• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ହେଲେ ଏବର୍ଷ ଉଭା ନଥିବାରୁ ଶ୍ରଦ୍ଧାଳୁଙ୍କୁ ମାତ୍ର ୩ ଘଣ୍ଟାର ନବ ଯୌବନ ଦର୍ଶନ ସୁଯୋଗ ମିଳିବ ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ଦଶମୂଳକ ମୋଦକ ସେବନ ପରେ ଶ୍ରୀଜୀଉଙ୍କ ସୁସ୍ଥତା ଖବରକୁ ଗଜପତିଙ୍କୁ ଜଣାଇବା ପାଇଁ ଆଜି ସଂପନ୍ନ ହୋଇଛି ରାଜପ୍ରାସାଦ ବିଜେ ନୀତି ।

ଏପଟେ ଏଥର ଉଭା ନଥିବାରୁ ଭକ୍ତଙ୍କୁ ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ବେଶ ଦର୍ଶନ ସୁଯୋଗ ମିଳିବ । ସେ ଭିତରୁ ପାରିମାଣିକ ଟିକେଟ୍ କାଟିଥିବା ଭକ୍ତଙ୍କ ପାଇଁ ଏକ ଘଣ୍ଟା ଓ ସର୍ବସାଧାରଣ ବା ସାହାଣ ମେଲା ଦର୍ଶନ ପାଇଁ ଦୁଇ ଘଣ୍ଟାର ସମୟ ଧାର୍ଯ୍ୟ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ୧୯ ତାରିଖ ସକାଳ ୮ଟାରୁ ପ୍ରଥମେ ପାରିମାଣିକ ଦର୍ଶନ ସୁବିଧା ଦିଆଯିବ ଏବଂ ତା’ପରେ ୯ଟାରୁ ୧୧ଟା ଦୁଇ ଘଣ୍ଟା ପାଇଁ ସାହାଣମେଲା ଦର୍ଶନ ରହିବ ।

ପାରିମାଣିକ ଟିକେଟଧାରୀଙ୍କୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଛଡ଼ାଯିବ ଏବଂ ସାହାଣ ମେଲା ଦର୍ଶନ ପାଇଁ ଭକ୍ତ ସିଂହଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଯେଉଁମାନେ ବ୍ୟାରିକେଡ଼ରେ ଅପେକ୍ଷା କରିଥିବେ, ସେମାନଙ୍କୁ ଦର୍ଶନର ସୁଯୋଗ ମିଳିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସେପଟେ ମାତ୍ର ଦୁଇ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ସୁଯୋଗ ଥିବାରୁ ଭକ୍ତମାନେ ଘରେ ଗୋଟିଏ ଲେଖାଏଁ ଦୀପ ବସାଇ ଟିଭିରେ ମହାପ୍ରଭୁଙ୍କ ବେଶ ଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ଖୁଣ୍ଟିଆ ନିଯୋଗ ସଭାପତି ।

ଏପଟେ ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ପ୍ରସ୍ତୁତି । ତିନି ରଥର ପ୍ରଥମ ଭୂଇଁ ଉପରେ 'କନକ ମୁଣ୍ଡି' ସଂସ୍ଥାପନ ପରେ ଋଷି ପଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହୋଇଅଛି । ଏଥିସହ ରୂପକାର ଓ ଚିତ୍ରକର ସେବାୟତ ମାନେ ତିନି ରଥର ସୌନ୍ଦର୍ଯ୍ୟକରଣ କାମରେ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି ।

ଜୁନ ୨୦ରେ ରଥଯାତ୍ରା ପଡୁଥିବାରୁ ତା ପୂର୍ବଦିନ ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ, ସେନାପଟା ଲାଗି ପରି ବିଶେଷ ନୀତି କରାଯିବ । ଏହି କାରଣରୁ ୧୯ ତାରିଖରେ ମାତ୍ର ୩ ଘଣ୍ଟା ପାଇଁ ହେବ ନବଯୌବନ ଦର୍ଶନ ।

  • Reported by:
  • PRADEEP MAHANTY , MADHUSUDAN MISHRA