• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ଶ୍ରୀଜିଉଙ୍କ ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ । ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରୀନାଥ । ଏଥିପାଇଁ ସମସ୍ତ ରୀତିନୀତି ଆରମ୍ଭ ହୋଇଛି । ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ ମହାପ୍ରଭୁ।

ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ, ଯାହାକୁ ନୀଳାଦ୍ରୀବିଜେ କୁହାଯାଏ । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ଶ୍ରୀଜଗନ୍ନାଥ ରଥ ଉପରୁ ଓହ୍ଲାଇବା ପୂର୍ବରୁ ଅଭିମାନିନୀ ମହାଲକ୍ଷ୍ମୀ ପ୍ରଥମେ ଶ୍ରୀମନ୍ଦିର ଚାହାଣୀ ମଣ୍ଡପରୁ ସ୍ୱାମୀଙ୍କୁ ଦେଖିବେ । ତା’ପରେ ମହାପ୍ରଭୁଙ୍କୁ ଆସୁଥିବା ଦେଖି ସେଠାରୁ ଫେରିଆସି ସିଂହଦ୍ୱାର ବନ୍ଦ କରିବାର ବିଧି ରହିଛି ।

ମହାପ୍ରଭୁ ପତ୍ନୀଙ୍କୁ ଛାଡି ଭାଇଭଉଣୀକୁ ଧରି ନବଦିନାତ୍ମକ ଯାତ୍ରାରେ ଯାଇଥିବାରୁ କ୍ରୋଧ ଜର୍ଜରିତ ହୋଇ ଶ୍ରୀମନ୍ଦିରରେ ଏକୁଟିଆ ରହିଥିଲେ ଲକ୍ଷ୍ମୀ । ଏଥିପାଇଁ ସିଂହଦ୍ୱାରଠାରେ ମହାଲକ୍ଷ୍ମୀଙ୍କ ସହ ମହାପ୍ରଭୁଙ୍କ ବଚନିକା ହୋଇଥାଏ । ଏହାପରେ ମହାଲକ୍ଷ୍ମୀ ଦ୍ୱାର ଫିଟାଇ ଦେଇ ମହାପ୍ରଭୁ ରତ୍ନ ସିଂହାସନକୁ ଯିବା ପୂର୍ବରୁ ପୁଣି ଜୟବିଜୟ ଦ୍ୱାରକୁ ବନ୍ଦ କରିଦେଇଥାନ୍ତି । ସେଠାରେ ପୁନର୍ବାର ବଚନିକା ହୋଇଥାଏ । ମହାପ୍ରଭୁଙ୍କ ପକ୍ଷରୁ ଭିତରଛ ମହାପାତ୍ର ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ପତିମହାପାତ୍ର ସେବାୟତ ଏହି ବଚନିକାରେ ଅଂଶଗ୍ରହଣ କରିଥାନ୍ତି ।

ସେଠାରେ ମହାପ୍ରଭୁ ଲକ୍ଷ୍ମୀଙ୍କୁ ବହୁ ବୁଝାସୁଝା କରିବା ସହ ତାଙ୍କୁ ଗୁପ୍ତ ଗୁଣ୍ଡିଚାରେ ନେବେ ବୋଲି ପ୍ରତିଶୃତି ଦେବା ସହ ଶେଷରେ ରସଗୋଲା ଖୁଆଇ ମହାପ୍ରଭୁ ପତ୍ନୀ ମହାଲକ୍ଷ୍ମୀଙ୍କ ମାନଭଂଜନ କରନ୍ତି । ଆସନ୍ତାକାଲିଠାରୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଅବଢା ପାଇପାରିବେ ।