• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ । ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ । ପୂର୍ବ ନୀତି ନିର୍ଘଣ୍ଟ ଅନସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି । ବଡ଼ଠାକୁର ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା,ଓ ଝୋବାକଣ୍ଠି,ଆଦି ଲାଗି ହୋଇଛନ୍ତି ।

ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି,ସେବତୀ ମାଳି,ଘାଗଡାମାଳି, କଦମ୍ବମାଳିରେ ସଜ୍ଜିତ କରାଯାଇଛି । ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ,କମରପଟି, କର୍ଣ୍ଣକୁଣ୍ଡଳ,ଚନ୍ଦ୍ରସୂଯର୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେଉଛନ୍ତି । ଯାହାକୁ ଦେଖିବାକୁ ଭକ୍ତମାନେ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛନ୍ତି ।

ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ଦର୍ଶନ କରିପାରିବେ । ଏଥିପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ହୋଇଛି । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଭଳି ସୁନାବେଶ ଦର୍ଶନ ପାଇଁ ମଧ୍ୟ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାରୁ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଇଛି ।