/odishatv-khabar/media/post_attachments/uploadimage/library/16_9/16_9_0/Bahuda_1720924953.jpg)
Bahuda
ଜନ୍ମବେଦିରେ ସରିସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା। ବାହୁଡା ଯାତ୍ରା ପାଇଁ ପୁରୀରେ ଆରମ୍ଭ ହୋଇଛି ପ୍ରସ୍ତୁତି। ତିନି ରଥର ଦକ୍ଷିଣ ମୋଡ଼ ସରିଛି। ତିନି ରଥ ନାକଚଣା ଦ୍ବାର ଆଗରେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ। ତେବେ ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବାହୁଡ଼ା ଯାତ୍ରା ପ୍ରସ୍ତୁତି ଲାଗି ଗୁଣ୍ଡିଚା ମନ୍ଦିରରେ ସାନ୍ଧ୍ୟ ଦର୍ଶନ ବନ୍ଦ ରହିବ । ଧାର୍ଯ୍ୟ ଅବଧି ମଧ୍ୟରେ ଆଡ଼ପ ମଣ୍ଡପ ନବମୀ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ଶୃଙ୍ଖଳିତ ହେବ ରଥଯାତ୍ରାର ଅବଶିଷ୍ଟ ରୀତିନୀତି । ଏହାକୁ ସୁନିଶ୍ଚିତ କରିବାକୁ ଆଜିଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜିଠୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ।
ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରି, ସେସବୁ ଯେପରି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ତାହା ସୁନିଶ୍ଚିତ କରିବାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଯେପରି କୌଣସି ଅସୁବିଧା ନହେବ, ସେଥିପ୍ରତି ମଧ୍ୟ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ଆଜି ଦିନ ଗୋଟାଏ ପରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଏସ୍ଓପିକୁ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହାପରେ ଏସ୍ଓପିକୁ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ଏହା ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, କାଲିଠାରୁ ଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ ଏବଂ କ୍ରମାଗତ ଭାବେ ଚାଲିବ । ଅଳଙ୍କାର ଗଣତି ମଣତି ନେଇ ରିଜର୍ଭ ବ୍ୟାଙ୍କର ସହାୟତା ନିଆଯିବ । RBI ପ୍ରତିନିଧି ଉପସ୍ଥିତ ରହିବେ ଏବଂ ରତ୍ନଭଣ୍ଡାର ଟିମ୍କୁ ସହାୟତା କରିବେ । ସ୍ବଚ୍ଛତାର ସହ ପ୍ରକ୍ରିୟା ପରିଚାଳନା କରିବା ମୁଖ୍ୟ ପ୍ରଶାସକଙ୍କ ଦାୟିତ୍ବ ।
ରତ୍ନଭଣ୍ଡାର ଗଣତି ମଣତି ସଂପର୍କରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ । ଅଳଙ୍କାର ଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ ଏବଂ ଏକ ଡିଜିଟାଲ କାଟାଲଗ୍ ତିଆରି ହେବ । ଏହା ଆଗାମୀ ଦିନ ପାଇଁ ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ । ସୂଚନା ଯୋଗ୍ୟ ଯେ, ୨୦୨୪ ନିର୍ବାଚନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ଏହାକୁ ଖୋଲାଯିବା ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା କରିଥିଲା ବିଜେପି। ସରକାରକୁ ଆସିବାର ଦେଢ଼ ମାସ ଭିତରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)