• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ବଳଭଦ୍ର ଖସିପଡ଼ିବା ଘଟଣାରେ ଶେଷରେ ମୁହଁ ଖୋଲିଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ହଳଧର କହିଛନ୍ତି-ଗୋଟିଏ ଦିନରେ ଗୁଣ୍ଡିଚା ଯାତ୍ରା, ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ନୀତିକାନ୍ତି ଠିକ୍ ନୁହେଁ । ନୀତିକାନ୍ତିରେ ଭୁଲ ହୋଇଛି ।

ଯେଭଳି ଭୋଗ ହେବା କଥା ହୋଇନି । ଗୋଟିଏ ଭୋଗରେ ଦୁଇଟି ଯାତ୍ରା ହୋଇଛି । ଗୁଣ୍ଡିଚା ଯାତ୍ରା ଦିନ ଭୋଗ ହେଲାନି, ତେଣୁ ଠାକୁର ଉପାସରେ ଗଲେ । ନେତ୍ର ଉତ୍ସବ ହୋଇନି ଅଣସର ଘରୁ କିପରି ଆଜ୍ଞାମାଳ ଗଲା ବୋଲି ପ୍ରଶ୍ନ କରିଛନ୍ତି ହଳଧର । ମହାପ୍ରଭୁ ଭୋକରେ ଥିବାରୁ ଅନିଷ୍ଟ ହେଲା ବୋଲି କହିଛନ୍ତି ହଳଧର ।

ସେପଟେ ହଳଧରଙ୍କ ପ୍ରତିକ୍ରିୟା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ସେପଟେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳା ଚାଲିଥିବା ବେଳେ ସେଠୁ ବି ଆସୁଛି ନୀତିକାନ୍ତି ବିଳମ୍ବର ଖବର । ଗତକାଲି ସକାଳ ଧୂପ ମଧ୍ୟାହ୍ନ ୧୨ଟା ୪୫ରେ ସମ୍ପନ୍ନ ହୋଇଥିବା ବେଳେ ଅପରାହ୍ନ ୩ଟା ପରେ ପ୍ରଥମ ଭୋଗ ଶେଷ ହୋଇଛି ।

ଫଳରେ ମହାପ୍ରସାଦ ବାହାରିବା ବେଳକୁ ଅପରାହ୍ନ ୪ଟା ବାଜି ଯାଇଥିଲା । ସେହିପରି ମଧ୍ୟାହ୍ନ ଧୂପ ଶେଷ ହେଲା ବେଳକୁ ରାତି ୮ଟା ୪୦ ହୋଇ ଯାଇଥିଲା । ଆଉ ଦ୍ୱିତୀୟ ଭୋଗମଣ୍ଡପ ବାହାରିବା ବେଳକୁ ରାତି ୧୦ଟା  ବାଜି ଯାଇଥିଲା । ଏଭଳି ହେବାରୁ ବରାଦି ଅବଢ଼ା ଆଉ ବିକ୍ରି ହୋଇପାରି ନଥିଲା । ଫଳରେ ବହୁ ଭୋଗ ରହି ଯାଇଥିବା ଅଭିଯୋଗ କରିଛନ୍ତି ସୁଆର ସେବକ । ରାତ୍ରପହୁଡ଼, ଦ୍ୱାରଫିଟା ଆଦି ନୀତି ବିଳମ୍ବ ଯୋଗୁଁ ଠାକୁରଙ୍କ ଭୋଗ ବାହାରିବାରେ ବିଳମ୍ବ ଘଟୁଥିବା ଅଭିଯୋଗ ହେଉଛି ।

ନବ ଦିନାତ୍ମକ ଯାତ୍ରା ସରି ଆସୁଥିବା ବେଳେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ହୋଇଛି । ରଥ ଚଢ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ବିଜେ କରିଛନ୍ତି କାଳିଆ ସାଆନ୍ତ । ଆଉ ଦିନକ ପରେ ଅର୍ଥାତ ସୋମବାର ବାହୁଡ଼ା ଯାତ୍ରାରେ ନୀଳକନ୍ଦର ଅଭିମୁଖେ ବାହୁଡ଼ିବେ ନୀଳମଣି ।

ଆଉ ଏଥିପାଇଁ ଗତକାଲିଠୁ ପ୍ରକ୍ରିୟା ଆରମ୍ଭ ହେଲାଣି । ଗତକାଲି ଦର୍ପଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସରିଥିଲା । ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ଏବେ ତିନି ରଥ ନାକଚଣା ଦ୍ୱାର ଆଗରେ ଲାଗିଛି । ସେପଟେ ଆସନ୍ତାକାଲି ସଂଧ୍ୟା ଦର୍ଶନ ରହିଛି, ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଅପରାହ୍ଣ ୪ଟା ଯାଏଁ ଦର୍ଶନ ବ୍ୟବସ୍ଥା ଥିଲା ତାହା ୫ଟା ଯାଏଁ ବଢ଼ାଇଛି ପ୍ରଶାସନ ।

OTV is now on Whatsapp

Join and get latest news update delivered to you via whatsapp

Join Now