/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721099123.jpg)
Bahuda Yatra
ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି। ଭକ୍ତି ଓ ଭାବରେ ବୁଡ଼ିଲା ଶ୍ରୀକ୍ଷେତ୍ର। ସିଂହଦ୍ବାର ସାମ୍ନାରେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ। ରଥାରୁଢ଼ ୩ ଦିଅଁଙ୍କୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼। ଜୟ ଜଗନ୍ନାଥ ଧ୍ବନୀ ସହ ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳି। ତା ସହ ସିଂହଦ୍ବାର ସମ୍ମୁଖରେ ସମୂହ ଗୀତଗୋବିନ୍ଦ ଗାନ ସୃଷ୍ଟି କଲା ଅପୂର୍ବ ଭକ୍ତିମୟ ପରିବେଶ।
ସିଂହଦ୍ବାର ଅଭିମୁଖେ ଆସିବା ବାଟରେ ମାଉସୀ ମାଆ ମନ୍ଦିର ନିକଟରେ ଶ୍ରୀଜିଉଙ୍କୁ ପୋଡ଼ପିଠା ଲାଗି ହୋଇଥିଲା। ଏହାପରେ ଲକ୍ଷ୍ମୀ-ନାରାୟଣ ଭେଟ ପାଇଁ ଶ୍ରୀନଅର ସମ୍ମୁଖରେ ଅଟକିଥିଲେ କାଳିଆ ସାଆନ୍ତ। ଶ୍ରୀନଅରରୁ ବାହାରି ମାଆ ଲକ୍ଷ୍ମୀଙ୍କୁ ରଥ ନିକଟକୁ ଆଣିଥିଲେ ଗଜପତି। ଏହାପରେ ରୀତିନୀତି ମୁତାବକ ଲକ୍ଷ୍ମୀନାରୟଣ ଭେଟ ଅନୁଷ୍ଠିତ ହୋଇଥିଲା। ଆଉ ଦିନକ ପରେ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ରଥାରୁଢ଼ ତିନି ଦିଅଁ। ମହଣ ମହଣ ରତ୍ନ ଅଳଙ୍କାରରେ ଆଭୂଷିତ ହେବେ ଶ୍ରୀଜିଉ। ତାପରେ ଅଧରପଣା ଏବଂ ଶୁକ୍ରବାର ରହିଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ।
ପଢନ୍ତୁ ଏହି ଖବର: Ratha Jatra 2024: ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରାର ପାଳନ ବିଧି; ଦର୍ଶନରେ ମିଳେ ବୈକୁଣ୍ଠ ପ୍ରାପ୍ତି
ସେପଟେ ଶାନ୍ତି ଶୃଙ୍ଖଳାର ସହ ବାହୁଡ଼ା ଯାତ୍ରା ସରିବା ପରେ, ସିଂହଦ୍ବାର ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରି ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ମହାପ୍ରଭୁଙ୍କ କରୁଣାରୁ ରଥ ଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ ହେଇଥିବା କହିଲେ ମୁଖ୍ୟ ପ୍ରଶାସକ। ସେବାୟତ ମାନେ ସହଯୋଗ କରିଥିବାରୁ ଏବଂ ରଥ ଉପରେ ମୋବାଇଲ ଫୋନ୍ କେହି ବ୍ୟବହାର କରି ନଥିବାରୁ ସେ ସେବାୟତମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ବାରଣ ସତ୍ତ୍ବେ ରଥ ଉପରେ ଚଢ଼ିଥିବା ଅଣସେବାୟତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି। ସୁନାବେଶରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)