• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାତି ପାହିଲେ ରଜ । ଗାଁ ଗାଁରେ ଶୁଭିବ-ବରଷକ ପରେ ଆସିଛି ରଜ । ରଜ ଆସିଛି ସଜବାଜ ବି ଚାଲିଛି । ତା ସାଙ୍ଗକୁ କିଣାବିକା ଆଉ ଭାର ଦିଆନିଆ । ରଜ ମଉଜ କିନ୍ତୁ ଦୀର୍ଘ ଦୁଇ ବର୍ଷ ପରେ ଦେଖିବାକୁ ମିଳିବ । ସେଥିପାଇଁ ତ ବିଶେଷ ପ୍ରସ୍ତୁତି । କୋଭିଡ୍ କଟକଣା ପାଇଁ ଦୁଇ ବର୍ଷ ହେଲା ଫିକା ପଡ଼ିଥିଲା ଓଡ଼ିଶାର ତଥା ଓଡ଼ିଆଙ୍କ ଗଣପର୍ବ ରଜ । ଗାଁ ହେଉ କି ସହର, ସବୁଠି ତିନି ଦିନିଆ ରଜ ଉତ୍ସବକୁ ନେଇ ଉତ୍ସାହିତ ପିଲାଠୁ ବୁଢ଼ା ।

ରଜ ଦୋଳି ବନ୍ଧା ସରିଛି, ସଜବାଜ ପାଇଁ ପ୍ରସ୍ତୁତି ବି ଚାଲିଛି । ହାତରେ ମେହେନ୍ଦି, ପାଦରେ ଅଳତା ନାଇ ସଜ ହେଉଛି କୁଆଁରୀ । ରାତି ପାହିଲେ ପହିଲି ରଜ, ସେଥିପାଇଁ ମନ ଏବେଠୁ ଗାଇଲାଣି ବନସ୍ତେ ଡାକିଲା ଗଜ, ବରଷକ ଥରେ ଆସିଛି ରଜ-ଆସିଛି ରଜ ଲୋ ଘେନି ନୂଆ ସଜବାଜ । ବର୍ଷେ ପରେ ରଜ ସିନା ଫେରିଛି, ମଉଜ ଫେରିଛି ଦୀର୍ଘ ଦୁଇ ବର୍ଷ ପରେ । ଶତାଦ୍ଧୀର ସଂକ୍ରମଣ ମହାମାରୀ କୋରନା ପାଇଁ ଦୁଇ ବର୍ଷ ହେଲା ରଜ ମଉଜ ଉପରେ କଟକଣା ଲାଗିଥିଲା । ଏବେ କିନ୍ତୁ ସ୍ଥିତି ଉତ୍କଟ ନଥିବାରୁ କୌଣସି କଟକଣା ନାହିଁ । ସେଥିପାଇଁ ତ ଏବେଠୁ ରଜ ରଜ ବାସିଲାଣି । ଆଉ ସଜେଇ ହେଲାଣି ଗାଁଠୁ ସହର । ରଜ ମଉଜ ହେବ ଆଉ ରଜପାନର ସ୍ୱାଦ ନ ମିଳିବ ଏମିତି ହୋଇପାରିବନି । ସେଥିପାଇଁ ତ ଖାସ୍ ଭଳିକି ଭଳି ପାନ ବି ପ୍ରସ୍ତୁତ ହେଉଛି ।

ରଜ ଗୀତ ଓ ଓଡ଼ିଆ ଆଧୁନିକ ଗୀତର ତାଳେ ତାଳେ ନାଚଗୀତ ଆରମ୍ଭ କଲେଣି କଟକ, ସାଲେପୁର ଅଞ୍ଚଳର କୁନି କୁନି ପଲାମାନେ । ଭଳିକି ଭଳି ଡିଜାଇନର ମେହେନ୍ଦି ସାଙ୍ଗକୁ ଅଳତା ବି ନାଇଛନ୍ତି ପାଦରେ । ଏହାସହ କିଏ ଲୁଡୁ ଖେଳୁଛି ତ କିଏ କ୍ୟାରରମ୍ ଖେଳି କରୁଛନ୍ତି ରଜ ମଉଜ । ବୟସ୍କମାନେ ମଧ୍ୟ ରଜ ମଉଜର ମଜା ନେବାକୁ ଏକାଠି ହେଉଛନ୍ତି । ସାଙ୍ଗ ସାଥି ସହ ତାସ୍ ଖେଳିବା ପାଇଁ ଏକାଠି ହୋଇଛନ୍ତି ସାହି ଭାଇ । ଗାଁ ପଡ଼ିଆରେ ରଜ ଦୋଳିରେ ଝୁଲି ମଜା ନେଲେଣି ପିଲାଏ । 

ଓଡ଼ିଆଙ୍କ ବାର ମାସରେ ତେର ପର୍ବର ପରମ୍ପରା ମଧ୍ୟରେ ରଜର ମହକ ସବୁଠୁ ନିଆରା । ସାବିତ୍ରୀ ଭଳି ରଜରେ ବି ଭାର ଦିଆ ନିଆର ପରମ୍ପରା ବଜାୟ ରହିଛି । ପହିଲି ରଜ ପୂର୍ବରୁ ନବବିବାହିତ ଝିଅ ଘରକୁ ରଜ ପାଇଁ ଫଳ ପଠାଇଥାନ୍ତି ବାପଘର ଲୋକେ । ସେଥିପାଇଁ ବଜାରରେ ବି ଗହଳି ଚହଳି ଲାଗିଛି । ଆମ୍ବ, ପଣସ ସାଙ୍ଗକୁ ଭଳିକି ଭଳି ଫଳ ମୂଳ କିଣାବିକା ହୋଇଥାଏ ଆଉ ଏଥିପାଇଁ ବଜାରରେ ଦେଖିବାକୁ ମିଳିଛି ଭିଡ଼ ।