗଢ଼ିବା ସହ ଶ୍ରୀଜଗନ୍ନାଥ କିଭଳି ମା’ ଲକ୍ଷ୍ମୀଙ୍କୁ ରସଗୋଲା ପ୍ରଦାନ କରୁଛନ୍ତି ତାହା ମଧ୍ୟ ବାଲୁକା କଳା ମାଧ୍ୟମରେ ଦେଖାଇଛନ୍ତି।
ଚଳିତ ବର୍ଷ ରଥଯାତ୍ରାରେ ରଥ ଉପରେ ଆଜି ଶ୍ରୀଜିଉଙ୍କ ଶେଷ ଦର୍ଶନ ହୋଇଥିବାରୁ ରଥାରୁଢ଼ ଠାକୁରଙ୍କୁ ଦେଖିବାକୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବା ସମ୍ଭାବନା ରହିଛି। ଭିଡ଼କୁ ଦୃଷ୍ଟରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।