• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ନଜରରେ ରଖି ସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଦେବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଚଳିତ ବର୍ଷ ଯଥା ରୀତି ନୀତି ଅନୁସାରେ ଭକ୍ତଙ୍କ ଗହଳରେ ପାଳନ ହେବ । ଏଣୁ କୋଭିଡ ସହ ମଙ୍କିପକ୍ସକୁ ନଜରରେ ରଖି ଏହି ଗାଇଡ ଲାଇନ ଜାରି ହୋଇଛି । ପୂର୍ବରୁ ଦିଆଯାଇଥିବା କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଏଥିରେ ଉଲ୍ଲେଖ ହୋଇଛି ।

ସଠିକ ଭାବେ ମାସ୍କ ପିନ୍ଧିବା, ହାତକୁ ଭଲ ଭାବେ ଧୋଇବା ସହ ଅଯଥା ଗହଳି ସ୍ଥାନକୁ ନଯିବା ଲାଗି ନିୟମାବଳୀରେ ଉଲ୍ଲେଖ ରହିଛି । ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଥିବାରୁ ଗହଳିରେ ଅଂଶୁଘାତ ହେବାର ସମ୍ଭାବନା ରହିଛି । ତେଣୁ ବୟସ୍କ ବ୍ୟକ୍ତି ଛୋଟ ପିଲାଙ୍କୁ ଗହଳି ସ୍ଥାନରେ ଏକତ୍ରିତ ନ ହେବା ଲାଗି ପରାମର୍ଶ ଦିଆଯାଇଛି । ରଥଯାତ୍ରା ବେଳେ ବାହାର ଖାଦ୍ୟ ପ୍ରତି ଯାଗ୍ରତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରାମର୍ଶ ଦେଇଛି ।

ବାହାରେ ଖାଦ୍ୟ ଗୁଡ଼ିକରେ ମାଛି ବସୁଛି, ଏଣୁ ଡାଇରିଆ ହେବାର ସମ୍ଭାବନା ରହିଛି । ତେଣୁ ସେ ସବୁରକୁ ଦୂରେଇ ରହିବା ଲାଗି ନିୟମାବଳୀ ରହିଛି । ଏହାସହ ରଥଯାତ୍ରା ବେଳେ ଯଦି କୌଣସି ବ୍ୟକ୍ତି ଅସୁସ୍ଥତା ଅନୁଭବ କରେ, ତେବେ ତୁରନ୍ତ ପୁରୀରେ ଖୋଲାଯାଇଥିବା ହେଲପ ଡେସ୍କର ସହାୟତା ନେବା ସହ ଆମ୍ବୁଲାନ୍ସର ସୁବିଧା ନେବା ଲାଗି ପରାମର୍ଶ ଦିଆଯାଇଛି । ପୁରୀର ସରଧାବାଲି, ବଡ଼ଦାଣ୍ଡ ବସ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲିଛି । ଦରକାର ପଡିଲେ ତାହାର ସୁବିଧା ଲୋକେ ପାଇପାରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ସେପଟେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଆଜି ଗୁପ୍ତ ସେନାପଟା ଲାଗି ନୀତି ହେଉଛି । ହେଲେ ଗୁପ୍ତ ସେନାପଟା ନୀତି ଯୋଗୁଁ ସକାଳୁ ସକାଳୁ ଶ୍ରୀମନ୍ଦିରର ଚାରି ଦ୍ୱାର ବନ୍ଦ ରହିଥିବା ବେଳେ ସେବାୟତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ସିଂହଦ୍ୱାର ଖୋଲାଗଲା । ଫଳରେ ପତିତପାବନଙ୍କୁ ଦର୍ଶନ କରିପାରିଛନ୍ତି ଶ୍ରଦ୍ଧାଳୁ । ପାର୍ଶ୍ୱ ଦେବାଦେବୀ ଦର୍ଶନ ନେଇ ଏବେ ବି ସଂଶୟ ରହିଛି । ଗୁପ୍ତ ସେନାପଟା ନୀତି ଯୋଗୁଁ ଚାରି ଦ୍ୱାର ବନ୍ଦ ରଖିଥିଲା ପ୍ରଶାସନ ଏଥିଯୋଗୁଁ ଶ୍ରୀମନ୍ଦିର ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଚାରି ଦ୍ୱାର ବନ୍ଦ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସିଂହଦ୍ୱାର ଖୋଲାଯାଇଛି ।