• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦୁଇ ବର୍ଷ ପରେ ଏଥର ରଥଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା ହୋଇଛି । ହେଲେ ଯେଉଁମାନେ ପୁରୀ ଆସି ପାରୁନାହାନ୍ତି ସେମାନେ ଘରେ ରହି ବି ଟେଲିଭିଜନ୍‌ରେ ଶ୍ରୀଜିଉଙ୍କୁ ଦେଖିପାରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରଦ୍ଧାଳୁଙ୍କ ପାଇଁ ଏପରି ପରାମର୍ଶ ଦେଇଛନ୍ତି ।

ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀ ଆସିବେ । ଯେଉଁମାନେ ପୁରୀ ଯାଇ ପାରୁଛନ୍ତି ସେମାନେ ନିଶ୍ଚିତ ଯିବେ । କିନ୍ତୁ ଯେଉଁମାନେ ଯାଇ ପାରୁନାହାନ୍ତି ସେମାନେ ଟେଲିଭିଜନ୍‌ରେ ବି ମହାପ୍ରଭୁଙ୍କୁ ନିକଟରୁ ଦର୍ଶନ କରିପାରିବେ ବୋଲି କହିଛନ୍ତି ଗଜପତି ମହାରାଜା । ତାସହ ଟେଲିଭିଜନ୍‌ରେ ଧାରା ବିବରଣୀ ଦେଉଥିବା ବ୍ୟକ୍ତି ଶାସ୍ତ୍ର, ପରମ୍ପରା ସମ୍ବଳିତ ତଥ୍ୟ ରଖି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଛନ୍ତି ଗଜପତି ।

ଅନ୍ୟପକ୍ଷେ, ଆସନ୍ତାକାଲି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ । ତିନିବାଡରୁ ଆଜ୍ଞାମାଳ ପହଞ୍ଚିବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ଏହାପରେ ଦର୍ପଦଳନ ଓ ଶେଷରେ ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା ।

ଘଣ୍ଟଘଣ୍ଟା, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ବଡଦାଣ୍ଡ । ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପୋଲିସ ଓ ଶ୍ରଦ୍ଧାଳୁ ରଥକୁ ସିଂହଦ୍ୱାର ସମ୍ମୁଖକୁ ଟାଣି ଆଣିଥିଲେ । ଏବେ ରଥଯାତ୍ରା ପାଇଁ ରଥ, ପଥ ପ୍ରସ୍ତୁତ କେବଳ ଚତୁର୍ଦ୍ଧାମୂରତିଙ୍କ ବିଜେକୁ ଅପେକ୍ଷା । ରାତିପାହିଲେ ରଥଯାତ୍ରା ଥିବାରୁ ଶ୍ରୀକ୍ଷେତ୍ର ପୁରୀ ଧିରେ ଧିରେ ଲୋକାରଣ୍ୟ ହେଲାଣି ।