ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଶ୍ରୀବିଗ୍ରହମାନଙ୍କର ଏହି ବାହୁଡାଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ।
ବାହୁଡ଼ା ଯାତ୍ରା ପୂର୍ବରୁ ଅଷ୍ଟମୀ ଦିନ ଶରଧାବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଏ। ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପାରମ୍ପରିକ ରୀତିମତେ ଲକ୍ଷ୍ମୀ-ନାରାୟଣ ଭେଟ କରାଯାଇଥାଏ।
ଠାକୁରଙ୍କର ଏହି ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ବାସ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା ଯାତ୍ରା ତୃତୀୟ ଅଙ୍ଗ। ଶାସ୍ତ୍ରୀୟ ବର୍ଣ୍ଣନାନୁସାରେ ରଥଯାତ୍ରା ସମୟରେ ଟାକୁରମାନେ ଉତ୍ତରାଭିମୁଖ ହୋଇ ଯାତ୍ରାକରୁଥିବା ସମୟରେ ସେମାନଙ୍କୁ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା ଯାତ୍ରାରେ ଦକ୍ଷିଣାଭିମୁଖ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ ସେହିପରି ଫଳ ମିଳିଥାଏ। ଏପରିକି ଭକ୍ତମାନେ ଏହି ଦୁର୍ଲଭ ଦର୍ଶନରେ ଅଶ୍ୱମେଧ ଯଜ୍ଞର ଫଳ ଲାଭ କରିଥାନ୍ତି ବୋଲି ମତ ରହିଛି।
Also Read
ଶ୍ରୀଗୁଣ୍ଡିଚା ଯାତ୍ରାର ୯ ଦିନରେ ଠାକୁରଙ୍କର ବାହୁଡା ଯାତ୍ରା ହୋଇଥାଏ। ନବମୀ ଦିନ ରାତିରେ ବଡ଼ସିଂହାର, ପହୁଡ଼ ଆଳତି ସରିବା ପରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ଗମ୍ଭୀରାରୁ ବାହାରି ଆସିଥାନ୍ତି। ଏହା ପରେ ଦଇତାପତିମାନେ ଠାକୁରମାନଙ୍କ ଅନ୍ୟାନ୍ୟ ଗୁପ୍ତସେବା କରିବା ସହିତ କୋଠ ସୁଆଁସିଆମାନେ ସିଂହାସନକୁ ଲଗାଇ ଚାରମାଳ ବାନ୍ଧିଥାନ୍ତି।
ରାଘବ ଦାସ ମଠ ଦେଇଥିବା ଶୁକ୍ଳ ସଜକୁ ଦଇତା ସେବକମାନେ ଠାକୁରମାନଙ୍କୁ ଲାଗି କରାଇଥାନ୍ତି। ବାହୁଡା ଯାତ୍ରା ଦିନ ସକାଳ ସମୟରେ ମଙ୍ଗଳ ଆଳତି, ଅବକାଶ ଇତ୍ୟାଦି ନୀତି ଭିତରଚ୍ଛ ମହାପାତ୍ର ଓ ପାଳିଆ ପୁଷ୍ପାଳକମାନେ ବଢ଼ାଇବା ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ପୂଜାପଣ୍ଡା ଓ ଅନ୍ୟାନ୍ୟ ନୀତି ସମ୍ପୃକ୍ତ ସେବକମାନଙ୍କ ଦ୍ୱାରା ହୋଇଥାଏ। ଏହା ପରେ ଦଇତାପତିମାନେ ଶ୍ରୀବିଗ୍ରହମାନଙ୍କର ସେନାପଟା ଲାଗି (ଗୁପ୍ତ ନୀତି) କରିଥାନ୍ତି । ଏହା ପରେ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକଙ୍କ ଦ୍ୱାରା ତିନିବାଡ଼ରେ ମଙ୍ଗଳାର୍ପଣ ହୋଇଥାଏ।
ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡା ପହଣ୍ଡି ଆରମ୍ଭ ହୋଇଯାଏ। ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା ଶ୍ରୀମସ୍ତକରେ ଲାଗି କରାଯିବା ସହିତ ପ୍ରସାଦ ଲାଗି, ବନ୍ଦାପନା, କର୍ପୂର ଆଳତି, ସାତବତୀ, ସଞ୍ଜ କାହାଳି ଓ ଘସା, ବିଡ଼ିଆ ମଣୋହି ଆଦି ବିଧି ରହିଛି।
ପରେ ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଥାନ୍ତି। ସମସ୍ତ ବିଗ୍ରହ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ରୁନ୍ଧା କାର୍ଯ୍ୟ ବଢ଼ିଥାଏ। ଠାକୁରମାନେ ରଥାରୂଢ଼ ହେବା ପୂର୍ବରୁ ବିଶ୍ୱକର୍ମା ମହାରଣା, ଦରଜୀ ସେବକ, କୋଠ ସୁଆଁସିଆ ପ୍ରଭୃତି ସେବକ ତିନି ରଥର ଆବଶ୍ୟକୀୟ ମରାମତି କାର୍ଯ୍ୟ ପୂର୍ବଦିନରୁ କରି ଦେଇଥାନ୍ତି।
ବାହୁଡା ରଥ ଟଣା ଆରମ୍ଭ ହୋଇ ବଳଭଦ୍ରଙ୍କ ରଥ ବଡଶଙ୍ଖ ଯାଏ ଆସିବା ପରେ ସୁଭଦ୍ରାଙ୍କ ରଥ ଟଣା ଆରମ୍ଭ ହୁଏ। ଏହା ପରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା ହୋଇଥାଏ। ବାଟରେ ଠାକୁରମାନଙ୍କ ପାଇଁ ପନ୍ତି ଭୋଗ ହୁଏ। ବଡଠାକୁରଙ୍କ ରଥ ଓ ସୁଭଦ୍ରାଙ୍କ ରଥ ବଡଦେଉଳ ସିଂହଦ୍ୱାର ନିକଟକୁ ଆସିବାକୁ ଅଳ୍ପ କିଛି ବାଟ ଥିବ ମାଉସୀମା ଦେଉଳ ଠାରେ ଦୁଇ ରଥ ରହିଥାଏ। ଏଠାରେ ଜଗନ୍ନାଥଙ୍କୁ ଛେନା ପୋଡ ପିଠା ଭୋଗ ଦିଆଯାଏ। ଏହା ପରେ ରଥ ଟଣା ହୁଏ।
ଜଗନ୍ନାଥ ରଥ ସିଂହଦ୍ୱାର ପାଖକୁ ଆସି ରାଜାଙ୍କ ନଅର ସାମ୍ନାରେ ରହେ। ଏହି ସମୟରେ ବଡ ଦେଉଳରୁ ନିଜ ମନ୍ଦିରରୁ ଲକ୍ଷ୍ମୀ ସଜ୍ଜ ହୋଇ ପାଲିଙ୍କୀରେ ବିଜେ ହୋଇ ବଡ ଦେଉଳ ସ୍ନାନଦେବୀ ନିକଟସ୍ଥ ଚାହାଣୀ ମଣ୍ଡପରେ ପହଞ୍ଚି ସେଠାରେ ଠିଆ ହୋଇ ରୁହନ୍ତି। ସେଠାରୁ ଜଗନ୍ନାଥଙ୍କ ରଥକୁ ଚାହାନ୍ତି। ଏହାପରେ ଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥଙ୍କ ରଥ ଚାରିପଟେ ବେଢାଏ ବୁଲନ୍ତି। ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଦଇତାମାନେ ଆଜ୍ଞାମାଳ ନେବା ପରେ ଲକ୍ଷ୍ମୀ ନିଜ ମନ୍ଦିରକୁ ଫେରି ଯାଆନ୍ତି।
ଏହାପରେ ଜଗନ୍ନାଥଙ୍କ ରଥ ମନ୍ଦିର ସିଂହଦ୍ୱାର ନିକଟକୁ ଆସେ। ବାହୁଡା ଶେଷଦିନ ଠାକୁରମାନେ ରଥରେ ରହନ୍ତି। ମଧ୍ୟାହ୍ନ ଧୂପଠାରୁ ଶୁଖିଲା ଭୋଗ ଆରମ୍ଭ ହୁଏ। ତହିଁ ପରଦିନ ମଧ୍ୟ ଠାକୁରମାନେ ରଥରେ ରହିଥାନ୍ତି ଏବଂ ଏକାଦଶୀ ନୀତି, ଅଧର ପଣା ଭୋଗ, ସୁନାବେଶ ହୁଏ। ଦ୍ୱାଦଶୀ ଦିନ ଠାକୁରମାନେ ରଥରୁ ସିଂହାସନକୁ ବିଜେ ହୁଅନ୍ତି।