Advertisment

ଦିନକ ପରେ ବାହୁଡ଼ା; ବିଳମ୍ବର ଘଟୁନି ଅନ୍ତ, କେମିତି ସୁରୁଖୁରେ ବାହୁଡ଼ିବେ ଶ୍ରୀଜିଉ

ଦିନକ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । କିନ୍ତୁ, କ୍ରମାଗତ ବିଭ୍ରାଟ ସହ ଶ୍ରୀଜିଉଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବର ଘଟୁନି ଅନ୍ତ । କେତେବେଳେ ସକାଳ ଧୂପ ମଧ୍ୟାହ୍ନରେ ତ ଆଉ କେତେବେଳେ ମଧ୍ୟାହ୍ନ ଧୂପ ରାତିରେ ହେଉଛି ।

author-image
Swadesi Megha Mallhar Prusty
undefined

Rath Jatra

ଦିନକ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । କିନ୍ତୁ, କ୍ରମାଗତ ବିଭ୍ରାଟ ସହ ଶ୍ରୀଜିଉଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବର ଘଟୁନି ଅନ୍ତ । କେତେବେଳେ ସକାଳ ଧୂପ ମଧ୍ୟାହ୍ନରେ ତ ଆଉ କେତେବେଳେ ମଧ୍ୟାହ୍ନ ଧୂପ ରାତିରେ ହେଉଛି । ଯାହାର ସିଧାସଳଖ ପ୍ରଭାବ ସାଧାରଣ ଦର୍ଶନ ଏବଂ ମହାପ୍ରସାଦ ଉପରେ ପଡିଛି ।

Advertisment

ଶ୍ରୀଗୁଣ୍ଡିଚା ମନ୍ଦିରରେ ଲକ୍ଷ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହେଉଥିବା ଅଭିଯୋଗ ଉଠିଛି । ଦୁଇ ଦିନ ହେଲା ଆଡ଼ପ ମଣ୍ଡପରେ ଲାଗି ରହିଥିବା ଏଭଳି ବିଳମ୍ବ ଭିତରେ ଆଗକୁ ଶୃଙ୍ଖଳିତ ହୋଇପାରିବ ତ ବାହୁଡ଼ା ? ସେନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି । ଗୁଣ୍ଡିଚା ଘରେ ବିଶୃଙ୍ଖଳିତ ନୀତିକାନ୍ତି... ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବାରେ ବିଭ୍ରାଟ...

ସୁବିଧାରେ ଦର୍ଶନ କରିନପାରି କ୍ଷୁବ୍ଧ ହେଲେଣି ଭକ୍ତ... ମହାପ୍ରସାଦକୁ ଚାହିଁ ଚାହିଁ ବିଚଳିତ ହେଲେଣି ଶ୍ରଦ୍ଧାଳୁ । ଜନ୍ମବେଦିରେ ଲୀଳାଖେଳା ଚାଲିଥିବାବେଳେ ବିଶ୍ୱନିୟନ୍ତାଙ୍କ ରାତ୍ରପହୁଡ଼ଠାରୁ ଆରମ୍ଭ କରି ଦ୍ୱାରଫିଟା ନୀତିକାନ୍ତି ସହ ବିଭିନ୍ନ ସେବାପୂଜା ଶୃଙ୍ଖଳିତ ଢଙ୍ଗରେ ହୋଇପାରୁନି ।

Advertisment

ଗତକାଲି ଭଳି ଆଜି ବି ଅହେତୁକୁ ବିଳମ୍ବ । ଶ୍ରୀଜିଉଙ୍କ ମଙ୍ଗଳ ଆଳତି ସକାଳ ୮ଟାରେ ହୋଇଥିବା ବେଳେ ସକାଳ ଧୂପ ସରିବା ପରେ ଦିନ ପ୍ରାୟ ୨ଟାରେ ବାହାରିଥିଲା ମହାପ୍ରସାଦ । ଏଭଳି ଭାବେ ପ୍ରତ୍ୟେକ ନୀତିକାନ୍ତି ଆଜି ବି ପ୍ରାୟ ୩ ଘଣ୍ଟା ବିଳମ୍ବରେ ହେବାରୁ ଘଣ୍ଟା ଧରି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଲମ୍ବାଧାଡ଼ିରେ ଛିଡ଼ା ହୋଇ କିଏ ଚେତାଶୂନ୍ୟ ହୋଇପଡ଼ିଥିଲେ ତ ଆଉ କିଏ ଗରମ ଗୁଳୁଗୁଳିରେ ସନ୍ତୁଳି ହୋଇଥିଲେ ।

ଆଜିକୁ ୨ ଦିନ ହୋଇଗଲା, ଗୁଣ୍ଡିଚା ମନ୍ଦିରରେ ଲାଗି ରହିଛି ଏଭଳି ସ୍ଥିତି । ଗତକାଲି ସକାଳ ଧୂପ ବିଳମ୍ବ ହେବାରୁ ସଠିକ୍ ସମୟରେ ଆସି ପାରିନଥିଲା ଆଜ୍ଞାମାଳ । ଫଳରେ ସଂଧ୍ୟା ହୋଇଯିବାରୁ ଗତକାଲି ନନ୍ଦିଘୋଷ ରଥର ହୋଇପାରିନଥିଲା ଦକ୍ଷିଣ ମୋଡ଼ । ଗତକାଲି ଶ୍ରୀଜିଉଙ୍କ ସକାଳ ଧୂପ ହୋଇଥିଲା ମଧ୍ୟାହ୍ନ ୧୨ଟା ୪୫ରେ ଏବଂ ଅପରାହ୍ନ ୩ଟା ପରେ ଶେଷ ହୋଇଥିଲା ପ୍ରଥମ ଭୋଗ ମଣ୍ଡପ ।

ଫଳରେ ଗତକାଲି ବି ମହାପ୍ରସାଦ ବାହାରିବା ବେଳକୁ ବାଜିଯାଇଥିଲା ଅପରାହ୍ନ ୪ଟା । ମଧ୍ୟାହ୍ନ ଧୂପ ଶେଷ ହେଲା ବେଳକୁ ରାତି ୮ଟା ୪୦ । ଦ୍ୱିତୀୟ ଭୋଗମଣ୍ଡପ ବାହାରିବା ବେଳକୁ ରାତି ୧୦ । ସ୍ଥିତି ଏଭଳି ହେଲା ଯେ, ଗତକାଲିର ବରାଦି ଅବଢ଼ା ଆଉ ବିକ୍ରି ହୋଇପାରିଲାନି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ମହାପ୍ରସାଦ ଶ୍ରୀଗୁଣ୍ଡିଚା ମନ୍ଦିରରେ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ସୁଆର ସେବକ ।

ପ୍ରଶ୍ନ ଉଠୁଛି ଶୃଙ୍ଖଳିତ ନୀତିକାନ୍ତି ପାଇଁ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା ପରେ ବି କାହିଁକି ବିଳମ୍ବ ଘଟୁଛି? ସେବାୟତ-ସେବାୟତଙ୍କ ମଧ୍ୟରେ କାହିଁକି ରହୁନି ସମନ୍ୱୟ ? କେଉଁଠି ରହୁଛି ସମସ୍ୟା? ଏଭଳି ସ୍ଥିତି ଯଦି ଲାଗି ରୁହେ, ତେବେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସୁରୁଖୁରୁରେ ସଂପନ୍ନ ହେବ ତ?

ଏଭଳି ନାନା ପ୍ରଶ୍ନ ଭିତରେ ନୀତିକାନ୍ତିକୁ ତ୍ୱରାନ୍ୱିତ ପାଇଁ ଉଦ୍ୟମ ଜାରି ରହିବା ସହ ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ଯେଭଳି ସଂଧ୍ୟା ଦର୍ଶନ ସରିବ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ଆଜି ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ପରେ ଏବେ ବାହୁଡ଼ା ଯାତ୍ରା ପାଇଁ ତୟାର ୩ ରଥ ।

ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ପରେ ଗର୍ଭଗୃହକୁ ଶୋଧ କରାଯାଇ ସଂଧ୍ୟା ଆଳତି ସମ୍ପନ୍ନ କରାଯିବ । ପରେ ଦଇତାପତି ସେବାୟତ ଶ୍ରୀଜିଉଙ୍କୁ ଲାଗି କରିବେ ସେନାପଟା । ଆଉ ତା’ ପରଦିନ ହେବ ମହାପ୍ରଭୁଙ୍କ ବାହୁଡ଼ା ।

Lord Jagannath Gundicha Temple Rath Jatra Delayed Rituals
Advertisment
Advertisment