Rath Yatra Mismanagement
ବଢ଼ିଆ, ବ୍ୟବସ୍ଥିତ ସୁନ୍ଦର ପହଣ୍ଡି । ବିଳମ୍ବରେ ଆରମ୍ଭ ହୋଇ ବି ନିର୍ଧାରିତ ସମୟରେ ସବୁ ଠାକୁରଙ୍କ ପହଣ୍ଡି ସରିଲା । ପାଖାପାଖି ଠିକଣା ସମୟରେ ରଥଟଣା ଆରମ୍ଭ ବି ହେଲା । ତଥାପି କାହିଁକି ବଡ଼ଦାଣ୍ଡରେ ଦୀର୍ଘ ସମୟ ଧରି ଅଟକିଲା ରଥ ? କାହିଁକି ସୂର୍ଯ୍ୟ ଅସ୍ତ ଯାଇ ରାତି ୭ଟା ୪୫ ପର୍ଯ୍ୟନ୍ତ ସିଂହଦ୍ବାର ସମ୍ମୁଖରେ ଅଚଳ ମହାମେରୁ ପରି ରହିଲେ ନନ୍ଦିଘୋଷ ? କେଉଁ କାରଣରୁ ପାଖାପାଖି ଦେଢ଼ଘଣ୍ଟା ଧରି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକି ରହିଲା ତାଳଧ୍ବଜ ? କେଉଁଟି ରହିଲା ତ୍ରୁଟି ? ବୈଷୟିକ ସମସ୍ୟା ନା କର୍ତ୍ତବ୍ୟରେ ଅବହେଳା ?
କୁହାଯାଉଛି ଶୃଙ୍ଖଳିତ ରଥଟଣା ପାଇଁ ସବୁ ବ୍ୟବସ୍ଥା ସତ୍ତ୍ବେ ମୁଖ୍ୟତଃ ତାଳଧ୍ବଜ ରଥ ବାରମ୍ବାର ମୋଡ଼ ନେବା ସ୍ଥିତିକୁ ପୂରା ବିଗାଡ଼ିଦେଲା। ତେବେ କାହିଁକି ଏମିତି ହେଲା ? କୁହାଯାଉଛି ବଳଭଦ୍ରଙ୍କ ରଥ ସିଂହଦ୍ବାର ଚକଡ଼ାରେ ଲାଗିବା ବେଳେ ବି ଏଇ ଆଶଙ୍କା ସୃଷ୍ଟି ହୋଇଥିଲା। ତାଳଧ୍ବଜ ଯଥାସ୍ଥାନରେ ନଥିଲା। ତିନି ରଥ ଭିତରେ ଯେଉଁ ଦୂରତା ରହିବା କଥା ତାହା ବି ନଥିଲା।
ତେଣୁ ଯେତେବେଳେ ତାଳଧ୍ବଜ ରଥଟଣା ଆରମ୍ଭ ହେଲା, ରଥକୁ ଠିକଣା ସ୍ଥାନକୁ ଆଣିବାରେ ବି ବିଳମ୍ବ ହେଲା। ଏବଂ ଏହା ପରେ ରଥ ବାରମ୍ବାର ମୋଡ଼ ଦେଇ ଶେଷରେ ବାଗେଡି଼ଆ ଧର୍ମଶାଳାରୁ ଆଉ ଆଗକୁ ଗଡ଼ିଲାନି। ଘଣ୍ଟାଏ ୨୦ ମିନିଟ୍ ପର୍ଯ୍ୟନ୍ତ ତାଳଧ୍ବଜ ନ ଘୁଞ୍ଚିବାରୁ ସୁଭଦ୍ରାଙ୍କ ରଥ ଟଣାରେ ବିଳମ୍ବ। ଦର୍ପଦଳନ ରଥ ଅଟିକିବାରୁ ନନ୍ଦିଘୋଷ ବି ଚଳିପାରିଲାନି। ଏହା ବାଦ୍ ରଥ କର୍ଡନ ଭିତରେ ଏତେ ଲୋକ ରହିଗଲେ ଯେ ରଥଟଣାଠୁ ମୋଡ଼ ପର୍ଯ୍ୟନ୍ତ ସବୁଥିରେ ବିଭ୍ରାଟ ହେଲା।
ଅଧିକ ପଢ଼ନ୍ତୁ: ରଥ ପରେ ଆସିପାରେ ରାଜ୍ୟ ସରକାରରେ ବଡ଼ ନିଷ୍ପତ୍ତି; ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ଚର୍ଚ୍ଚା...
ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବି କର୍ଡନ୍ ଭିତରେ ଭିଡ଼କୁ ସ୍ବୀକାର କରିବା ସହ ଏନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି। ଶୃଙ୍ଖଳିତ ଓ ବ୍ୟବସ୍ଥିତ ରଥଟଣା ପାଇଁ ତିନିଜଣ ପ୍ରଶାସକଙ୍କ ଗୁରୁ ଦାୟିତ୍ବରେ ଥାଏ ତିନିରଥ । ଏଥର ବି ନନ୍ଦିଘୋଷ ରଥ ଦାୟିତ୍ବରେ ଜିଲ୍ଲାପାଳ, ଓ ଦର୍ପଦଳନ ଦାୟିତ୍ବରେ ଏଡିଏମ ଥିଲା ବେଳେ ତାଳଧ୍ବଜ ରଥ ଦାୟିତ୍ବରେ ଥିଲେ ଏସପି ।
ରଥଟଣାରେ ଏତେବଡ଼ ବିଭ୍ରାଟକୁ ନେଇ ପ୍ରଶ୍ନ, ଚର୍ଚ୍ଚା ଯେତିକି ରାଜନୀତି ବି ସେତିକି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଥିପାଇଁ ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସୋସିଆଲ୍ ମିଡିଆ ପୋଷ୍ଟରେ ନବୀନ ରଥଯାତ୍ରାର ଏ ଭୟଙ୍କର ବିଭ୍ରାଟ ତଥା ବିଶୃଙ୍ଖଳା ପାଇଁ ଦାୟୀ ସମସ୍ତଙ୍କୁ ଶ୍ରୀଜଗନ୍ନାଥ କ୍ଷମା କରନ୍ତୁ ବୋଲି ଲେଖିଛନ୍ତି ନବୀନ।
ଯାହାର ଦୃଢ ଜବାବ ରଖି ବିରୋଧୀ କୁତ୍ସିତ ରାଜନୀତି କରୁଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଅଧିକାଂଶ ବର୍ଷ ରଥ ଦ୍ବିତୀୟ ଦିନରେ ଗୁଣ୍ଡିଚା ମନ୍ଦିରରରେ ପହଞ୍ଚିଥାନ୍ତି କହି ଅତୀତରେ ସେମାନେ ହିଁ ତ୍ରୁଟି କରି ମହାପ୍ରଭଙ୍କୁ ଅପମାନିତ କରିଛନ୍ତି। ଯେଉଁମାନେ ୟାକୁ ନେଇ ରାଜନୀତି କରୁଛନ୍ତି, ସେମାନେ ଆଜି ନ ହେଲେ କାଲି ଭୋଗିବେ ବୋଲି କହିଛନ୍ତି ପୃଥ୍ବୀରାଜ।
ରଥଟଣାରେ ବିଭ୍ରାଟ ପାଇଁ କାଲି କେବଳ ବିଧିରକ୍ଷା ପାଇଁ ନନ୍ଦିଘୋଷ ରଥକୁ କେଇ ଚକ ଆଗକୁ ଗଡ଼ାଯାଇଥିଲା। ପ୍ରଥମ ଦିନରେ ଶରଧାବାଲିରେ ନ ଲାଗିଲେ ନାଇଁ ସାଧାରଣତଃ ବଳଗଣ୍ଡି ଛକ ଯାଏ ପହଞ୍ଚିଯାଉଥିବା ନନ୍ଦିଘୋଷକୁ କାଲି କେବଳ ବିଧିରକ୍ଷା ପାଇଁ କେଇ ଚକ ଗଡ଼ାଯାଇଥିଲା। ଏମିତିକି ବଡ଼ଠାକୁରଙ୍କ ରଥ ବି ବଳଗଣ୍ଡି ଅତିକ୍ରମ କରି ପାରିନଥିଲା। ଏବେ ଦେଖିବାର କଥା ଏ ବିଭ୍ରାଟରୁ ଶିଖି ବାହୁଡ଼ା ଯାତ୍ରାକୁ କେତେ ଶୃଙ୍ଖଳିତ କରୁଛି ପ୍ରଶାସନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751123078.jpg)