• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରଥଯାତ୍ରା ପୂର୍ବରୁ ନନ୍ଦିଘୋଷ ରଥ ଚକରେ ଫାଟ ହୋଇଥିଲା, ଏବେ ବାହୁଡ଼ାଯାତ୍ରା ପୂର୍ବରୁ ତାଳଧ୍ୱଜ ଓ ଦର୍ପଦଳନ ରଥରେ ଫାଟ ଧରାପଡିଛି । ବୈଷୟିକ ଟିମ୍‌ର ଯାଞ୍ଚ ପରେ ତୁରନ୍ତ ରଥ ମରାମତି ପାଇଁ ଉଦ୍ୟମ ଆରମ୍ଭ ହୋଇଛି ଓ ରଥ ଦକ୍ଷିଣମୋଡ଼ ପୂର୍ବରୁ ଏହା ସମ୍ପନ୍ନ କରାଯିବ ବୋଲି ସୂଚନା ଦିଆଯାଇଛି । ସେପଟେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଦରକାର ପଡୁଥିବା ନିର୍ଦ୍ଦିଷ୍ଟ ପ୍ରକାର କାଠର ଘୋର ଅଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗଜପତି ମହାରାଜା । ଓଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଗଜପତି କହିଛନ୍ତି, ରାଜ୍ୟ ସରକାର ଶ୍ରୀଗନ୍ନାଥ ବନପ୍ରକଳ୍ପ ପ୍ରତି ଯତ୍ନବାନ ନହେଲେ ଆଗକୁ ଜଟିଳ ରଥକାଠ ସମସ୍ୟା ହୋଇପାରେ ।

ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ । ଫାଟିଛି ଦର୍ପଦଳନ ରଥର ବଡ଼ଉଛୁଳା ଚକ । ରଥନିର୍ମାଣ ବୈଷୟିକ ଟିମ୍ ପକ୍ଷରୁ ଆଜି ଯାଞ୍ଚବେଳେ ଜଳ ଜଳ ଦିଶିଥିଲା ବଡ଼ଠାକୁର ବଳବଦ୍ରଙ୍କ ରଥ ଚକରେ ଫାଟ । ଶନିବାର ବାହୁଡ଼ା ଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରୁ ନାକଚଣା ଦ୍ୱାର ସମ୍ମୁଖକୁ ରଥତ୍ରୟଙ୍କୁ ଦକ୍ଷିଣମୋଡ଼ କରାଯିବା ପୂର୍ବରୁ ଧରାପଡ଼ିଛି ଦୁଇ ରଥର ଚକରେ ଫାଟ । ଯାହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯିବ । ଏଥିପାଇଁ କେଉଁଠି ଚକରେ ଲୁହାର ୟୁ କ୍ଲାମ୍ପ ତ କେଉଁଠି ଏଲ୍ କ୍ଲାମ୍ପ ବସିବ । ଏମିତିକି ଦରକାର ପଡ଼ିଲେ ଚାନ୍ଦି ମଧ୍ୟ ଲଗାଯିବ ବୋଲି କହିଛନ୍ତି ରଥ ଫିଟ୍‌ନେସ୍‌ ଦାୟିତ୍ୱରେ ଥିବା ଅଧିକାରୀ ।

ଏଥର ରଥଖଳାରେ ଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଅଖରେ ଫାଟ ଦେଖାଦେଇଥିଲା, ଯାହାକୁ ବଦଳାଇ ନୂଆ ଅଖ ଲଗାଯାଇଥିଲା । ସେହିପରି ଗତବର୍ଷ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଥିବାବେଳେ ବଳଭଦ୍ରଙ୍କ ରଥ ପହିରେ ବି ଫାଟ ନଜରକୁ ଆସିଥିଲା । ଲୁହା ପହି ସଂଯୋଗ କରାଯାଇ ରଥକୁ ଦକ୍ଷିଣମୋଡ଼ କରାଯାଇଥିଲା ।

ଯଦିଓ ପ୍ରତିବର୍ଷ ରଥ ଚକ ଓ ପହିରେ ଫାଟ ସୃଷ୍ଟି ହେଉଛି ଓ ପରେ ତାକୁ ମରାମତି କରାଯାଇ ଠିକ୍ କରାଯାଉଛି । କିନ୍ତୁ ଚଳିତବର୍ଷଠୁ ରଥକାଠର ଘୋର ଅଭାବକୁ ନେଇ ବଢିଛି ଚିନ୍ତା । ଯେହେତୁ ଶ୍ରୀଜୀଉଙ୍କ ପାଇଁ ପ୍ରତିବର୍ଷ ନୂଆ ରଥ ନିର୍ମାଣ ହେଉଛି ଓ ଏଥିପାଇଁ ଫାଶି, ଅସନ ଓ ଧଉରା କାଠ ମୁଖ୍ୟତଃ ଦରକାର ପଡୁଛି । ଧିରେ ଧିରେ ଏସବୁ କାଠ ଦୁର୍ଲଭ ହେଲାଣି । ଏମିତିକି ଏବର୍ଷ ଭକ୍ତଙ୍କୁ ମଧ୍ୟ ଏସବୁ କାଠ ମହାପ୍ରଭୁଙ୍କ ସେବାରେ ଯୋଗାଇବାକୁ ଅନୁରୋଧ ବି କରାଯାଇଥିଲା ।

ସେପଟେ ଏଭଳି ସ୍ଥିତିକୁ ଦେଖି ଖୋଦ୍ ଗଜପତି ମହାରାଜା ବି ଚିନ୍ତା ପ୍ରକଟ କଲେଣି । ଓଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଗଜପତି କହିଛନ୍ତି, ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ଯେପରି କେବେ ହେଲେ କାଠ ଅଭାବ ନରହେ, ସେଥିପାଇଁ ରାଜ୍ୟ ସରକାର ଜଗନ୍ନାଥ ବନ ପ୍ରକଳ୍ପ ଆରମ୍ଭ କରିଥିଲେ । ହେଲେ ଗଲା କିଛି ବର୍ଷ ହେଲା ପ୍ରକଳ୍ପ ପାଇଁ ବିଭିନ୍ନ ବନଖଣ୍ଡରେ ଲାଗିଥିବା ଚାରା ଓ ଗଛର ସ୍ଥିତି ଜଣାପଡୁନାହିଁ । ରାଜ୍ୟ ସରକାର ଜଗନ୍ନାଥ ବନ ପ୍ରକଳ୍ପକୁ ସଫଳ ନକଲେ ଭବିଷ୍ୟତରେ ରଥ ନିର୍ମାଣରେ କାଠ ବଡ଼ ବାଧକ ସାଜିପାରେ । ସରକାର ଚାହିଁଲେ ସେ ନିଜେ ଏଥିପାଇଁ ସହଯୋଗ କରିବେ ବୋଲି କହିଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ ।

ତେଣେ ଗୁଣ୍ଡିଚା ଘରେ ଅବସ୍ଥାନ କରିଥିବା ଶ୍ରୀଜିଉଙ୍କୁ ଦର୍ଶନ ସହ ଆଡପ ଅବଢ଼ା ପାଇ ଭକ୍ତ କୃତ୍ୟକୃତ୍ୟ ହେଉଛନ୍ତି । ଆସନ୍ତାକାଲି ହେରାପଞ୍ଚମୀ ନୀତି ପରେ ବୁଧବାର ତିନିରଥକୁ ଦକ୍ଷିଣ ମୋଡ଼ କରାଯିବ ।

ରିପୋର୍ଟର-  ମଧୁସୂଦନ ମିଶ୍ର ଓ ପ୍ରଦୀପ ମହାନ୍ତି